ତେଜିଲା ଟିକାକରଣରେ ଫଟୋ ରାଜନୀତି: ଅପରାଜିତା-ସସ୍ମିତ ମୁହାଁମୁହିଁ

ଭୁବନେଶ୍ବର : ଟିକାକରଣ କେନ୍ଦ୍ରରେ ଫଟୋ ଲଗାକୁ ନେଇ ତିନି ଦିନ ହେଲା ରାଜ୍ୟ ରାଜନୀତି ସରଗରମ ରହିଛି। ଟିକାକରଣ କେନ୍ଦ୍ରରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଥିଲା ବେଳେ କେନ୍ଦ୍ର ଟିକା ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଲଗାଇବାକୁ ବିଜେପି ନେତାମାନେ ଦାବି କରୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏହାକୁ ନେଇ ବିବାଦ ଚାଲିଛି। ବିଜେଡି ଓ ବିଜେପି କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି। କିଛି ଜାଗାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ମଧ୍ୟ ବିଜେପି କର୍ମୀମାନେ ଚିରିଛନ୍ତି। ଭୁବନେଶ୍ବରରେ ଏହାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି।

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଟ୍ବିଟ୍‌ କରି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶା ଟିକା କିଣିବାରେ ବିଫଳ ହେବାରୁ କେନ୍ଦ୍ରର ସହଯୋଗ ଲୋଡ଼ିଲା। କେନ୍ଦ୍ର ସରକାର ମଧ୍ୟ ସହଯୋଗର ହାତ ବଢ଼ାଇଲେ। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ଟିକା ଯୋଗାଣ ବ୍ୟବସ୍ଥା କଲେ। ତେଣୁ ସୌଜନ୍ୟ ଦୃଷ୍ଟିରୁ ରାଜ୍ୟ ସରକାର ସମସ୍ତ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବା କଥା। କିନ୍ତୁ ତାହା କରାଯାଉ ନାହିଁ। ଏହା ରାଜ୍ୟ ସରକାରଙ୍କ ଅସୁରକ୍ଷିତ ମନୋଭାବ ଓ ହୀନମାନ୍ୟତାକୁ ସୂଚାଉଛି।

ଅପରାଜିତାଙ୍କ ଟ୍ବିଟ୍‌ର ଜବାବ ଦେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ କହିଛନ୍ତି ଯେ ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହିଥିବାରୁ ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ଆପତ୍ତି କରିଥିଲେ। ହେଲେ ବିଜେଡି ଏଥିରେ କୌଣସି ଆପତ୍ତି କରିନାହିଁ। ଟିକାକରଣ ସବୁବେଳେ କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଏହା ଏକ ଜାତୀୟ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହାକୁ ପ୍ରଥମେ ରାଜ୍ୟଗୁଡ଼ିକ ଉପରେ ଲଦି ଦେବା ପରେ ପୁଣି ପ୍ରତ୍ୟାହାର କରାଗଲା। ଏବେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ କୋଭିଡ ସଚେତନତା ବାର୍ତା ପ୍ରଚାର କରାଯାଉଥିବା ବେଳେ ଏହାକୁ ନେଇ ରାଜନୀତି କରିବା ଲଜ୍ଜାଜନକ। ବଜେପି ସାଂସଦଙ୍କ ମନ୍ତବ୍ୟ ତାଙ୍କର ହୀନ ରାଜନୀତି ବୋଲି ଶ୍ରୀ ପାତ୍ର ଆକ୍ଷେପ କରିଛନ୍ତି।

ଜଗନ୍ନାଥଙ୍କ ଫଟୋ ଲଗାଯାଉ: ସୌମ୍ୟରଞ୍ଜନ
ଭୁବନେଶ୍ବର : ଟିକାକରଣ କେନ୍ଦ୍ରରେ ଫଟୋ ଲଗାକୁ ନେଇ ଚାଲିଥିବା ବିବାଦ ସମ୍ପର୍କରେ ନିଜ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଗଣମାଧ୍ୟମକୁ ସେ କହିଛନ୍ତି ଯେ ଫ‌ଟୋ ପାଇଁ ସମସ୍ତେ ବ୍ୟାକୁଳ। ଏହି ଫଟୋ ଲଗାଯିବାକୁ ନେଇ ବିବାଦ କରାଯିବା ଉଚିତ ନୁହେଁ। ଏହି ପ୍ରସଙ୍ଗକୁ ଏତେ ଗୁରୁତ୍ବ ନ ଦିଆଯାଉ। ବରଂ ଜଗନ୍ନାଥଙ୍କ ଫଟୋ ଲଗାଇ ଟିକା ନେଲେ ଓଡ଼ିଶାରେ ନୂଆ ପରମ୍ପରା ସୃଷ୍ଟି ହୋଇପାରିବ।

ସମ୍ବନ୍ଧିତ ଖବର