ଫୋନ ଇନ ପ୍ଲିଜ: ଟ୍ରେନ ଦୁର୍ଘଟଣା ଏଡ଼ାଇବା ପାଇଁ କୁଶଳୀ କର୍ମଚାରୀ ଲୋଡ଼ା

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ମନୁଷ୍ୟକୃତ ତ୍ରୁଟି। ରେଳମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏକଥା ଏକପ୍ରକାର ସ୍ପଷ୍ଟ ହୋଇସାରିଲାଣି। ତେଣୁ ଯେଉଁମାନଙ୍କ ପାଇଁ ଏତେବଡ଼ ଗୋଟାଏ ବିପର୍ଯ୍ୟୟ ଘଟିଗଲା, ସେମାନଙ୍କ ବିରୋଧରେ ନିହାତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରି। ତେବେ ଭବିଷ୍ୟତରେ ଯେପରି କାହାର ଭୁଲ୍‌ ଯୋଗୁଁ ଏମିତି ବଡ଼ ଅଘଟଣ ନ ଘଟେ, ସେଥିପାଇଁ ସରକାର ଓ ପ୍ରଶାସନକୁ ଗଭୀର ଚିନ୍ତା କରିବାକୁ ପଡ଼ିବ। ଯଦି ‘କବଚ’ ଭଳି ବୈଷୟିକ ଜ୍ଞାନକୌଶଳକୁ ଆମେ ଉଦ୍ଭାବନ କରିପାରୁଛେ, ତାକୁ ଲଗାଇବାରେ ଅସୁବିଧା କେଉଁଠି। ସରକାର ଏ ଦିଗରେ ଯତ୍ନବାନ୍‌ ହୋଇ ଶୀଘ୍ର ପଦକ୍ଷେପ ନିଅନ୍ତୁ। ଚଳିତଥରର ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ବାହାନଗା ରେଳ ଦୁର୍ଘଟଣା ଏକ ମାନବୀୟ ତ୍ରୁଟି’‌ରେ ଭାଗ ନେଇଥିବା ବ୍ରହ୍ମପୁରର ଅଧିକାଂଶ ପାଠକ ଏପରି ମତାମତ ଦେଇଛନ୍ତି।

କୁଶଳୀ ବୈଷୟିକ କର୍ମଚାରୀ ନିଯୁକ୍ତି ହେଉ ନଥିବାରୁ ଟ୍ରେନ୍‌ ଦୁର୍ଘଟଣା ବଢ଼ୁଛି। ଯେତେଦିନ ପର୍ଯ୍ୟନ୍ତ ସରକାରଙ୍କ ବେପରୁଆ ମନୋଭାବ ବଳବତ୍ତର ରହିବ, ସେତେଦିନ ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିବ। ଏଥିପ୍ରତି ସରକାର ଦୃଷ୍ଟି ଦିଅନ୍ତୁ।
ଘନଶ୍ୟାମ ତାରିଣୀ, ସୋରଡ଼ା

ଟ୍ରେନ୍‌ରେ ଉନ୍ନତମାନର ଉପକରଣ ବ୍ୟବହାର କରାଯାଇଥିଲେ ଏଭଳି ଘଟି ନଥାନ୍ତା। ଟ୍ରେନ୍‌ର ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ସଫ୍ଟୱେୟାର୍ ବିକାଶିତ କରାଯାଉଛି। ପ୍ରତ୍ୟେକ ଦିଗକୁ ଧ୍ୟାନ ଦେଇ ଟ୍ରେନ୍‌ର ପରିଚାଳନା ବ୍ୟବସ୍ଥା ସୁଦୃଢ଼ କରିବା ଆବଶ୍ୟକ।
ଡି. ପ୍ରକାଶ ରାଓ, ଚିକଲଖଣ୍ଡି

