ଚକୋଲେଟ୍‌ ଜରିରେ ଜଗନ୍ନାଥଙ୍କ ଫଟୋ, ବିରୋଧ ପରେ ବଜାରରୁ ଅପସାରଣ କଲା କମ୍ପାନି

ଭୁବନେଶ୍ବର : ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ର ଚକୋଲୋଟ ଖୋଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ। ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ପ୍ରଚାର ପ୍ରୟାସରେ ଏଭଳି ବ୍ୟବସ୍ଥା କରି ଫସି ଯାଇଛି ଚକୋଲେଟ୍‌ ପ୍ରସ୍ତୁତିକାରୀ ସଂସ୍ଥା। ଏଣେତେଣେ ଫିଙ୍ଗା ଯାଇଥିବା ‌ଚକୋଲେଟ୍‌ ଖୋଳ ଉପରେ ଲୋକମାନେ ଚଢ଼ିବା ଓ ନାଳନର୍ଦ୍ଦମାରେ ପଡ଼ିବା ପରେ ଘୋର ବିରୋଧ ହୋଇଛି। ଶହଶହ ଶ୍ରୀଜଗନ୍ନାଥ ତଥା ଓଡ଼ିଆ ସଂସ୍କୃତିପ୍ରେମୀ ସଂସ୍ଥାକୁ ଅଭିଯୋଗ କରିବା ପରେ ଏହି ଉତ୍ପାଦକୁ ବଜାରରୁ ଅପସାରଣ କରାଯାଇଛି। ଏଥିପାଇଁ ସଂସ୍ଥା ଟ୍ବିଟ୍‌ ଜରିଆରେ କ୍ଷମାପ୍ରାର୍ଥନା ମଧ୍ୟ କରିଛି।

ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ ମାସରେ ଚକୋଲେଟ୍‌ ‘ଟ୍ରାଭେଲ୍ସ ବ୍ରେକ୍‌’ ନାମରେ ଏକ ନୂଆ ଖୋଳରେ ଆସିଥିଲା। ଏଥିରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଫଟୋ ରହିଥିଲା। ଫଟୋ ତଳକୁ ଏକାମ୍ର ହାଟରେ ଥିବା ହସ୍ତତନ୍ତ ଉତ୍ପାଦକୁ ପ୍ରଶଂସା କରାଯାଇଥିଲା। ବେଶ୍‌ କିଛି ଦିନ ଧରି ଏହି ଉତ୍ପାଦ ବିକ୍ରି ହୋଇଥିଲା। ଭଲ ବିକ୍ରି ହେଉଥିବାରୁ ସଂସ୍ଥା ଅଧିକରୁ ଅଧିକ ଉତ୍ପାଦନ କରିଥିଲା। ତେବେ ଏହାର ଖୋଳ ଏଣେତେଣେ ପଡ଼ିବାରୁ ଚର୍ଚ୍ଚାକୁ ଆସିଥିଲା। ଏହାକୁ ଅନେକ ବିରୋଧ କରିଥିଲେ। ତୁରନ୍ତ ମହାପ୍ରଭୁଙ୍କ ଫଟୋକୁ ଖୋଳରୁ ହଟାଇବା ପାଇଁ ଟ୍ବିଟ୍‌ ଜରିଆରେ ଦାବି କରିଥିଲେ। ଦାବିକୁ ଗୁରୁତ୍ବର ସହ ନେଇ କମ୍ପାନି ଏହି ଉତ୍ପାଦକୁ ବଜାରରୁ ଅପସାରଣ କରିଛି।

ଦେଶ ଓ ବିଦେଶରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏଭଳି ଏକ ପ୍ରୟାସ କରାଯାଇଥିଲା। ଯଦି ଏଥିରେ କାହାର ଭାବାବେଗ ଆଘାତପ୍ରାପ୍ତ ହୋଇଛି ସେଥିପାଇଁ ସଂସ୍ଥା ଦୁଃଖିତ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏହି ଉତ୍ପାଦକୁ ବଜାରରୁ ଅପସାରଣ କରାଯାଉଛି ବୋଲି କମ୍ପାନି ପକ୍ଷରୁ ଟ୍ବିଟ୍‌ କରାଯାଇଛି। ଆହୁରି ମଧ୍ୟ ଲେଖାଯାଇଛି କି ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରୟାସକୁ ପ୍ରଶଂସା କରାଯାଇଥିଲା। ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଅର୍ବାନ ହାଟରେ ହୋଇଥିବା ପ୍ରୟାସକୁ କମ୍ପାନି ରୢାପରରେ ସ୍ଥାନ ଦେବା ସ୍ବାଗତଯୋଗ୍ୟ ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର