ଫୋନ ଇନ ପ୍ଲିଜ: ଟ୍ରେନ ଦୁର୍ଘଟଣା ରୋକିବା ପାଇଁ ଉନ୍ନତ ଜ୍ଞାନକୌଶଳ ଦରକାର

ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ମନୁଷ୍ୟକୃତ ତ୍ରୁଟି। ରେଳମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରୁ ଏକଥା ଏକପ୍ରକାର ସ୍ପଷ୍ଟ ହୋଇସାରିଲାଣି। ତେଣୁ ଯେଉଁମାନଙ୍କ ପାଇଁ ଏତେବଡ଼ ଗୋଟାଏ ବିପର୍ଯ୍ୟୟ ଘଟିଗଲା, ସେମାନଙ୍କ ବିରୋଧରେ ନିହାତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରି। ତେବେ ଭବିଷ୍ୟତରେ ଯେପରି କାହାର ଭୁଲ୍‌ ଯୋଗୁଁ ଏମିତି ବଡ଼ ଅଘଟଣ ନ ଘଟେ, ସେଥିପାଇଁ ସରକାର ଓ ପ୍ରଶାସନକୁ ଗଭୀର ଚିନ୍ତା କରିବାକୁ ପଡ଼ିବ। ଯଦି ‘କବଚ’ ଭଳି ବୈଷୟିକ ଜ୍ଞାନକୌଶଳକୁ ଆମେ ଉଦ୍ଭାବନ କରିପାରୁଛେ, ତାକୁ ଲଗାଇବାରେ ଅସୁବିଧା କେଉଁଠି। ସରକାର ଏ ଦିଗରେ ଯତ୍ନବାନ୍‌ ହୋଇ ଶୀଘ୍ର ପଦକ୍ଷେପ ନିଅନ୍ତୁ। ଚଳିତଥରର ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ବାହାନଗା ରେଳ ଦୁର୍ଘଟଣା ଏକ ମାନବୀୟ ତ୍ରୁଟି’‌ରେ ଭାଗ ନେଇଥିବା ଯାଜପୁରର ଅଧିକାଂଶ ପାଠକ ଏପରି ମତାମତ ଦେଇଛନ୍ତି।

ଭାରତୀୟ ରେଳବାଇ ଦେଶବାସୀଙ୍କ ଜୀବନରେଖା। ଏହି ସଂସ୍ଥାରେ ଅନେକ କୁଶଳୀ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ତଥାପି ମାନବୀୟ ତ୍ରୁଟି ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ରେଳବାଇରେ ଉନ୍ନତ ବୈଷୟିକ ଜ୍ଞାନକୌଶଳ ବ୍ୟବହାରର ଆବଶ୍ୟକତା ରହିଛି।
ସୁରଞ୍ଜନ ରାଉତ, ଯାଜପୁର ଟାଉନ

ଅଭିଜ୍ଞମାନଙ୍କୁ ରେଳବାଇରେ ନିଯୁକ୍ତି ଦିଆଗଲେ ଏଭଳି ଦୁର୍ଘଟଣାକୁ ରୋକାଯାଇପାରିବ।
ସରୋଜ ରଂଜନ ଦାଶ, ଯାଜପୁର

ଚାକିରି କ୍ଷେତ୍ରରେ ସଂରକ୍ଷଣ ହିଁ କୁଶଳୀ କର୍ମଚାରୀ ନିଯୁକ୍ତିରେ ବାଧକ ସାଜିଛି। କେବଳ ରେଳବାଇ ନୁହେଁ ଅନ୍ୟ ବିଭାଗ ଗୁଡ଼ିକରେ ମଧ୍ୟ ସଂରକ୍ଷଣ ବଳରେ କମ ଦକ୍ଷତାସମ୍ପନ୍ନ ପ୍ରାର୍ଥୀ ନିଯୁକ୍ତି ପାଉଥିବାରୁ ଅଚଳାବସ୍ଥା ସୃଷ୍ଟି ହେଉଛି। ଶିକ୍ଷା, ସ୍ବାସ୍ଥ୍ୟ ଓ ରେଳବାଇ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଯାଇ ଯୋଗ୍ୟତା ଭିତ୍ତିରେ ଚାକିରି ଦିଆଯିବା ଦରକାର।
ସୌଭାଗ୍ୟ ରାଉତ, ଧର୍ମଶାଳା, ଯାଜପୁର

ଭାରତୀୟ ରେଳବାଇ ବିଶ୍ବର ସର୍ବବୃହତ୍ କହିଲେ ଅତ୍ୟୁକ୍ତି ହେବନି। ପୂର୍ବରୁ ସ୍ବତନ୍ତ୍ର ରେଳ ବଜେଟ୍ ପ୍ରସ୍ତୁତ ହେଉଥିଲା। ଭାରତୀୟ ରେଳବାଇରେ ମଧ୍ୟ ଅନେକ କୁଶଳୀ ବୈଷୟିକ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ଏହାର ଆଧୁନିକୀକରଣ ମଧ୍ୟ ହୋଇଛି। ଏହାସତ୍ତ୍ବେ ଦୁର୍ଘଟଣା ବଢ଼ୁଛି। ଭାରତୀୟ ରେଳବାଇ ଜାପାନ ଓ ଜର୍ମାନ ମଡେଲକୁ ଅନୁସରଣ କରିବା ଉଚିତ।
ଡ. ଶାନ୍ତନୁ କୁମାର ନାୟକ, ରାମବାଗ୍, ଯାଜପୁର

