ଗତ ଦୁଇ ବର୍ଷ ଧରି କରୋନା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିଲା। ଅନ୍ଲାଇନ୍ରେ ଶିକ୍ଷାଦାନ ଚାଲିଥିଲେ ମଧ୍ୟ ସ୍କୁଲ୍ ପିଲାମାନେ ବ୍ୟବସ୍ଥିତ ଭାବେ ଶିକ୍ଷା ଗ୍ରହଣ କରିପାରୁନଥିଲେ। କରୋନା ସଂକ୍ରମଣ କମିବା ଯୋଗୁଁ ଦୁଇ ବର୍ଷ ପରେ ଏବେ ସ୍କୁଲ୍ ଖୋଲିଛି। ହେଲେ ଚଳିତ ଶିକ୍ଷାବର୍ଷର ସିଲାବସ୍ ଅନୁଯାୟୀ ପାଠପଢ଼ା ଶେଷ ହୋଇପାରିନି। ତେଣୁ ସରକାର ଦେଢ଼ ମାସ ହେଉଥିବା ଗ୍ରୀଷ୍ମ ଛୁଟିକୁ ବାତିଲ୍ କରି ପାଠ ପଢ଼ା ଜାରି ରଖିବେ ଏବଂ ଜୁନ୍ ମାସରେ ୧୦ ଦିନ ଛୁଟି କରିବେ ବୋଲି ଧାର୍ଯ୍ୟ କରିଛନ୍ତି। ହେଲେ ମଇ ମାସରେ ଖରାର ପ୍ରକୋପ ବଢ଼ୁଥିବାରୁ ଛୋଟ ପିଲାମାନେ ଏହାକୁ ସହ୍ୟ କରିପାରିବେ ନାହିଁ। ଏଥିସହ ଅଶୁଂଘାତ ହେବାର ଆଶଙ୍କା ରହିଥିବାରୁ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଆଣନ୍ତୁ ବୋଲି ଅଭିଭାବକ ଏବଂ ଶିକ୍ଷକମାନେ ନିବେଦନ କରିଛନ୍ତି। ଚଳିତଥର ‘ସମ୍ବାଦ’ ଫୋନ୍-ଇନ୍-ପ୍ଲିଜ୍ର ପ୍ରସଙ୍ଗ ‘ତାପମାତ୍ରା ବଢ଼ୁଥିବାବେଳେ ଜୁନ୍ ମାସରେ ଗ୍ରୀଷ୍ମ ଛୁଟି କେତେ ଯୁକ୍ତିଯୁକ୍ତ?’ରେ ଅଧିକାଂଶ ପାଠକ ଏଭଳି ମତ ଦେଇଛନ୍ତି।
ନେତା, ମନ୍ତ୍ରୀ ଓ ସଚିବମାନେ ଶୀତତାପ ନିୟନ୍ତ୍ରିତ କୋଠରିରେ ବସି ସ୍କୁଲ୍ ଛୁଟି କେମିତି ନିର୍ଦ୍ଧାରଣ କରିପାରୁଛନ୍ତି ଯେ ମଇ ମାସରେ ଶିକ୍ଷାଦାନ ହୋଇପାରିବ! ସେମାନେ ଥରେ ସାଧାରଣ ଲୋକଙ୍କ ଭଳି ବାହାରକୁ ଆସନ୍ତୁ ଆଉ ଗ୍ରୀଷ୍ମ ପ୍ରବାହକୁ ଅନୁଭବ କରନ୍ତୁ। ତେବେ ଯାଇ ଜାଣିପାରିବେ ଖରା ଯୋଗୁଁ ପିଲାଙ୍କର କେତେ କ୍ଷତି ହେବ। ଯେଉଁଭଳି ଗ୍ରୀଷ୍ମପ୍ରବାହ ଜାରି ରହିଛି ଯଦି ଅଶୁଂଘାତରେ କାହାର ପ୍ରାଣହାନୀ ଘଟେ, ସେଥିପାଇଁ କ’ଣ ସରକାରୀ ଦାୟୀ ହେବେ?
