ଫୋନ ଇନ ପ୍ଲିଜ: ଟ୍ରେନ ଦୁର୍ଘଟଣା ରୋକିବା ପାଇଁ କବଚ ଲଗାଇବାରେ ଅସୁବିଧା କେଉଁଠି

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ମନୁଷ୍ୟକୃତ ତ୍ରୁଟି। ରେଳମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏକଥା ଏକପ୍ରକାର ସ୍ପଷ୍ଟ ହୋଇସାରିଲାଣି। ତେଣୁ ଯେଉଁମାନଙ୍କ ପାଇଁ ଏତେବଡ଼ ଗୋଟାଏ ବିପର୍ଯ୍ୟୟ ଘଟିଗଲା, ସେମାନଙ୍କ ବିରୋଧରେ ନିହାତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରି। ତେବେ ଭବିଷ୍ୟତରେ ଯେପରି କାହାର ଭୁଲ୍‌ ଯୋଗୁଁ ଏମିତି ବଡ଼ ଅଘଟଣ ନ ଘଟେ, ସେଥିପାଇଁ ସରକାର ଓ ପ୍ରଶାସନକୁ ଗଭୀର ଚିନ୍ତା କରିବାକୁ ପଡ଼ିବ। ଯଦି ‘କବଚ’ ଭଳି ବୈଷୟିକ ଜ୍ଞାନକୌଶଳକୁ ଆମେ ଉଦ୍ଭାବନ କରିପାରୁଛେ, ତାକୁ ଲଗାଇବାରେ ଅସୁବିଧା କେଉଁଠି। ସରକାର ଏ ଦିଗରେ ଯତ୍ନବାନ୍‌ ହୋଇ ଶୀଘ୍ର ପଦକ୍ଷେପ ନିଅନ୍ତୁ। ଚଳିତଥରର ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ବାହାନଗା ରେଳ ଦୁର୍ଘଟଣା ଏକ ମାନବୀୟ ତ୍ରୁଟି’‌ରେ ଭାଗ ନେଇଥିବା ଜୟପୁରର ଅଧିକାଂଶ ପାଠକ ଏପରି ମତାମତ ଦେଇଛନ୍ତି।

ନିହାତି ଭାବେ କୁଶଳୀ ବୈଷୟିକ କର୍ମଚାରୀ ନିଯୁକ୍ତି ହେଉନଥିବାରୁ ଟ୍ରେନ୍‌ ଦୁର୍ଘଟଣା ବଢ଼ୁଛି ବୋଲି କୁହାଯିବ। କିନ୍ତୁ କ୍ଷୋଭର ବିଷୟ ହେଉଛି ଦେଶରେ କୁଶଳୀ ବୈଷୟିକ କର୍ମଚାରୀଙ୍କ ଅଭାବ ନାହିଁ କିମ୍ବା ବୈଷୟିକ ଜ୍ଞାନକୌଶଳ ଓ ଉନ୍ନତମାନର ଯନ୍ତ୍ରପାତିର ମଧ୍ୟ ଅଭାବ ନାହିଁ। ତେବେ ଦେଶରେ ଅନେକ ସମୟରେ ଉପଯୁକ୍ତ ‌ବ୍ୟକ୍ତିଙ୍କୁ ନିଯୁକ୍ତି ମିଳୁନାହିଁ। ଫଳରେ ଦେଶର ଦକ୍ଷଲୋକ ବିଦେଶକୁ ଯାଉଛନ୍ତି। ‌ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଦେଶରେ ନିଯୁକ୍ତି ଦେଲେ ଜ୍ଞାନକୌଶଳର ବିକାଶ ମଧ୍ୟ ହୋଇପାରନ୍ତା।
ସ୍ବାଗତିକା ବାହିନୀପତି, ରାଇଘର, ନବରଙ୍ଗପୁର