ଭାରତୀୟ ରେଳ ଇଂରେଜ ଅମଳର। ଏଥିରେ ଆହୁରି ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି। ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ତାଳମେଳ ରହୁନି। ଯେଉଁଥିପାଇଁ ଦୁର୍ଘଟଣା ବଢ଼ିବା ସହ ଦୁର୍ଘଟଣା ଘଟିଲେ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ପଦ୍ମଲୋଚନ ମହାନ୍ତି, କୋରେଇ, ଯାଜପୁର।

ଆଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ପ୍ରସାର ସତ୍ତ୍ବେ ଏଭଳି ଦୁର୍ଘଟଣା ଘଟିବା ଦୁର୍ଭାଗ୍ୟଜନକ। କୁଶଳୀ ବୈଷୟିକ କର୍ମଚାରୀ ନିଯୁକ୍ତିର ଜରୁରୀ ଆବଶ୍ୟକତା ରହିଛି।
ଅରୁଣ କୁମାର ଦାସ, ଠାକୁରା, ଧର୍ମଶାଳା, ଯାଜପୁର

ଆସନ୍ତା ୬ ତାରିଖରେ କମିସନର ଅଫ୍ ରେଲୱେ ସେଫ୍ଟି ତଦନ୍ତ କରିବେ। ଏହାପରେ ରେଳ ଦୁର୍ଘଟଣାର କାରଣ ଜଣାପଡ଼ିବ। ତେବେ କୁଶଳୀ ବୈଷୟିକ କର୍ମଚାରୀ ଆବଶ୍ୟକ ଅନୁଯାୟୀ ନିଯୁକ୍ତ କରାଯାଉ ନାହିଁ। ରେଳବାଇର ବିଭିନ୍ନ ବର୍ଗର କର୍ମଚାରୀ ନିଯୁକ୍ତି ନିମନ୍ତେ କରାଯାଉଥିବା ଚୟନ ପ୍ରକ୍ରିୟାର ବିଳମ୍ବ ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଛି। ଆବଶ୍ୟକ ହେଉଥିବା କୁଶଳୀ କର୍ମଚାରୀଙ୍କ ପଦବି ଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ପୂରଣ କରିବା ଉଚିତ। ବାହାନଗା ରେଳ ଦୁର୍ଘଟଣା ସିଗ୍‌ନାଲ ଜନିତ ତ୍ରଟିରୁ ହୋଇଥିବା ମିଳିତ ତଦନ୍ତ ଦଳ ରିପୋର୍ଟରେ ଦର୍ଶାଇଛନ୍ତି। କାହିଁକି କରମଣ୍ଡଳକୁ ସିଗ୍‌ନାଲ ଦେବା ପରେ ହଠାତ୍ ତାକୁ ହଟାଇ ନିଆଗଲା ତାହା ସନ୍ଦେହ ଘେରରେ। ଏହା ମଧ୍ୟ ବୈଷୟିକ ତ୍ରୁଟି ଯୋଗୁଁ ହୋଇଥାଏ ପାରେ। ଏପଟେ ମମତା ବାନାର୍ଜୀଙ୍କ ଅଭିଯୋଗ ଯେ, କରମଣ୍ଡଳ ଭଳି ଦ୍ରୁତଗାମୀ ଟ୍ରେନ୍ ଗୁଡ଼ିକରେ ପ୍ରଚଳିତ ଥିବା ଦୁର୍ଘଟଣା ନିରୋଧୀ ଯନ୍ତ୍ର ବ୍ୟବହାର ହୋଇନଥିବାରୁ ଦୁର୍ଘଟଣଶ ଘଟିଲା। ଆଣ୍ଟି କୋଲାଇଜନ୍ ଡିଭାଇସ ବ୍ୟବହାର ହୋଇଥିଲେ ହୁଏତ ଏଭଳି ଦୁର୍ଘଟଣାକୁ ରୋକାଯାଇ ପାରିଥାନ୍ତା।
ଅରୁଣ କୁମାର ଦାସ, କାଶିପୁର, ବଳରାମପୁର, କେନ୍ଦୁଝର

ରେଳବାଇରେ କୁଶଳୀ ଓ ଅଭିଜ୍ଞ କର୍ମଚାରୀଙ୍କୁ ନିଯୁକ୍ତି ଦିଆଗଲେ ଏଭଳି ଦୁର୍ଘଟଣାକୁ ରୋକାଯାଇପାରିବ।
ଅର୍ଜୁନ ଚରଣ ସାମଲ, କୁଳହରିପୁର, ଯାଜପୁର

ସବୁ କ୍ଷେତ୍ରରେ କୁଶଳୀ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। ଲକ୍ଷଲକ୍ଷ ପିଲାମାନେ ଯେଉଁ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି ସେଠାରେ ମଧ୍ୟ କୁଶଳୀ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଏହାସତ୍ତ୍ବେ ମଧ୍ୟ ପରୀକ୍ଷାଫଳ ଉତ୍ସାହଜନକ ହେଉନି। ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ ନହେବା ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିବ।
ଋଷିନାଥ ମହାନ୍ତ, ବନମାଳୀପୁର, କେନ୍ଦୁଝର

ରେଳ କର୍ମଚାରୀଙ୍କ ଅବହେଳା ଯୋଗୁଁ ଏହି ଦୁର୍ଘଟଣା ଘଟିଛି। କର୍ମଚାରୀମାନେ ଠିକ୍ ଭାବେ ଦାୟିତ୍ବ ସମ୍ପନ୍ନ କରିଥିଲେ ଏପରି ହୋଇନଥାନ୍ତା।
ମିର୍ ଅବୋକାୟସ, ଯାଜପୁର

ସମ୍ବନ୍ଧିତ ଖବର