କିଛି କର୍ମଚାରୀଙ୍କ ଦାୟିତ୍ବହୀନତା ଯୋଗୁଁ ଏଭଳି ବଡ଼ ଦୁର୍ଘଟଣା ଘଟିଛି। ଏଣୁ ଲୋକେ ଚାକିରି ସମୟରେ କର୍ତ୍ତବ୍ୟପରାୟଣ ହୋଇ ଦାୟିତ୍ବ ସମ୍ପାଦନ କରିବା ଆବଶ୍ୟକ। ନହେଲେ ଏଭଳି ଲୋକଙ୍କ ଜୀବନହାନି ଘଟିବ।
ଡ. ରବିନ ଚନ୍ଦ୍ର ସାହୁ, ବ୍ରହ୍ମପୁର

ରେଳ ବିଭାଗରେ କୁଶଳୀ ବୈଷୟିକ କର୍ମଚାରୀଙ୍କ ଅଭାବ ରହିଛି। ଯେଉଁମାନେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଛନ୍ତି ସେମାନଙ୍କୁ ଯତ୍ନବାନ ହୋଇ କାମ କରିବାକୁ ପଡ଼ିବ।
ନରସିଂହ ସାହୁ, ମସିହାଖାଲି

କୁଶଳୀ ବୈଷୟିକ କର୍ମଚାରୀ ନିଯୁକ୍ତି ହେଲେ ଏଭଳି ଆକସ୍ମିକ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ ନାହିଁ। ଏଣୁ ଏହାର ତଦାରଖ କାର୍ଯ୍ୟ ଅଧିକ ସୁଦୃଢ଼ କରିବା ଉଚିତ।
ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, ପାରଳାଖେମୁଣ୍ଡି

କୁଶଳୀ ବୈଷୟିକ କର୍ମଚାରୀ ନିଯୁକ୍ତି ହେଲେ ଏପରି ସମସ୍ୟାକୁ ଏଡ଼ାଇ ଦେଇହେବ। ଏହାସହ ପର୍ଯ୍ୟାପ୍ତ ରେଳ କର୍ମଚାରୀ ମଧ୍ୟ ନିଯୁକ୍ତି ହେବା ଆବଶ୍ୟକ ଫଳରେ କର୍ମଚାରୀଙ୍କ ଉପରେ କାମ ଚାପ ରହିବ ନାହିଁ।
ରାଜେଶ ସାହୁ, କବିସୂର୍ଯ୍ୟନଗର

କୁଶଳୀ ବୈଷୟିକ କର୍ମଚାରୀ ନିଯୁକ୍ତି ଆବଶ୍ୟକ। ରେଳ ବିଭାଗ ଏହାକୁ ବିଚାର କରିବା ଆବଶ୍ୟକ।
କାମରାଜୁ ଗୌଡ଼, ଦେଉଳପଲ୍ଲୀ

କୁଶଳୀ ବୈଷୟିକ କର୍ମଚାରୀ ନିଯୁକ୍ତି ନହେବା ଟ୍ରେନ୍ ଦୁର୍ଘଟଣାର ମୁଖ୍ୟ କାରଣ। କୋଟା ରାଜନୀତି ଓ ଦକ୍ଷତା ନଥିବା ପିଲାଙ୍କୁ ନିଯୁକ୍ତି ପାଇଁ ଏପରି ସମସ୍ୟା ଦେଖାଦେଇଛି।
ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ମୋହନା

ରେଳ ବିଭାଗରେ ବହୁ ପଦବି ଖାଲି ପଡ଼ିଛି। କୁଶଳୀ କର୍ମଚାରୀଙ୍କ ଅଭାବରୁ ଦୁର୍ଘଟଣା ଘଟୁଛି। ତେଣୁ ଆବଶ୍ୟକସଂଖ୍ୟକ ବୈଷୟିକ କର୍ମଚାରୀ ନିଯୁକ୍ତିକୁ ଗୁରୁତ୍ବ ଦେବା ଆବଶ୍ୟକ।
ଦିଲ୍ଲୀପ ମହାପାତ୍ର, ସୁବଳୟା

ସମ୍ବନ୍ଧିତ ଖବର