କୁଶଳୀ ବୈଷୟିକ କର୍ମଚାରୀ ନିଯୁକ୍ତ ହେଉନାହାନ୍ତି ବୋଲି ଆମେ କହିପାରିବା ନାହିଁ। କୁଶଳ ଭାରତ ଏହାର ଗୋଟିଏ ଉଦାହରଣ। କୁଶଳୀ କର୍ମଚାରୀ ନିଯୁକ୍ତ ହେଉଛନ୍ତି, କିନ୍ତୁ କର୍ତ୍ତବ୍ୟରେ ଅବହେଳା କରୁଥିବାରୁ ଏଭଳି ଘଟଣା ଘଟୁଛି। ମାନବକୃତ ତ୍ରୁଟିକୁ ଦୂର କରିପାରିଲେ ଏଭଳି ହୃଦୟବିଦାରକ ଘଟଣା ଘଟିବନି।
ସୁଧାଂଶୁ ଶେଖର ପଟ୍ଟନାୟକ, ବୋରିଗୁମ୍ମା, କୋରାପୁଟ

ଘଟଣା ଘଟିବା ପରେ ସମସ୍ତେ ଜ୍ଞାନୀ। ବାସ୍ତବତା ହେଲା ରେଳ ବିଭାଗରେ ଯଦି କୁଶଳୀ ବୈଷୟିକ କର୍ମଚାରୀ ନିଯୁକ୍ତି ପାଉନାହାନ୍ତି ତେବେ ପ୍ରତିଦିନ ରେଳସେବା ସୁଚାରୁ ଭାବେ କେମିତି ପରିଚାଳିତ ହେଉଛି? କାଁଭାଁ ଏଭଳି ତ୍ରୁଟି ନଘଟିବା ପାଇଁ କର୍ମଚାରୀଙ୍କୁ ଅଧିକ ପ୍ରୋତ୍ସାହିତ କରିବା ଦରକାର। ଏଭଳି ନାକରାତ୍ମକ ମନ୍ତବ୍ୟ ଦେଇ ରେଳ କର୍ମଚାରୀଙ୍କ ମନୋବଳ ଭାଙ୍ଗିବା କଥା ନୁହେଁ।
ଅଳକା ସାହୁ, ରାୟଗଡ଼ା

କୁଶଳୀ ବୈଷୟିକ କର୍ମଚାରୀ ନିଯୁକ୍ତି ହେଉନଥିବାରୁ ଟ୍ରେନ୍‌ ଦୁର୍ଘଟଣା ବଢ଼ୁଛି କହିବା ଉଚିତ ହେବନାହିଁ। ଭାରତୀୟ ରେଳରେ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ହେବା ସହ କୁଶଳୀ କର୍ମଚାରୀ ନିଯୁକ୍ତି ପାଉଛନ୍ତି। ପୂର୍ବ ଅପେକ୍ଷା ବର୍ତ୍ତମାନ ଭାରତରେ ରେଳସେବାରେ ଉନ୍ନତି ଘଟିଛି। କରମଳଣ୍ଡ ଦୁର୍ଘଟଣା ପରେ ସତର୍କ ହେବା, କିନ୍ତୁ କୁଶଳୀ କର୍ମଚାରୀ ନିଯୁକ୍ତ ହେଉନାହାନ୍ତି କହି ଲୋକଙ୍କ ମନରେ ଭୟ ସଂଚାର କରିବା ଅନୁଚିତ।
ରୁତିରା ପାଢ଼ୀ, ଜୟପୁର, କୋରାପୁଟ

ବାହାନଗା ଟ୍ରେନ୍‌ ଦୁର୍ଘଟଣା ସମଗ୍ର ବିଶ୍ବକୁ ଦୋହଲାଇ ଦେଇଛି। କିନ୍ତୁ ଘଟଣା ଘଟିବା ପରେ ଉଦ୍ଧାର କାର୍ଯ୍ୟରୁ ଆରମ୍ଭ କରି ରେଳ ଧାରଣାକୁ ସଜାଡ଼ି ପୁଣିଥରେ ରେଳ ଚଳାଚାଳ ସ୍ବାଭାବିକ କରିବାକୁ ଯେଉଁ ତତ୍ପରତାର ସହ କାର୍ଯ୍ୟ କରାଯାଇଛି ତାହା ପ୍ରଶଂସାଯୋଗ୍ୟ। ଯଦି କୁଶଳୀ ବୈଷୟିକ କର୍ମଚାରୀ ନଥାନ୍ତେ ଏସବୁ ସମ୍ଭବ ହୋଇପରି ନଥାନ୍ତା।
ମୃତ୍ୟୁଞ୍ଜୟ ସେଠୀ,
କୋରୁକୁଣ୍ଡା, ମାଲକାନଗିରି

ସମ୍ବନ୍ଧିତ ଖବର