ସମ୍ବଲପୁର : ଶୁକ୍ରବାର ଅପରାହ୍‌ଣ ୪ଟାରେ ବରିଷ୍ଠ ଫଟୋ ସାମ୍ବାଦିକ ହୀରାଲାଲ ଶର୍ମା(୮୬)ଙ୍କ ତାଳଭଟ୍ଟାପଡାସ୍ଥିତ ବାସଭବନରେ ପରଲୋକ ହୋଇଥିଲା। ସେ ଗତ ୩/୪ ଦିନ ହେଲା ଅସୁସ୍ଥ ଥିଲେ। ରାଜସ୍ଥାନର ରତନଗଡ଼ରେ ଜନ୍ମିତ ହୀରାଲାଲଙ୍କ ସମ୍ବଲପୁର ଥିଲା କର୍ମକ୍ଷେତ୍ର। ସେ ଯୁଗଧର୍ମ, ଦୈନିକ ଭାସ୍କର ଓ ହୀରାଖଣ୍ଡ ଆଦି ଖବରକାଗଜରେ କାମ କରିବା ସହ ‘କୁଟସତ୍ୟ’ ନାମକ ଏକ ସାପ୍ତାହିକ ପତ୍ରିକା ପ୍ରକାଶ କରୁଥିଲେ। ପରେ ସେ ଦୀର୍ଘ ୪୦ ବର୍ଷ କାଳ ନିରବଚ୍ଛିନ୍ନ ଭାବେ ‘ସମାଜ’ ଖବରକାଗଜରେ ଫଟୋ ସାମ୍ବାଦିକ ଭାବେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ।

Advertisment

ଏଥିସହ ଲୋକସେବକ ମଣ୍ଡଳ, ସମ୍ବଲପୁର ଶାଖାର ଉପଦେଷ୍ଟା ମଣ୍ଡଳି ଆବାହକ ଦାୟିତ୍ବ ନିର୍ବାହ କରିଥିଲେ। ସମ୍ବଲପୁର ପ୍ରେସ୍‌ କ୍ଲବର ପ୍ରତିଷ୍ଠାତା ସଦସ୍ୟ ସହିତ କୋଷାଧ୍ୟକ୍ଷ ଏବଂ ସମ୍ବଲପୁର ଜିଲା ସାମ୍ବାଦିକ ସଂଘର ସଦସ୍ୟ ଥିଲେ। କଳା ନିକେତନ ନାମରେ ଏକ ସାମାଜିକ ସଂସ୍ଥା ଗଢ଼ିବା ସହିତ ବିଭିନ୍ନ ସାମାଜିକ ସଂସ୍ଥା ସହ ଜଡ଼ିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସହଧର୍ମଣୀ ସୁମିତ୍ରା ଦେବୀ, ଦୁଇ ପୁଅ ହଂସରାଜ, ଲଳିତ, ଝିଅ କୁସୁମ ଓ କୁଙ୍କୁମଙ୍କ ସହିତ ଅନ୍ୟ ପରିବାରବର୍ଗ ଉପସ୍ଥିତ ଥିଲେ।

ଶନିବାର ସକାଳ ୧୦ଟାରେ ରାଜଘାଟ ଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ। ‘ସମାଜ’ ସମ୍ବଲପୁର ସଂସ୍କରଣର ଶାଖା ପରିଚାଳକ ସଦାଶିବ ମହାପାତ୍ର ଓ ଅନ୍ୟମାନେ ତାଳଭଟାପଡ଼ାସ୍ଥିତ ବାସଭବନକୁ ଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ। ସମ୍ବଲପୁର ଜିଲା ସାମ୍ବାଦିକ ସଂଘର ସଭାପତି ସୁବାସ ପାଣିଗ୍ରାହୀ, ଓଡ଼ିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖା ସଭାପତି ହିମାଂଶୁ ଶେଖର ମିଶ୍ର, ଜିଲ୍ଲା ସାଧାରଣ ସଂପାଦକ ସରୋଜ ସାହୁ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ସମ୍ବଲପୁର ପ୍ରେସ୍ କ୍ଲବ ପକ୍ଷରୁ ମଧ୍ୟ ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଛି।