ସମ୍ବଲପୁର : ମଂଗଳବାର ଦିନ ୧୧ଟାରେ ସମ୍ବଲପୁରର ବିଶିଷ୍ଟ ଫଟୋ ସାମ୍ବାଦିକ ତଥା ସମ୍ବଲପୁର ପ୍ରେସ୍ କ୍ଲବର ପୂର୍ବତନ କୋଷାଧ୍ୟକ୍ଷ ବିଜୁ ପଟ୍ଟନାୟକ(୫୮)ଙ୍କ ସାକ୍ଷୀପଡ଼ା ବାସଭବନରେ ପରଲୋକ ହୋଇଯାଇଛି। ସେ ସାକ୍ଷୀଗୋପୀନାଥ ମନ୍ଦିର ଟ୍ରଷ୍ଟର ସଭାପତି ସହିତ ବିଭିନ୍ନ ଅନୁଷ୍ଠାନ ସହିତ ସଂପୃକ୍ତ ଥିଲେ।
ଯକୃତଜନିତ ରୋଗରେ ପୀଡ଼ିତ ଥିବା ବିଜୁ ଗତ ନଭେମ୍ବର ମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା ଆକ୍ରାନ୍ତ ହେବା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ସେ ଗୁରୁତର ଅସୁସ୍ଥ ହୋଇଯାଇଥିଲେ। ସେ ତାଙ୍କ ପଛରେ ପତ୍ନୀ ଜୟଶ୍ରୀ ମହାନ୍ତି, ଏକମାତ୍ର ପୁତ୍ର ପ୍ରେମସ୍ବରୂପ ପଟ୍ଟନାୟକ, ଦୁଇ ପୁତୁରା ରିଷି ଓ ରିକନଙ୍କ ସହିତ ଅନ୍ୟ ପରିବାରବର୍ଗଙ୍କୁ ଛାଡ଼ିଯାଇଛନ୍ତି। ମଙ୍ଗଳବାର ରାଜଘାଟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ସାନ ପୁତୁରା ରିକନ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ। ବିଜୁ ପଟ୍ଟନାୟକ ଜଣେ ଭଲ ଫଟୋ ସାମ୍ବାଦିକ ଭାବେ ଅଂଚଳରେ ଜଣାଶୁଣା ଥିଲେ। ଦୈନିକ ଖବରକାଗଜ ‘ସମ୍ବାଦ’, ‘ନବଭାରତ’ ସମେତ ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ କାମ କରିଥିଲେ। ବର୍ତ୍ତମାନ ‘ସମାଜ’ ଖବରକାଗଜରେ ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟରତ ଥିଲେ। ବିଜୁଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ସାମ୍ବାଦିକ ମହଲ ସହିତ ସମଗ୍ର ସମ୍ବଲପୁର ସହରରେ ଶୋକର ଛାୟା ଖେଳିଯାଇଛି।
ବରଗଡ଼ ସାଂସଦ ସୁରେଶ ପୂଜାରୀ, ରେଂଗାଲି ବିଧାୟକ ନାଉରୀ ନାୟକ, ସମ୍ବଲପୁର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାୟକ, ଜିଲ୍ଲା ଓକିଲ ସଂଘ ସଭାପତି ପ୍ରମୋଦ ରଥ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀ, ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ, ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର, ସମ୍ବଲପୁର ପ୍ରେସ୍ କ୍ଲବ ସଂପାଦକ ଭବାନୀଶଙ୍କର ଭୋଇ, ପୂର୍ବତନ ସଂପାଦକ ରାଜାରାମ ପାଢ଼ୀ, ଓଡ଼ିଶା ସାମ୍ବାଦିକ ସଂଘର ସମ୍ବଲପୁର ଜିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ର, ସାଧାରଣ ସଂପାଦକ ସରୋଜ ସାହୁ ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ତାଙ୍କ ଅନ୍ତିମ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀ, ବିଜେଡି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ, ବିଜେଡି ପ୍ରବକ୍ତା ସଂଜୟ ବାବୁ, ଯୁବନେତା ସଂଜିତ ମହାନ୍ତି, ଜିଲ୍ଲା ସାମ୍ବାଦିକ ସଂଘ(ଓୟୁଜେ)ର ସାଧାରଣ ସଂପାଦକ ରାଜେଶ ବିଭାର ପ୍ରମୁଖ ମଧ୍ୟ ଶୋକପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/photo-journalist.jpg)