-ଅଶୋକ କୁମାର ଆଢ଼୍ୟ, ପୁରୀ, -ସଂଜୟ ସାହୁ, ଜଗତସିଂହପୁର
-ସନ୍ତୋଷ ବିଶ୍ବାଳ, ପୁରୀ, -ଅମିତ୍ ମହାପାତ୍ର, କନିଷ୍ଠ ଶିକ୍ଷକ, ଯାଜପୁର
ଏପ୍ରିଲ୍ରୁ ମଇ ଭିତରେ ପ୍ରଚଣ୍ଡ ଖରା ହୁଏ। ଜୁନ୍ ବେଳକୁ ମୌସୁମୀ ଆସିଯାଇଥିବା ହେତୁ ଖରା ସାମାନ୍ୟ କମିବା ସହ ସ୍ବଳ୍ପ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଥାଏ। ତେଣୁ ସରକାର ଜୁନ୍ ମାସ ପରିବର୍ତ୍ତେ ମଇ ମାସରେ ହିଁ ଛୁଟି ଘୋଷଣା କରନ୍ତୁ। ତେବେ ଯାଇ ପିଲା, ଶିକ୍ଷକ ଏବଂ ଅଭିଭାବକ ସମସ୍ତେ ସୁରକ୍ଷିତ ରହିବେ।
-ଦୀନନାଥ ଦାସ, ଲକ୍ଷ୍ମୀସାଗର, -ପ୍ରଫୁଲ୍ଲ ଦାସ, ବାଲିପାଟଣା, ଖୋର୍ଦ୍ଧା
-ଜଲିଲ୍ ଖାନ୍, ନୟାପଲ୍ଲୀ, ଭୁବନେଶ୍ବର, -ନୀଳମଣି ମିଶ୍ର, ସୁନ୍ଦରପଦା
-ଶ୍ରୀଧର ବଳିୟାରସିଂ, ବରମୁଣ୍ଡା, -ବୁଲୁ ପଟ୍ଟନାୟକ, ରସୁଲଗଡ଼
ସକାଳ ୮ଟା ବେଳର ଖରାରେ ବଡ଼ ଲୋକମାନେ ଅସ୍ତବ୍ୟସ୍ତ ହୋଇଯାଉଛନ୍ତି। ଛୋଟ ଛୁଆମାନେ ୯ଟା ବେଳେ ସ୍କୁଲ୍ ଛୁଟି ହେଲେ କେମିତି ଆସିବେ। ଏପରିସ୍ଥଳେ ପାଠ କ’ଣ ପଢ଼ିବେ? ବରଂ ଅଶୁଂଘାତରେ ଜୀବନ ଯିବ। ତେଣୁ ରାଜ୍ୟ ସରକାରଙ୍କୁ ଅନୁରୋଧ ତୁରନ୍ତ ଛୁଟି ଘୋଷଣା କରନ୍ତୁ।
-ଜ୍ୟୋତିର୍ମୟୀ ମହାନ୍ତି, ଚନ୍ଦ୍ରଶେଖରପୁର
ସରକାରଙ୍କ ନିଷ୍ପତ୍ତି ଠିକ୍। କରୋନା ଯୋଗୁଁ ପିଲାଙ୍କ ପାଠ ପଢ଼ା ବହୁତ ପଛେଇ ଯାଇଛି। ତେଣୁ ଏ ସମୟରେ ହିଁ ପିଲାଙ୍କୁ ପାଠ ପଢ଼ାଇ ତାର ପରିଶୋଧ କରିହେବ। ତେଣୁ ଅଭିଭାବକମାନେ ଏହାକୁ ସମର୍ଥନ କରନ୍ତୁ। ନଚେତ ପରୋକ୍ଷରେ ସେମାନଙ୍କର ହିଁ କ୍ଷତି ହେବ।
-ଭାଗିରଥୀ ଦାଶ, ଅବସରପ୍ରାପ୍ତ ଶିକ୍ଷକ, ସତ୍ୟବିହାର
ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବଢ଼ିବାରେ ଲାଗିଛି। ଗତକାଲି ରାଜଧାନୀ ତତଲା ତାଉଆରେ ଭାଜି ହେବା ଭଳି ଖବର ବିଭିନ୍ନ ଗଣମାଧ୍ୟମରେ ପରିବେଷଣ ହେଉଥିଲା। ସରକାର କ’ଣ ଏହା ଦେଖି ପାରୁନାହାନ୍ତି। ସରକାରଙ୍କୁ ଅନୁରୋଧ ତୁରନ୍ତ ସ୍କୁଲ୍, କଲେଜ ବନ୍ଦ କରନ୍ତୁ। ନଚେତ୍ ପ୍ରତିଟି ଅଶୁଂଘାତଜନିତ ମୃତ୍ୟୁ ପାଇଁ ସରକାର ଦାୟୀ ହେବେ।
