ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶହ ଶହ ଯାତ୍ରୀଙ୍କ ମୃତଦେହ ସ୍ଥାନୀୟ ଏକ ସ୍କୁଲରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ସ୍କୁଲରେ ଭୂତ-ପ୍ରେତ ବାସ କରିବା ଭଳି ଅନ୍ଧବିଶ୍ବାସକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ସରକାର ଲୋକଙ୍କୁ ସଚେତନ କରିବା ପରିବର୍ତ୍ତେ ସେହି ସ୍କୁଲ ଘର ଭାଙ୍ଗି ସେଠାରେ ନୂତନ କୋଠା ନିର୍ମାଣ କରୁଛନ୍ତି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମଠୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ଦୃଢ଼ ବ‌ିରୋଧ କରାଯାଇଛି। ଏହା କରିବା ଦ୍ବାରା ସରକାର ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା‌ କହି ଲୋକମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଚଳିତଥର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ ପ୍ରସଙ୍ଗ ‘ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା ଅନ୍ୟ କିଛି ନୁହେଁ’ରେ ଭୁବନେଶ୍ବର ଗ୍ରାମାଞ୍ଚଳ ଓ ନୟାଗଡ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାର ପାଠକ ଏଭଳି ମତ ଦେଇଛନ୍ତି।

Advertisment

ବାହାନଗା ସ୍କୁଲ୍‌ରେ ଭୂତ ବାସ କରିବା ଘଟଣା ଏକ ଅନ୍ଧବିଶ୍ବାସ। ଏହାକୁ ନେଇ ଅଯଥା ରାଜନୀତି କରା ନଯାଉ। ଏହି ଅନ୍ଧବିଶ୍ବାସ ଯୋଗୁଁ ସ୍କୁଲ ଭାଙ୍ଗି ସରକାରଙ୍କର ବହୁ ଟଙ୍କା ନଷ୍ଟ କରି ଦିଆଯିବା ଉଚିତ୍‌ ନୁହେଁ।
କାଳନ୍ଦୀଚରଣ ସାହୁ, ନୟାଗଡ଼

ଦେଶ ଏବେ ଅତ୍ୟାଧୁନିକ ଯୁଗରେ ଗତି କରୁଛି। ମାତ୍ର ଏଭଳି ସମୟରେ ଆମ ରାଜ୍ୟରେ ଅନ୍ଧବିଶ୍ବାସକୁ ସମର୍ଥନ କରି ବିଦ୍ୟାଳୟକୁ ଭଙ୍ଗାଯିବା ଠିକ୍ ନୁହେଁ।
ସନ୍ତୋଷ କୁମାର ଦାସ,ପୁରୀ

ଅନ୍ଧବିଶ୍ବାସକୁ ନେଇ ସ୍କୁଲ୍‌ ଭାଙ୍ଗି ଦିଆଯିବା ଠିକ୍ ନୁହେଁ। ସ୍କୁଲ ପିଲାମାନଙ୍କର ଶିକ୍ଷାର ଆଲୋକ ଦେଖାଇ ଅନ୍ଧବିଶ୍ବାସ ଦୂର କରେ। ତେଣୁ ଅନ୍ଧବିଶ୍ବାସ ଯୋଗୁଁ ଏହି ବିଦ୍ୟାଳୟଟି ଭାଙ୍ଗିବା ଆଦୌ ଠିକ୍ ନୁହେଁ।
ବାବୁଲି କୁମାର ପାତ୍ର,ପୁରୀ

ବାହାନଗା ବିଦ୍ୟାଳୟଟିକୁ ଭାଙ୍ଗିଦେବା ଦ୍ବାରା ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ିବାରେ କୌଣସି ପ୍ରଭାବ ପଡ଼ିବନାହିଁ। ଏହା ଅନ୍ଧବିଶ୍ବାସ ନୁହେଁ। ଏହା ସତ୍ୟ ଘଟଣା। ତେଣୁ ବିଦ୍ୟାଳୟର ଶ୍ରେଣୀ ଗୃହଗୁଡ଼ିକୁ ସଫାସୁତରା କରି ପୁନଃ ରଙ୍ଗ ଦେଇ ପୂଜାର୍ଚ୍ଚାନ ପରେ ପୁଣି ପିଲାମାନେ ପାଠ ପଢ଼ିଲେ ଚଳିବ।
ପ୍ରଭାତ କୁମାର ବେହେରା, ଖୋର୍ଦ୍ଧା

ଆଜିକାଲିର ପିଲାମାନଙ୍କ ମନରେ ଭୂତମାନଙ୍କର କୌଣସି ସ୍ଥାନ ନାହିଁ। କୌଣସି କୁଚକ୍ରୀ ପିଲାମାନଙ୍କ ମନରେ ଏଭଳି ଅନ୍ଧବିଶ୍ବାସ ଭର୍ତ୍ତି କରାଇଛନ୍ତି। ଯାହାଦ୍ବାରା କି ସରକାର ଏହି ସ୍କୁଲକୁ ଭାଙ୍ଗିବାକୁ ବାଧ୍ୟ ହେଉଛନ୍ତି। ଯାହା ଆଦୌ ଗ୍ରହଣୀୟ ନୁହେଁ।
କବିତା ପଟ୍ଟନାୟକ, ପୁରୀ

