ପିଏସ୍‌ଓ ସାଜିଛନ୍ତି ଫଟୋଗ୍ରାଫର, ସୁରକ୍ଷା ଦେବ କିଏ?

ବାଲେଶ୍ବର: ପୁଲିସ ଏଏସ୍‌ଆଇଙ୍କ ଗୁଳିରେ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣା ପଛରେ କାରଣ କଣ ଥାଇପାରେ ସେନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ରାଜ୍ୟରେ ଏବେ ବିଧାୟକ, ମନ୍ତ୍ରୀ ତଥା ପ୍ରମୁଖ ଅଧିକାରୀମାନଙ୍କ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିବା ପିଏସ୍‌ଓ ବା ଅଙ୍ଗରକ୍ଷୀ ସୁରକ୍ଷା କାମରେ କେତେ ଯତ୍ନଶୀଳ ସେନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହା କେବଳ ଦିବଂଗତ ମନ୍ତ୍ରୀ ଶ୍ରୀ ଦାସଙ୍କ କ୍ଷେତ୍ରରେ ଦେଖାଦେଇଛି ତାହା ନୁହେଁ ବରଂ ବର୍ତ୍ତମାନ ଅଧିକାଂଶ ‌ବିଧାୟକ, ମନ୍ତ୍ରୀ ଏବଂ ଅଧିକାରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପିଏସ୍‌ଓମାନେ ସୁରକ୍ଷା ଯୋଗାଇଦେବା ବଦଳରେ କ୍ୟାମେରା‌ମେନ୍‌ କିମ୍ବା ଅନ୍ୟ କାମ କରୁଥିବା ଦେଖାଯାଉଛି।

ଏଥିରେ ବାଲେଶ୍ବର ଜିଲ୍ଲାକୁ ଯଦି ଜ୍ବଳନ୍ତ ଦୃଷ୍ଟାନ୍ତ ଭାବେ ନିଆଯିବ ତାହେଲେ ଏହି ଜିଲ୍ଲାର ସାଂସଦ, ବିଧାୟକ, ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀଙ୍କ ନିକଟରେ ଜଣେ ଦୁଇଜଣ ପିଏସ୍‌ଓ ନିୟୋଜିତ ଥିବାବେଳେ ସେମାନେ ଅଧିକାଂଶ ସମୟରେ ସମ୍ପୃକ୍ତ ନେତା କିମ୍ବା ଅଧିକାରୀମାନେ ଯାଉଥିବା କାର୍ଯ୍ୟକ୍ରମର ପ୍ରଚାରପ୍ରସାର ପାଇଁ କ୍ୟାମେରାମେନ୍‌ ସାଜୁଛନ୍ତି ତଥା ସେମାନଙ୍କ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆ କାମ କରୁଛନ୍ତି। କେବଳ ଏହି କାମ ନୁହେଁ କେବଳ ସୁରକ୍ଷା କାମ ଛଡ଼ା ସେମାନଙ୍କୁ ଅନ୍ୟାନ୍ୟ କାମରେ ଲଗାଇ ଦିଆଯାଉଛି। ଏପରି ସ୍ଥଳେ ସେମାନଙ୍କ ସୁରକ୍ଷା ପ୍ରତି ପ୍ରଶ୍ନ ଉଠିବା ସ୍ବାଭାବିକ। ଢିଲା ସୁରକ୍ଷା ବ୍ୟବସ୍ଥା ଦେଖି ଯିଏ ଯେତେବେଳେ ବି ତାର ଉଦ୍ଦେଶ୍ୟ ପୂରଣ କରିପାରିବ। ଏନେଇ କିଛି ପୁଲିସକର୍ମୀଙ୍କ ମତାମତ ନିଆଯାଇଥିବା ବେଳେ ବାଧ୍ୟ ହୋଇ ପଡ଼ି ସେମାନେ ଏପରି କାମ କରୁଥିବା କହିଛନ୍ତି। ସେମାନଙ୍କର ଯାହା ଡ୍ୟୁଟି କେବଳ ତାହା କରିବାକୁ ଦିଆଯାଉନାହିଁ। ଚାକିରି ଭୟରେ ବିଭାଗୀୟ ଅଧିକାରୀ ତଥା ବିଧାୟକ ଓ ମନ୍ତ୍ରୀଙ୍କ ଏସବୁ ନିର୍ଦ୍ଦେଶ ମାନିବାକୁ ପଡ଼ୁଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ଜିଲ୍ଲା ପୁଲିସ ତଥା ପ୍ରଶାସନ ଏନେଇ ଗମ୍ଭୀରତାର ସହ ଚିନ୍ତା କରିବାର ଏବେ ବେଳ ଆସିଛି।

ସମ୍ବନ୍ଧିତ ଖବର