-ଅରୁଣ ରଥ, ରାଜାରାଣୀ କଲୋନି
ସରକାର ପ୍ରାଥମିକ ସ୍କୁଲ୍ ବନ୍ଦ କରିଦିଅନ୍ତୁ। ନଚେତ ଛୋଟ ପିଲା ଖରା ସହିନପାରି ଅଶୁଂଘାତର ଶିକାର ହେବେ। ବରଂ ପଞ୍ଚମରୁ ଦଶମ ପର୍ଯ୍ୟନ୍ତ ଖୋଲା ରଖନ୍ତୁ। ସେମାନେ ବଡ଼ ପିଲା, ସେମାନେ ନିଜର ଯତ୍ନ ନିଜେ ନେଇପାରିବେ।
-ବନମାଳି ମହାନ୍ତି, ଖୋର୍ଦ୍ଧା
ସରକାରଙ୍କ ଏଭଳି ନିଷ୍ପତ୍ତିକୁ ମୁଁ ଦୃଢ଼ ବିରୋଧ କରୁଛି। ଯେଉଁଠି ଏପ୍ରିଲ୍ ମାସରେ ୪୧ଡିଗ୍ରି ଖରା ହୋଇ ଲୋକମାନେ ଅଣନିଃଶ୍ବାସୀ ହୋଇଗଲେଣି। ସେଠି ମଇ ମାସରେ ଅବସ୍ଥା ସାଂଘାତିକ ହୋଇଯିବ। ପିଲା ପାଠ ପଢ଼ିବା ପରିବର୍ତ୍ତେ ମୃତ୍ୟୁ ମୁଖରେ ପଡ଼ିବେ। ସରକାର ଏହା ଉପରେ ପୁନର୍ବିଚାର କରନ୍ତୁ।
-ବୀରେନ୍ଦ୍ରଭୂଷଣ ହୋତା, ପୁରୀ
ଦିନକୁ ଦିନ ତାପମାତ୍ରାରେ ଅହେତୁକ ବୃଦ୍ଧି ପରିଲିକ୍ଷିତ ହେଉଛି। ଆଗାମୀ ଦିନରେ ୪୫ଡିଗ୍ରିରୁ ଅଧିକ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଅନ୍ୟପଟେ କରୋନାର ଚତୁର୍ଥ ଲହର ଆସିବାର ଆଶଙ୍କା ପ୍ରକାଶ ପାଇଲାଣି। ସେ ଦୃଷ୍ଟିରୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯାଉ।
-ଛାୟାକାନ୍ତ ନାୟକ, ବାଲିଘାଟ, ପୁରୀ
ଏଭଳି ତାପମାତ୍ରା ବୃଦ୍ଧି ସମୟରେ ପୂର୍ବପରି ଅନ୍ଲାଇନ୍ କିମ୍ବା ଦୂରଦର୍ଶନ ମାଧ୍ୟମରେ ପାଠ ପଢ଼ା ଯାଉ। କାରଣ ପିଲାମାନେ ସ୍କୁଲ୍କୁ ସାଇକେଲ ନେଇ ଯାଉଛନ୍ତି। ଏତେ ଖରାରେ ରାସ୍ତାରେ ଯଦି କିଛି ଅଘଟଣ ଘଟେ ସେଥିପାଇଁ ଦାୟୀ କିଏ ହେବ? ଗୋଟିଏ ମାସରେ ଗୋଟିଏ ବର୍ଷର ପାଠ ପଢ଼ା ହୋଇଯିବନି। ତେଣୁ ସରକାର ଏ ନିଷ୍ପତ୍ତିରେ ପରିବର୍ତ୍ତନ ଆଣନ୍ତୁ।
