ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବେ ବିଫଳ। ନଚେତ୍ ଏତେ ଦିନ ଧରି ଗୋଟିଏ ରାଜ୍ୟରେ ଅସ୍ଥିରତା ଲାଗି ରୁହନ୍ତା ନାହିଁ। ରାଜ୍ୟ ସରକାରଙ୍କ ସହ ଉଚିତ ବୁଝାମଣା କରି କେନ୍ଦ୍ର ଗୃହ ବିଭାଗ ଏ ଦିଗରେ ଦୃଢ଼ ପଦକ୍ଷେପ ନେଲେ, ନିଶ୍ଚିତ ଭାବେ ହିଂସା ଉପରେ ରୋକ୍ ଲଗାଯାଇପାରନ୍ତା। ଏବେ ସେଠାକାର ସ୍ଥିତି ଯାହା ରାଷ୍ଟ୍ରପତି ଶାସନ ଲାଗୁ ହେବା କଥା। କିନ୍ତୁ ତାହା କରାଯାଉନାହିଁ। ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ବିଜେପି ସରକାର ଏଥିରେ ଜାଣିଶୁଣି ହସ୍ତକ୍ଷେପ କରିବାକୁ ଚାହୁନାହିଁ। ଫଳରେ ହିଂସା ବଢ଼ୁଛି। ଅକାରଣରେ ଗୁଡ଼ାଏ ଧନଜୀବନ ନଷ୍ଟ ହେଉଛି। ଚଳିତଥରର ସମ୍ବାଦ ଫୋନ୍-ଇନ୍-ପ୍ଲିଜ୍ର ପ୍ରସଙ୍ଗ ‘ମଣିପୁର ହିଂସା ରୋକିବାରେ କେନ୍ଦ୍ର ବିଫଳ’ରେ ଭାଗ ନେଇଥିବା ଜୟପୁର ଅଞ୍ଚଳର ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।
ମଣିପୁରର ମୁଖ୍ୟମନ୍ତ୍ରୀ ଜଣେ ଭଦ୍ର ଓ ସରଳ ବ୍ୟକ୍ତିତ୍ବ ଭାବେ ପରିଚିତ। ମଣିପୁର ମଧ୍ୟ ଏକ ଶାନ୍ତିପ୍ରିୟ ରାଜ୍ୟ। କେବଳ ମଣିପୁର ନୁହେଁ ସମଗ୍ର ଭାରତରେ ଯେଉଁଠି ଏମିତି ହିଂସା ମୁଣ୍ଡ ଟେକୁଛି, ସେଠାରେ ବିଭାଜନକାରୀ ଶକ୍ତିଙ୍କ ଭୂମିକା ରହିଥାଏ। ଏମାନେ ସାମ୍ପ୍ରଦାୟିକତା କିମ୍ବା ଆଞ୍ଚଳିକତାବାଦ ନାଁରେ ଦେଶର ଅଖଣ୍ଡତାକୁ ନଷ୍ଟ କରିବାକୁ ପ୍ରୟାସ କରନ୍ତି। ଏହି ବିନାଶକାରୀ ଶକ୍ତିକୁ ଦମନ କରିବାରେ ସରକାର ସବୁବେଳେ ସତର୍କତା ଅବଲମ୍ବନ କରନ୍ତି। ତେଣୁ ଏହାକୁ ସରକାରଙ୍କ ବିଫଳତା କୁହାଯାଇପାରିବନି।
-ଡ. ପ୍ରଦୀପ କୁମାର ମିଶ୍ର, ଉମରକୋଟ, ନବରଙ୍ଗପୁର
ମଣିପୁର ହିଂସା ପାଇଁ ଅନେକ ଲୋକ ବାସହରା ସହ ବହୁ ଲୋକଙ୍କ ଜୀବନହାନି ହେବା ନିହାତି ଭାବେ ଉଦ୍ବେଗର ବିଷୟ। ଶାନ୍ତି ଫେରାଇ ଆଣିବାରେ ରାଜ୍ୟ ସରକାର ବିଫଳ। କିନ୍ତୁ ମଣିପୁର ହିଂସା ରୋକିବାରେ କେନ୍ଦ୍ର ବିଫଳ କହିବା ଅନୁଚିତ।
-ମାମାଲି ଦାସ, ଜୟପୁର
ମଣିପୁରରେ ହିଂସା ଥମୁନି। ଦୁଇ ଜାତି ମଧ୍ୟରେ ହୋଇଥିବା ବିବାଦରୁ ଆରମ୍ଭ ହୋଇଥିବା ହିଂସା ଏବେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବେଳେ ହିଂସାରେ ଶତାଧିକ ଲୋକ ଜୀବନ ହରାଇବା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। କିନ୍ତୁ ଏହାକୁ ରୋକିବାରେ କେନ୍ଦ୍ର ବିଫଳ ବୋଲି କହିବା ରାଜନୀତି ଭଳି ମନେ ହୁଏ।
-ବିକ୍ରମ ହରିଜନ, ଉମରକୋଟ, ନବରଙ୍ଗପୁର
ମଣିପୁର ହିଂସା ରୋକିବାକୁ ବିପୁଳ ସଂଖ୍ୟାରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଥିଲେ ସୁଦ୍ଧା ହିଂସା ରୋକାଯାଇ ପାରୁନି। କାରଣ ହିଂସା କରୁଥିବା ସାଧାରଣ ନାଗରିକଙ୍କୁ ମାଓବାଦୀ କିମ୍ବା ଆତଙ୍କବାଦୀଙ୍କ ଭଳି ଦମନ କରାଯିବା ସମ୍ଭବ ନୁହେଁ। ତେଣୁ ଏଭଳି ଅପ୍ରୀତିକର ସ୍ଥିତିରେ ରାଜ୍ୟ କିମ୍ବା କେନ୍ଦ୍ର ସାରକାରଙ୍କୁ ଦାୟୀ କରିବା ଅନୁଚିତ।
-ମଞ୍ଜୁତାଞ୍ଜଳି ସ୍ବାଇଁ, ସୁନାବେଡ଼ା, କୋରାପୁଟ
ମଣିପୁର ଭଳି ହିଂସାରେ ଜନସାଧାରଣ ବଳି ପଡ଼ୁଥିବା ବେଳେ ପ୍ରକୃତରେ ଏଭଳି ହିଂସାର ନିଆଁରେ ଘିଅ ଢାଳନ୍ତି ବିରୋଧୀ ଦଳ ନେତା। ତେଣୁ ଏଭଳି ହିଂସା ପାଇଁ କୌଣସି ସରକାର ଦାୟୀ ବୋଲି ମୁଁ ଅନୁଭବ କରୁନାହିଁ।
-ଅଳକା ସାହୁ, ରାୟଗଡ଼ା
ମଣିପୁର ହିଂସା ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିବା ଉଚିତ ହେବ ନାହିଁ। ଭାରତ ଭଳି ବିରାଟ ଗଣତନ୍ତ୍ରରେ ସାମ୍ପ୍ରଦାୟିକତା, ଆଞ୍ଚଳିକତାବାଦ ନାଁରେ ହିଂସାକୁ ରୋକିବା ଦାୟିତ୍ବ କେବଳ ସରକାରଙ୍କ ନୁହେଁ। ବରଂ ପ୍ରତ୍ୟେକ ନାଗରିକର ଏହା କର୍ତ୍ତବ୍ୟ।
-ମୃତ୍ୟୁଞ୍ଜୟ ସେଠୀ, କୋରକୁଣ୍ଡା, ମାଲକାନଗିରି