ମଣିପୁର ହିଂସା ରୋକିବାରେ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବେ ବିଫଳ। ନଚେତ୍‌ ଏତେ ଦିନ ଧରି ଗୋଟିଏ ରାଜ୍ୟରେ ଅସ୍ଥିରତା ଲାଗି ରୁହନ୍ତା ନାହିଁ। ରାଜ୍ୟ ସରକାରଙ୍କ ସହ ଉଚିତ ବୁଝାମଣା କରି କେନ୍ଦ୍ର ଗୃହ ବିଭାଗ ଏ ଦିଗରେ ଦୃଢ଼ ପଦକ୍ଷେପ ନେଲେ, ନିଶ୍ଚିତ ଭାବେ ହିଂସା ଉପରେ ରୋକ୍ ଲଗାଯାଇପାରନ୍ତା। ଏବେ ସେଠାକାର ସ୍ଥିତି ଯାହା ରାଷ୍ଟ୍ରପତି ଶାସନ ଲାଗୁ ହେବା କଥା। କିନ୍ତୁ ତାହା କରାଯାଉନାହିଁ। ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ବିଜେପି ସରକାର ଏଥିରେ ଜାଣିଶୁଣି ହସ୍ତକ୍ଷେପ କରିବାକୁ ଚାହୁନାହିଁ। ଫଳରେ ହିଂସା ବଢ଼ୁଛି। ଅକାରଣରେ ଗୁଡ଼ାଏ ଧନଜୀବନ ନଷ୍ଟ ହେଉଛି। ଚଳିତଥରର ସମ୍ବାଦ ଫୋନ୍‌-ଇନ୍‌-ପ୍ଲିଜ୍‌ର ପ୍ରସଙ୍ଗ ‘ମଣିପୁର ହିଂସା ରୋକିବାରେ କେନ୍ଦ୍ର ବିଫଳ’‌ରେ ଭାଗ ନେଇଥିବା ସମ୍ବଲପୁର ଅଞ୍ଚଳର ଅଧିକାଂଶ ପାଠକ ଏପରି ମତ ଦେଇଛନ୍ତି।

Advertisment

ପ୍ରଥମରୁ ଏଥିପ୍ରତି ପଦକ୍ଷେପ ନେବା କଥା। ହେଲେ ତାହା କରାଯାଇ ନାହିଁ। ଯଦ୍ବାରା ସରକାର ଏହି ହିଂସା ବନ୍ଦ କରିବାରେ ବିଫଳ ହେଉଥିବା ଜଣାଯାଉଛି।
-ମହାଙ୍କୁଡ଼ ଆଚାର୍ଯ୍ୟ, ଭବାନୀପାଟଣା, କଳାହାଣ୍ଡି

ଏଠାରେ ଆଇନକୁ କଡ଼ାକଡ଼ି କରାଯିବା କଥା। ଏଭଳି ହେଲେ କିଛି ସୁଧାର ହୋଇପାରନ୍ତା।
-ସୁଦାମ ସାହୁ, କନ୍ଦାଗାଡ଼, ସୁବର୍ଣ୍ଣପୁର

ବର୍ତ୍ତମାନ ଦେଶରେ ଆଇନକାନୁନ ବ୍ୟବସ୍ଥାକୁ କେହି ମାନୁନାହାନ୍ତି। ସେଥିପାଇଁ ଏଭଳି ଘଟଣା ଘଟୁଛି।
-ଜୟଭଗବାନ ଜୈନ, କେସିଙ୍ଗା, କଳାହାଣ୍ଡି

ପାଖାପାଖି ମାସେ ହେଲା ହିଂସା ଲାଗି ରହିଛି। ତୁରନ୍ତ ଏଥିପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେଇ ପଦକ୍ଷେପ ନେବା କଥା।
-ଉଗ୍ରସେନ ପଟେଲ, ଟାଙ୍ଗୁରୁପଦର, ବଲାଙ୍ଗୀର

ମଣିପୁର ହିଂସା ରୋକିବାରେ କେନ୍ଦ୍ର ବିଫଳ ହୋଇଛି। ଅନ୍ୟପକ୍ଷରେ ଆମେ ସଫଳ ହୋଇଛୁ ବୋଲି ମିଛ ବାହାସ୍ପୋଟ ମାରୁଛନ୍ତି।
-ରାମଦୟାଲ ପଣ୍ଡା, ସରବାହାଲ, ଝାରସୁଗୁଡ଼ା

ବର୍ତ୍ତମାନର ସରକାର ହିଂସା ରୋକିବା ଦିଗରେ ଦୃଷ୍ଟି ନଦେଇ କିଭଳି ରାଜନୀତିରେ ମାଇଲେଜ୍ ନେଇପାରିବେ ସେଥିପ୍ରତି ବେଶି ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ହିଂସା ରୋକିବାରେ ସଫଳ ହୋଇପାରୁ ନାହାନ୍ତି।
-ସତ୍ୟ ମିଶ୍ର, ଭଟଲି, ବରଗଡ଼