-ସତ୍ୟନାରାୟଣ ସାହୁ, ମଙ୍ଗଳପୁର, ପୁରୀ
କରୋନାରେ କ୍ଷତି ହୋଇଥିବା ପାଠ ପଢ଼ାକୁ ସରକାର ଏବେ ଶେଷ କରିବାକୁ ଚାହୁଁଛନ୍ତି। ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ହେଲେ ଏଭଳି ଖରା ସମୟରେ ନକରି ପରବର୍ତ୍ତୀ କାଳରେ ସ୍କୁଲ୍ ସମୟ ବାଦ୍ ଛୁଟି ଦିନରେ ପାଠ ପଢ଼ାଇ ଏହା ଭରଣା କରାଯାଇ ପାରିବ। ଏ ଦିଗରେ ନିଷ୍ପତ୍ତି ନେବା ପାଇଁ ସରକାରଙ୍କୁ ଅନୁରୋଧ।
-ଭବେଶ କୁମାର ସାହୁ, କନିଷ୍ଠ ଶିକ୍ଷକ, କଳାହାଣ୍ଡି
ସକାଳ୬ଟା ରୁ ସକାଳ୯ଟା ପର୍ଯ୍ୟନ୍ତ ୩୧ ଡିଗ୍ରି ତାପମାତ୍ରା ରହୁଛି। ଯାହା ପିଲାଙ୍କ ଦେହ ପ୍ରତି କୌଣସି କ୍ଷତି ପହଞ୍ଚାଇବନି। କରୋନା କାଳରେ ସ୍କୁଲ୍ ପିଲାଙ୍କ ଶିକ୍ଷାକୁ ବହୁତ ଅବହେଳା କରାଯାଇଛି। ତେଣୁ ଏବେ ଖରାର ଆଳ ଦେଖାଇ ସ୍କୁଲ୍ ବନ୍ଦ କରନ୍ତୁ ନାହିଁ।
-ଆହ୍ବାନ ପାଇକରାୟ, ୟୁନିଟ୍-୩, ଭୁବନେଶ୍ବର
-ସାର୍ଥକ ମହାନ୍ତି, ଭୁବନେଶ୍ୱର, -ଶେଖ୍ ୟାକୁବ, ଗୋପ, ପୁରୀ
ଗ୍ରୀଷ୍ମପ୍ରବାହ ଯୋଗୁଁ ଖରା ଏତେ ମାତ୍ରାରେ ହେଉଛି ଯେ, ଘର ଭିତରେ ପଙ୍ଖା ବ୍ୟବହାର କଲେ ମଧ୍ୟ ଅସ୍ତବ୍ୟସ୍ତ ଲାଗୁଛି। ଏ ସମୟରେ ସ୍କୁଲ୍ରେ ସୀମିତ ପଙ୍ଖାରେ ଏତେ ସଂଖ୍ୟକ ପିଲା ବସି ପଢ଼ିବାବେଳେ ଗରମ ଯୋଗୁଁ ସେମାନେ ପାଠରେ ମନୋନିବେଶ କରିପାରିବେ ନାହିଁ।
-ପ୍ରଭୁଦତ୍ତ ଦାସ , -ୟାସ୍ମିନ ବେଗମ୍
ଓଡ଼ିଶାର ଏକାଧିକ ଜିଲ୍ଳାର ତାପମାତ୍ରା ୪୦ ଡିଗ୍ରି ଉପରେ। ଆଗକୁ ମଇ ମାସରେ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି। ତେଣୁ ସରକାର ତୁରନ୍ତ ଛୁଟି ଘୋଷଣା କରନ୍ତୁ। ନଚେତ ରାଜ୍ୟରେ ଅଶୁଂଘାତଜନିତ ସମସ୍ୟା ଉତ୍କଟ ରୂପ ଧାରଣ କରିବ।
-ନଗେନ୍ଦ୍ରନାଥ ମିଶ୍ର, ସାମନ୍ତରାପୁର, -ସୁରଞ୍ଜନ ରାଉତ, ଯାଜପୁର
ଏପ୍ରିଲ୍ ମାସ ମଧ୍ୟଭାଗରୁ କ୍ରମାଗତ ଭାବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତାପାମାତ୍ରା ବୃଦ୍ଧି ଘଟୁଛି। ଯାହାକୁ ସାଧାରଣ ଲୋକମାନେ ମଧ୍ୟ ସହ୍ୟ କରିପାରୁ ନାହାନ୍ତି। ଏପରିସ୍ଥଳେ ଛୋଟ ଛୋଟ ପିଲା କେମିତି ସହ୍ୟ କରିବେ। ତେଣୁ ସରକାର ଏଭଳି କଦର୍ଯ୍ୟ ପଦକ୍ଷେପ ନେଇ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କୁ ବିପଦରୁ ବଞ୍ଚାନ୍ତୁ।
-ଦେବାଶିଷ ସାହୁ,ଏକାମ୍ର କଲେଜ୍ , -ଅକ୍ଷୟ କୁମାର ନାୟକ, ପୁରୀ
ବର୍ତ୍ତମାନ ସମୟରେ ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି ଯାହାଦ୍ୱାରା ଜନଜୀବନ ପ୍ରଭାବିତ ହେବା ସହ ଶିକ୍ଷା ଉପରେ ମଧ୍ୟ ପ୍ରଭାବ ପଡୁଛି l ଏପରି ସମୟରେ ସରକାର ଆସନ୍ତା ଜୁନ୍ ମାସରୁ ଛୁଟି ଘୋଷଣା କରିଛନ୍ତି ମାତ୍ର ବର୍ତ୍ତମାନ ସ୍ଥିତି ସଂଗୀନ ହେଲାଣି। ପିଲାମାନଙ୍କ ସ୍ଵାସ୍ଥ୍ୟ ପ୍ରଭାବିତ ହେବାର ସମ୍ଭାବନା ଦେଖାଯାଉଛି l ଜୁନ୍ ମାସରେ ତାପମାତ୍ରା ବି ସେତେ ଅଧିକ ନଥାଏ ଏଣୁ ସରକାର ଏବେଠୁ ସୁଚିନ୍ତିତ ପଦକ୍ଷେପ ଆପଣେଇ ନିଷ୍ପତିରେ ପରିବର୍ତ୍ତନ କରନ୍ତୁ।
-ସୁଧାକର ଦାସ, ଖୋର୍ଦ୍ଧା, -ପ୍ରଭଞ୍ଜନ ବଳିଆର ସିଂହ, ପୁରୀ
-ଶାନ୍ତନୁ କୁମାର ସାହୁ
ପ୍ରତ୍ୟେକ ବର୍ଷ ମଇ ପ୍ରଥମ ସପ୍ତାହରୁ ଛୁଟି ହୋଇ ଜୁନ୍ ଦ୍ବିତୀୟ ସପ୍ତାହରେ ସ୍କୁଲ୍ ଖୋଲା ଯାଇଥାଏ। ଦୀର୍ଘ ଦେଢ଼ ମାସ ଧରି ପ୍ରଚଣ୍ଡ ଖରା ହେଉଥିବାରୁ ବହୁ ପୂର୍ବରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଏବେ ସରକାର ଏଥିରେ ପରିବର୍ତ୍ତନ କରିବାର କାରଣ ବହୁ ଶିକ୍ଷାବିତ୍ ଗ୍ରହଣ କରିପାରୁ ନାହାନ୍ତି। ଶିକ୍ଷା ଯେତିକି ଗୁରୁତ୍ବପୂର୍ଣ୍ଣ ସ୍ବାସ୍ଥ୍ୟ ମଧ୍ୟ ସେତିକି। ତେଣୁ ସରକାର ଏ ନିଷ୍ପତ୍ତିରେ ତୁରନ୍ତ ପରିବର୍ତ୍ତନ ଆଣନ୍ତୁ।
-ଶଶିଭୂଷଣ ମହାନ୍ତି, ଭୁବନେଶ୍ବର, -ଆଲୋକ କୁମାର ସାହୁ, ଲକ୍ଷ୍ମୀସାଗର