ରେଳ ଦୁର୍ଘଟଣାରେ ମରଶରୀରଗୁଡ଼ିକୁ ବିଦ୍ୟାଳୟରେ ରଖାଯିବା ନିଷ୍ପତ୍ତି ଠିକ୍ ନଥିଲା। ତେବେ ଏହି ବିଦ୍ୟାଳୟକୁ ନ ଭାଙ୍ଗି ଅନ୍ୟତ୍ର ବିଦ୍ୟାଳୟ ପାଇଁ ଘର ତିଆରି କରିବା ଉଚିତ। ନିଜ ଗାଁ ଶ୍ମଶାନକୁ ସମସ୍ତଙ୍କର ଡର ଥାଏ। ତେବେ ବିଜ୍ଞାନର ଏତେ ଅଗ୍ରଗତି ପରେ ମଧ୍ୟ ଲୋକଙ୍କର ଅନ୍ଧବିଶ୍ବାସ ଯାଉନାହିଁ। କିମ୍ବା ସରକାରଙ୍କର ଅନ୍ଧଶ୍ରଦ୍ଧା ଛାଡ଼ୁନି।
ଛାୟାକାନ୍ତ ନାୟକ, ପୁରୀ

ଭୂତ ଫୁତ କିଛି ନଥାଏ। ଏହା କେବଳ ଆମମାନଙ୍କ ମନରେ ଅନ୍ଧବିଶ୍ବାସ। ଅନ୍ଧବିଶ୍ବାସ ଯୋଗୁ ସରକାର ଏଭଳି ଭୁଲ ନିଷ୍ପତ୍ତି ନେବା ଠିକ୍ ହେଉନି।
ଶ୍ରେୟସ୍ ପଟ୍ଟନାୟକ, ପୁରୀ

ଏହା ଅନ୍ଧବିଶ୍ବାସ ଛଡ଼ା ଆଉ କିଛି ନୁହେଁ। ସ୍କୁଲ ଭାଙ୍ଗିବା କଥା ଯୁକ୍ତିଯୁକ୍ତ ନୁହେଁ।
ସଶ୍ମିତା ମହାନ୍ତି, ପୁରୀ

ଏହା ସମ୍ପୁର୍ଣ୍ଣ ଅନ୍ଧବିଶ୍ବାସ। ଏହି ଘଟଣା ପିଲାମାନଙ୍କ ମଧ୍ୟରେ ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ ଦେଉଛି। ସ୍କୁଲ ଭାଙ୍ଗିବା ସରକାରଙ୍କର ଭୁଲ ନିଷ୍ପତ୍ତି।
ମଧୁପ୍ରଦା ମହାନ୍ତି, ପୁରୀ

ବିଦ୍ୟାଳୟ ଭାଙ୍ଗିବା ଠିକ୍ ନୁହେଁ। ରାଜ୍ୟ ସରକାର ଏଭଳି କରିବା ଆଦୌ ଉଚିତ ହେଲାନି।
ସ୍ମୃତିସାଗର ମହାନ୍ତି, ପୁରୀ

ବାହାନଗା ବିଦ୍ୟାଳୟକୁ ଭାଙ୍ଗିଦେବା ଘଟଣା ଏଠାରେ ସେଠିକାର ଅଭିଭାବକ ଓ ଜନସାଧାରଣମାନଙ୍କ ରାଜନୈତିକ ହିଂସା ପ୍ରତିଫଳନ କରୁଛି। ସେମାନଙ୍କ ମଧ୍ୟରେ ଘଟଣାକୁ ଚଳାଇଦେବାର କ୍ଷମତା ନାହିଁ। ଏହି ଅନ୍ଧବିଶ୍ବାସ ଯୋଗୁଁ ଦେଶର ବଡ଼ କ୍ଷତି ହୋଇଛି।
ସମରେନ୍ଦ୍ର ମହାନ୍ତି, ପୁରୀ

ବାହାନଗା ହାଇସ୍କୁଲ ଭଙ୍ଗାଯିବା ନିହାତି ଭାବେ ଅନ୍ଧବିଶ୍ବାସ। ଯଦି ଆମ ଘରେ କିମ୍ବା ଆତ୍ମୀୟଙ୍କ ଘରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ତାହେଲେ କ’ଣ ଆମେମାନେ ଆମମାନଙ୍କ ଘରକୁ ଭାଙ୍ଗି ଦେଉଛୁ କି? ତେଣୁ ବାହାନଗା ବିଦ୍ୟାଳୟ ଘଟଣାରେ ପୁଜାର୍ଚ୍ଚନା କରି ବିଦ୍ୟାଳୟକୁ ଚାଲୁ କରିବା ଦରକାର ଥିଲା। ସରକାର ଏହି ଅନ୍ଧବିଶ୍ବାସକୁ ଆହୁରି ପ୍ରୋତ୍ସାହନ ଦେଉଛନ୍ତି। ଆଜି ପର୍ଯ୍ୟନ୍ତ ଏଠାରେ ଆଦର୍ଶ ସ୍କୁଲ ହୋଇପାରୁନଥିଲା। ଏବେ କାହିଁକି ଏହାକୁ ଭାଙ୍ଗି ଏଠାରେ ଆଦର୍ଶ ବିଦ୍ୟାଳୟରେ ପରିଣତ କରିବାକୁ ଚିନ୍ତା କରାଯାଉଛି। ଅନ୍ଧବିଶ୍ବାସକୁ ଘୋଡ଼ାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି।
ଦିଲୀପ କୁମାର ବିଶୋଇ, ନୟାଗଡ଼

