ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ମନୁଷ୍ୟକୃତ ତ୍ରୁଟି। ରେଳମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏକଥା ଏକପ୍ରକାର ସ୍ପଷ୍ଟ ହୋଇସାରିଲାଣି। ତେଣୁ ଯେଉଁମାନଙ୍କ ପାଇଁ ଏତେବଡ଼ ଗୋଟାଏ ବିପର୍ଯ୍ୟୟ ଘଟିଗଲା, ସେମାନଙ୍କ ବିରୋଧରେ ନିହାତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରି। ତେବେ ଭବିଷ୍ୟତରେ ଯେପରି କାହାର ଭୁଲ୍ ଯୋଗୁଁ ଏମିତି ବଡ଼ ଅଘଟଣ ନ ଘଟେ, ସେଥିପାଇଁ ସରକାର ଓ ପ୍ରଶାସନକୁ ଗଭୀର ଚିନ୍ତା କରିବାକୁ ପଡ଼ିବ। ଯଦି ‘କବଚ’ ଭଳି ବୈଷୟିକ ଜ୍ଞାନକୌଶଳକୁ ଆମେ ଉଦ୍ଭାବନ କରିପାରୁଛେ, ତାକୁ ଲଗାଇବାରେ ଅସୁବିଧା କେଉଁଠି। ସରକାର ଏ ଦିଗରେ ଯତ୍ନବାନ୍ ହୋଇ ଶୀଘ୍ର ପଦକ୍ଷେପ ନିଅନ୍ତୁ। ଚଳିତଥରର ସମ୍ବାଦ ଫୋନ୍-ଇନ୍-ପ୍ଲିଜ୍ର ପ୍ରସଙ୍ଗ ‘ବାହାନଗା ରେଳ ଦୁର୍ଘଟଣା ଏକ ମାନବୀୟ ତ୍ରୁଟି’ରେ ଭାଗ ନେଇଥିବା ସମ୍ବଲପୁରର ଅଧିକାଂଶ ପାଠକ ଏପରି ମତାମତ ଦେଇଛନ୍ତି।
କୁଶଳୀ ବୈଷୟିକ କର୍ମଚାରୀ ଥିଲେ ଟ୍ରେନ୍ ଦୁର୍ଘଟଣା ହୋଇନଥାନ୍ତା।
ବାବୁଲାଲ ଖେଡ଼ିଆ, ବଲାଙ୍ଗୀର
ଆବଶ୍ୟକ କୁଶଳୀ ବୈଷୟିକ କର୍ମଚାରୀ ନିଯୁକ୍ତି ହେଉନାହାନ୍ତି। ଏହା ହେଲେ ବହୁମାତ୍ରାରେ ଦୁର୍ଘଟଣା କମିବ।
ଦେବରାଜ ପାଣିଗ୍ରାହୀ, ପାଟଣାଗଡ଼, ବଲାଙ୍ଗୀର
ବହୁ କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ ରେଳ ବିଭାଗ କାମ କରୁଛି। ଏଥିପ୍ରତି ବିଭାଗ ଦୃଷ୍ଟି ଦେବା ଦରକାର।
ବୈଷ୍ଣବ ବୀର, ଭବାନୀପାଟଣା, କଳାହାଣ୍ଡି
​ବିଭିନ୍ନ ଯୋଜନାରେ ନୂଆ ଟ୍ରେନ୍ଗୁଡ଼ିକ ଆରମ୍ଭ କରାଯାଉଛି। ହେଲେ ସେହି ଅନୁସାରେ କର୍ମଚାରୀ ନିଯୁକ୍ତି କରାଯାଉ ନାହିଁ। ଯଦ୍ବାରା ଏଭଳି ଦୁର୍ଘଟଣା ଘଟୁଛି।
ମହାଙ୍କୁଡ଼ ଆଚାର୍ଯ୍ୟ, ଭବାନୀପାଟଣା, କଳାହାଣ୍ଡି
ରାଜ୍ୟମାନେ ସବୁକଥାରେ କେନ୍ଦ୍ରକୁ ଦୋଷ ଦେଉଛନ୍ତି। ରାଜ୍ୟ ସରକାର ଏଥିପ୍ରତି ସଜାଗ ହେଲେ ଏଭଳି ଦୁର୍ଘଟଣା କମ୍ହୁଅନ୍ତା।
ଦୁର୍ଗାଚରଣ ବେହେରା, ସୋହେଲା, ବରଗଡ଼
ଟ୍ରେନ୍ ଦୁର୍ଘଟଣା ଏଡ଼ାଇବା ପାଇଁ କୁଶଳୀ ବୈଷୟିକ କର୍ମଚାରୀ ନିଯୁକ୍ତି କରାଯିବା ନିହାତି ଜରୁରି।
ସୁବାସ ଚନ୍ଦ୍ର ଦେହେରୀ, କାଇଁଶିର, ବରଗଡ଼
ଶହ ଶହ ବର୍ଷ ଧରି ରେଳ ଲାଇନ୍ଗୁଡ଼ିକ ସେଭଳି ପଡ଼ି ରହିଛି। ତାହାର ମରାମତି ଚିନ୍ତା ନକରି ବୁଲେଟ୍ ଟ୍ରେନ୍ ସ୍ବପ୍ନ ଦେଖାଯାଉଛି। ଏହା ନିଶ୍ଚିତ ଭାବେ ହାସ୍ୟାସ୍ପଦ।
ସତ୍ୟ ମିଶ୍ର, ଭଟଲି, ବରଗଡ଼
ଟ୍ରେନ୍ ସଂଖ୍ୟା ବଢ଼ୁଛି, ସେହି ଅନୁସାରେ ଦୁର୍ଘଟଣା ମଧ୍ୟ ବଢ଼ୁଛି। ଆଗକୁ ଯେମିତି ଏଭଳି ଘଟଣା ନଘଟେ ସେଥିପ୍ରତି ସରକାର ସଜାଗ ରହିବା କଥା।
ରାମଦୟାଲ ପଣ୍ଡା, ସରବାହାଲ, ଝାରସୁଗୁଡ଼ା
ରେଳ ବିଭାଗର ଖାମଖିଆଲ ଠିକା ନିଯୁକ୍ତି ତଥା କୁଶଳୀ ବୈଷୟିକ କର୍ମଚାରୀ ନିଯୁକ୍ତି ପ୍ରତି ଧ୍ୟାନ ଦିଆଯାଉ ନଥିବାରୁ ଏଭଳି ଦୁର୍ଘଟଣା ଘଟୁଛି।
ଉମେଶ ଭୋଇ, ରଘୁନାଥପାଲି, ଝାରସୁଗୁଡ଼ା
ଠିକାଦାର, ଶ୍ରମିକଙ୍କୁ ନିଯୁକ୍ତି ଦିଆଯାଉଛି। କୁଶଳୀ ବୈଷୟିକ କର୍ମଚାରୀ ରହୁନଥିବାରୁ ଏଭଳି ଦୁର୍ଘଟଣା ଘଟୁଛି।
ଯୁଗଳ କିଶୋର ଖଣ୍ଡାଇ, ପୁରୁଣାବସ୍ତି, ଝାରସୁଗୁଡ଼ା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/୪୯.jpg)