ପୁରୀ : ଶକ୍ତି ଓ କ୍ଷୁଦ୍ର ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ମହାପ୍ରଭୁଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି। ଶ୍ରୀଜଗନ୍ନାଥ ପ୍ରେମୀ ଏହାର ଦୃଢ ପ୍ରତିବାଦ ଜଣାଇଥିବା ବେଳେ ପୁରୀ ଶ୍ରୀଜଗନ୍ନାଥ ସେନା ଏଭଳି ମନ୍ତବ୍ୟକୁ ନିନ୍ଦା କରିଛି। ପ୍ରତିବାଦରେ ଶନିବାର ଦିନ କଚେରୀ ଛକରେ ମନ୍ତ୍ରୀ ଶ୍ରୀ ଦେବଙ୍କ ଫଟୋ ଓ ବ୍ୟାନର ପୋଡ଼ିଛି ଶ୍ରୀଜଗନ୍ନାଥ ସେନା।
ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି ପୂର୍ବରୁ ଓଡ଼ିଶାର ଲୋକଙ୍କୁ ଜଗନ୍ନାଥ ଦେଶର ଲୋକେ ବୋଲି କହୁଥିଲେ। ଏବେ ଓଡ଼ିଶା କହିଲେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ବୁଝାଉଛି । ଓଡ଼ିଶାର ପରିଚୟ ହେଉଛି ନବୀନ ପଟ୍ଟନାୟକ। ଓଡ଼ିଆ ଜାତିର ପରିଚୟ ତଥା ବିଶ୍ୱର ଠାକୁର ଶ୍ରୀଜଗନ୍ନାଥଙ୍କ ପ୍ରତି ଏହାଠୁ ଅପମାନଜନକ ଓ ନିନ୍ଦାଜନକ ଘଟଣା ଅନ୍ୟ କିଛି ହୋଇନପାରେ। ତୁରନ୍ତ ମନ୍ତ୍ରୀ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ସଂଗଠନ ଦାବି କରିଛି। ନଚେତ୍ ଏହା ବିରୋଧରେ ସଂଗଠନ ଆଇନର ଆଶ୍ରୟ ନେବା ସହ ଆନ୍ଦୋଳନକୁ ଜୋରଦାର୍ କରିବ ବୋଲି କହିଛି।