ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶହ ଶହ ଯାତ୍ରୀଙ୍କ ମୃତଦେହ ସ୍ଥାନୀୟ ଏକ ସ୍କୁଲରେ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ସେହି ସ୍କୁଲରେ ଭୂତ-ପ୍ରେତ ବାସ କରିବା ଭଳି ଅନ୍ଧବିଶ୍ବାସକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହୋଇଥିଲା। ସରକାର ଲୋକଙ୍କୁ ସଚେତନ କରିବା ପରିବର୍ତ୍ତେ ସେହି ସ୍କୁଲ ଘର ଭାଙ୍ଗି ସେଠାରେ ନୂତନ କୋଠା ନିର୍ମାଣ କରୁଛନ୍ତି। ଯାହାକୁ ନେଇ ସାମାଜିକ ଗଣମାଧ୍ୟମଠୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ଦୃଢ଼ ବ‌ିରୋଧ କରାଯାଇଛି। ଏହା କରିବା ଦ୍ବାରା ସରକାର ଅନ୍ଧବିଶ୍ବାସକୁ ପ୍ରୋତ୍ସାହନ ଦେଉଥିବା‌ କହି ଲୋକମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି। ଚଳିତଥର ‘ସମ୍ବାଦ’ ଫୋନ୍‌-ଇନ୍‌-ପ୍ଲିଜ୍‌ ପ୍ରସଙ୍ଗ ‘ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା ଅନ୍ୟ କିଛି ନୁହେଁ’ରେ ବ୍ରହ୍ମପୁର ସଂସ୍କରଣର ପାଠକ ଏଭଳି ମତ ଦେଇଛନ୍ତି।

Advertisment

ବାହାନଗା ହାଇସ୍କୁଲରେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶବ ରଖାଯାଇଥିଲା। ବର୍ତ୍ତମାନ ସ୍କୁଲ୍ ଛୁଟି ଅଛି। ତେଣୁ ସ୍କୁଲ୍ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା ଆଉ କିଛି ନୁହେଁ।
କାମରାଜୁ ଗୌଡ଼, ଦେଉଳପଲ୍ଲୀ

ପିଲାଙ୍କ ହିତରେ ଯଦି ବିଦ୍ୟାଳୟ ଭଙ୍ଗା ଯାଇଛି ତାହେଲେ ଠିକ୍ ହୋଇଛି।
ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ମୋହନା

ବିଶ୍ବାସ ନକଲେ ମଧ୍ୟ ଭୂତ ପିଶାଚ ରହିଛନ୍ତି। ପିଲାମାନେ ଭୟ କରୁଥିବାରୁ ବିଦ୍ୟାଳୟକୁ ଭଙ୍ଗା ଯାଇଛି। ତେଣୁ ଏହା ସରକାରଙ୍କ ଭଲ ନିଷ୍ପତ୍ତି।
ସୁବାସ ଚନ୍ଦ୍ର ମହାପାତ୍ର, ତାରିଣୀପଲ୍ଲୀ

ବାହାନଗା ସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ। ହେଲେ ରାଜ୍ୟ ସରକାର ସ୍କୁଲ ଭାଙ୍ଗି ୫-ଟିରେ ନୂତନ ବିଦ୍ୟାଳୟ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଛାତ୍ରଛାତ୍ରୀ ବିଶେଷ ଭାବେ ଉପକୃତ ହେବେ।
ନରସିଂହ ସାହୁ, ମସିହାଖାଲି

ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ଛଡ଼ା ଆଉ କିଛି ନୁହେଁ। ସ୍କୁଲରେ ମୃତଦେହ ରଖାଯାଇଥିଲା। ପିଲାମାନେ ଭୟ କରୁଥିବାରୁ ସ୍କୁଲ ଭଙ୍ଗା ଯାଇଛି। ନୂତନ ସ୍କୁଲ ନିର୍ମାଣ କରିବା ସ୍ବାଗତଯୋଗ୍ୟ।
ଡି. ପ୍ରକାଶ ରାଓ, ଚିକଲଖଣ୍ଡି

ବାହାନଗା ହାଇସ୍କୁଲ ଭାଙ୍ଗିବା ଅନ୍ଧବିଶ୍ବାସ ହେଲେ ମଧ୍ୟ ଏହା ସନ୍ଦେହ ଓ ଭୟର ବାତାବରଣ ସୃଷ୍ଟି କରିବ। ଫଳରେ ଶିକ୍ଷାଦାନ ପ୍ରକ୍ରିୟା ପ୍ରଭାବିତ ହେବ। ଏଣୁ ସେହି ସ୍ଥାନ ଓ ମାଟି ବର୍ଜନ କରି ଅନ୍ୟ ସ୍ଥାନରେ ସ୍କୁଲ ନିର୍ମାଣ କରିବା ଦିଗରେ ବିଚାର କରାଯାଉ।
ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, ପାରଳାଖେମୁଣ୍ଡି

ବାହନଗା ହାଇସ୍କୁଲ ଭାଙ୍ଗିବା ନିଶ୍ଚିତପକ୍ଷେ ଅନ୍ଧବିଶ୍ବାସ। ଏହା ପରିବର୍ତ୍ତେ ସ୍ଥାନୀୟ ବାସିନ୍ଦା ଓ ପ୍ରଶାସନ ମିଳିତ ଭାବେ ଆଲୋଚନା କରି ଏହାର ସମାଧାନ ବାହାର କରିଥଲେ ଭଲ ହୋଇଥାନ୍ତା।
ଦିଲ୍ଲୀପ ମହାପାତ୍ର, ସୁବଳୟା

ବାହାନଗା ହାଇସ୍କୁଲକୁ ଭାଙ୍ଗି ସରକାର ଅନ୍ଧବିଶ୍ବାସକୁ ପ୍ରଶୟ ‌ଦେଉଛନ୍ତି। ଏହା ପରିବର୍ତ୍ତେ ସ୍ଥାନୀୟ ଅଂଚଳବାସୀଙ୍କୁ ବୁଝାସୁଝା କରି ଅନ୍ଧବିଶ୍ବାସ ଦୂର କରିବାର ପ୍ରୟାସ କରିବା ଉଚିତ୍ ହୋଇଥାନ୍ତା। ତେବେ ଯେଉଁ ରାସ୍ତା, ଛକ, ଘର, ମେଡିକାଲରେ ବିଭିନ୍ନ କାରରରୁ ‌ଲୋକେ ପ୍ରାଣ ହରାଉଛନ୍ତି, ସେହିସବୁ ସ୍ଥାନକୁ କଣ ଭଙ୍ଗାଯାଇ ନୂଆ ପ୍ରସ୍ତୁତ ହେଉଛି କି?
ଏନ୍‌.ନୀଳମାଧବ ପାତ୍ର, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