ବାହାନଗା ସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ। ହିନ୍ଦୁ ଧର୍ମ ଅନୁସାରେ ପୂଜାପାଠ କରି ସେଠାରେ ବିଦ୍ୟାଦାନ କାର୍ଯ୍ୟକ୍ରମ ଚାଲୁ କରିବା କଥା। କିନ୍ତୁ ଘର ଭାଙ୍ଗିବା ଠିକ୍ ନୁହେଁ। ଏହା ଆଇନ୍ ସମ୍ମତ ବି ନୁହେଁ।
ସତ୍ୟପ୍ରିୟ ସାହୁ, ପୁରୀ

ରେଳ ଦୁର୍ଘଟଣାରେ ଶବଗୁଡ଼ିକୁ ବାହାନଗା ସ୍କୁଲକୁ ସ୍ଥାନାନ୍ତର କରାଯିବା ପରେ ଏହାକୁ ଭାଙ୍ଗିଦେବା ଘଟଣା ଅନ୍ଧବିଶ୍ବାସ ନୁହେଁ ତ ଆଉ କ’ଣ। ଆଜିର ବିଜ୍ଞାନ ଯୁଗରେ ସରକାର ପୁଙ୍ଖାନୁପୁଙ୍ଖ ତଦନ୍ତ ନକରି ବିଦ୍ୟାଳୟ ଘରକୁ ଭାଙ୍ଗିଦେବାର ଠିକ୍ ହେଲାନାହିଁ। ଘର ଭାଙ୍ଗି ଦେଲେ କ’ଣ ଭୂତ ପଳାଇଯିବ କି? ନୂଆ ଘର ନିର୍ମାଣ କଲେ ବି ସେଠାରେ ଯେ ଭୂତ ନରହିବ ସେକଥା କିଏ କହିବ। ତେଣୁ ସରକାରଙ୍କର ଏହା ଭୁଲ ନିଷ୍ପତି ଥିଲା।
ପ୍ରଭାତ କୁମାର ପ୍ରଧାନ, ପୁରୀ

ଏହା ଅନ୍ଧବିଶ୍ବାସ ନୁହେଁ। ଭଗବାନ କରନ୍ତୁ ଏଭଳି ପରିସ୍ଥିତି କେବେ ଆମ ଭାରତରେ ନହେଉ। ଯେଉଁମାନେ ଇହଲୀଳା ସମ୍ବରଣ କରିଯାଇଛନ୍ତି, ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଛି।
ଏମ୍.ଏଚ୍ ଅଲ୍ଲୀ, ଖୋର୍ଦ୍ଧା

ଗ୍ରାମବାସୀ ପ୍ରେତାତ୍ମା ବିଷୟରେ ଯାହା କହୁଛନ୍ତି, ତାହା ଶତପ୍ରତିଶତ ଠିକ୍। ତର୍ଜମା କଲେ ଏହା ପ୍ରମାଣିତ ହୋଇପାରିବ। ଆବଶ୍ୟକ ପଡ଼ିଲେ ମୁଁ ମଧ୍ୟ ପ୍ରେତ ଲଗାଇ ସେମାନଙ୍କ ସହ କଥାବାର୍ତ୍ତା କରାଇଦେଇ ପାରିବି।
ଶରତ ମହାପାତ୍ର, ପୁରୀ

ଏଇଟା ଅନ୍ଧବିଶ୍ବାସ। ବିଦ୍ୟାଳୟ ଭାଙ୍ଗିଦେବା ଘଟଣାଟି ପିଲାମାନଙ୍କ ଭବିଷ୍ୟତ ଉପରେ ପ୍ରଭାବ ପକାଉଛି। ବିଦ୍ୟାଳୟ ଭାଙ୍ଗିବା ପରେ ତିଆରି ହେବା ମଧ୍ୟବର୍ତ୍ତୀ ସମୟରେ ପିଲାମାନଙ୍କ ପାଠପଢ଼ାରେ ପ୍ରଭାବ ପକାଇବ। ତେଣୁ ଏଭଳି ନକରିବା ଉଚିତ୍ ଥିଲା।
ଶ୍ରେଷ୍ଠା ପଟ୍ଟନାୟକ, ପୁରୀ