ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବେ ବିଫଳ। ନଚେତ୍ ଏତେ ଦିନ ଧରି ଗୋଟିଏ ରାଜ୍ୟରେ ଅସ୍ଥିରତା ଲାଗି ରୁହନ୍ତା ନାହିଁ। ରାଜ୍ୟ ସରକାରଙ୍କ ସହ ଉଚିତ ବୁଝାମଣା କରି କେନ୍ଦ୍ର ଗୃହ ବିଭାଗ ଏ ଦିଗରେ ଦୃଢ଼ ପଦକ୍ଷେପ ନେଲେ, ନିଶ୍ଚିତ ଭାବେ ହିଂସା ଉପରେ ରୋକ୍ ଲଗାଯାଇପାରନ୍ତା। ଏବେ ସେଠାକାର ସ୍ଥିତି ଯାହା ରାଷ୍ଟ୍ରପତି ଶାସନ ଲାଗୁ ହେବା କଥା। କିନ୍ତୁ ତାହା କରାଯାଉନାହିଁ। ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ବିଜେପି ସରକାର ଏଥିରେ ଜାଣିଶୁଣି ହସ୍ତକ୍ଷେପ କରିବାକୁ ଚାହୁନାହିଁ। ଫଳରେ ହିଂସା ବଢ଼ୁଛି। ଅକାରଣରେ ଗୁଡ଼ାଏ ଧନଜୀବନ ନଷ୍ଟ ହେଉଛି। ଚଳିତଥରର ସମ୍ବାଦ ଫୋନ୍-ଇନ୍-ପ୍ଲିଜ୍ର ପ୍ରସଙ୍ଗ ‘ମଣିପୁର ହିଂସା ରୋକିବାରେ କେନ୍ଦ୍ର ବିଫଳ’ରେ ଭାଗ ନେଇଥିବା ଯାଜପୁର ଅଞ୍ଚଳର ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।
ମଣିପୁରରେ ହିଂସା ନିୟନ୍ତ୍ରଣକୁ ନ ଆସିବା ଦୁଃଖର ବିଷୟ। ବିଶୃଙ୍ଖଳା ହେବା ପୂର୍ବରୁ ସରକାର ଏ ଦିଗରେ ପଦକ୍ଷେପ ନେବାର ଥିଲା। ବୈଦେଶିକ ଶକ୍ତି ଦ୍ବାରା ଦେଶରେ ବିଶୃଙ୍ଖଳା ସୃଷ୍ଟି କରାଯାଉଛି।
-ସରୋଜ ରଂଜନ ଦାଶ, ଯାଜପୁର
ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ହିଂସାକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଉନି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନିରବ ରହୁଛନ୍ତି। ସର୍ବଦଳୀୟ ବୈଠକ ନୂଆଦିଲ୍ଲୀରେ ନ ହୋଇ ମଣିପୁରରେ ହୋଇଥିଲେ ଭଲ ହୋଇଥାନ୍ତା।
-ବୁଲୁ ପଟ୍ଟନାୟକ, ଘସିପୁରା, କେନ୍ଦୁଝର
ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇନାହାନ୍ତି। ଗତ ୩ ତାରିଖ ହିଂସା ଯୋଗୁଁ ୧୧୮ଜଣଙ୍କ ପ୍ରାଣହାନି ଘଟିଥିଲା। ଏତେ ଶୀଘ୍ର ପରିସ୍ଥିତି ଶାନ୍ତ ପଡ଼ିବା ସହଜ କଥା ନୁହେଁ। କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଦ୍ୟମରେ ରାଜ୍ୟରେ ଶାନ୍ତି ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି।
-ଚନ୍ଦ୍ରମଣି ସାମଲ, ବ୍ୟାସନଗର
ମଣିପୁର ହିଂସାକୁ ରୋକିବାରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ସରକାର ଏହି ପ୍ରସଙ୍ଗରେ ନିରବ ରହୁଥିବାରୁ ପରିସ୍ଥିତିରେ ସୁଧାର ଆସିପାରୁ ନାହିଁ।
-ଅର୍ଜୁନ ଚରଣ ସାମଲ, କୁଳହରିପୁର, ଯାଜପୁର
ମଣିପୁର ହିଂସା ପାଇଁ ସେଠାକାର ରାଜ୍ୟ ସରକାର ଦାୟୀ। ମଣିପୁର ସରକାର ଏ ଦିଗରେ ଦୃଷ୍ଟି ଦେଉନଥିବାରୁ ହିଂସା ଥମୁନି।
-ଦେବାଶିଷ ସିଅ, ସାମନ୍ତରାପୁର, ରସୁଲପୁର
ମଣିପୁର ହିଂସା ପଛରେ କଂଗ୍ରେସର ହାତ ରହିଛି। କଂଗ୍ରେସ ଉସ୍କେଇ ଏଭଳି କାମ କରୁଛି।
-ପ୍ରଭାତ ନାୟକ, ଯାଜପୁରରୋଡ
ମଣିପୁର ହିଂସା ରୋକିବାରେ କେନ୍ଦ୍ର ବିଫଳ ହୋଇଛି। କେନ୍ଦ୍ର ସରକାର ଚାହିଁଥିଲେ ମଣିପୁର ଭଳି ଏକ ଛୋଟ ରାଜ୍ୟରେ ହିଂସାକୁ ରୋକାଯାଇ ପାରିଥାନ୍ତା।
-ଭାଗୀରଥି ଦାଶ, ପାଣିକୋଇଲି, ଯାଜପୁର