ଫୁଲବାଣୀ ପୌର ନିର୍ବାଚନ: ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ପୁନମ୍‌ଙ୍କୁ ଦଳରୁ ବିରୋଧ

ଫୁଲବାଣୀ : ପୌର ନିର୍ବାଚନ ଆଗରୁ ଫୁଲବାଣୀ ପୌରପାଳିକା ବିଜେଡିରେ ଫାଟ ଦଳୀୟ ଶିବିରରେ ଅସ୍ଥିରତା ବଢ଼ାଇ ଦେଇଛି। ଅଧ୍ୟକ୍ଷା ପଦରେ ପୁନମ୍ କହଁରଙ୍କ ପ୍ରାର୍ଥିତ୍ବକୁ ଅସନ୍ତୁଷ୍ଟ ଗୋଷ୍ଠୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହାକୁ ସେମାନେ ବିରୋଧ କରିବା ଆରମ୍ଭ କରି ସାରିଲେଣି। ଫଳରେ ଟିକେଟ୍ ପାଇବାରୁ ବଞ୍ଚିତ ଓ ଅସନ୍ତୁଷ୍ଟ ଗୋଷ୍ଠୀ ଭୋଟ ସମୀକରଣକୁ ବିଗାଡ଼ି ଦେବା ଆଶଙ୍କା ଦେଖ‌ାଦେଲାଣି। ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି।

ମିଳିଥିବା ସୂଚନାନୁସାରେ, ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଫୁଲବାଣୀ ପୌରପାଳିକା ଅଧ୍ୟକ୍ଷା ପଦରେ ନିର୍ବାଚନ ଲଢ଼ିବାକୁ ଏଥର ଶାସକ ଦଳରୁ ଡଜନେ ପ୍ରାର୍ଥୀ ଲବିରେ ରହିଥିଲେ। ଫୁଲବାଣୀ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ରାଜେନ୍ଦ୍ର କହଁରଙ୍କ ପତ୍ନୀ ସୁବାସିନୀ ପ୍ରଧାନ, ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପତ୍ନୀ ବିଷ୍ଣୁପ୍ରିୟା କହଁର, ପୂର୍ବତନ ନଗରପାଳ ଲୋପାମୁଦ୍ରା ମୁନି, ଯୁବ ବିଜେଡି ନେତା ରାଜେନ୍ଦ୍ର କୁମାର ପାଢୀଙ୍କ ପତ୍ନୀ ମାମିନା ଦାଶଙ୍କ ସମେତ ବହୁ ତୁଙ୍ଗ ବିଜେଡି ନେତାଙ୍କ ପତ୍ନୀ ଓ ପରିବାରବର୍ଗ ଅଧ୍ୟକ୍ଷ ଟିକେଟ୍ ପାଇବାକୁ ଦୌଡ଼ରେ ରହିଥିଲେ। ଦୀର୍ଘ ଏକସପ୍ତାହରୁ ଅଧିକ ସମୟ ଧରି ଏହି ନେତୃବୃନ୍ଦ ଭୁବନେଶ୍ବରରେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ଅଚ୍ୟୁତ ସାମନ୍ତ ଏବଂ ଅନ୍ୟାନ୍ୟ ରାଜ୍ୟସ୍ତରର ନେତାଙ୍କ ପାଖରେ ଡେରା ପକାଇଥିଲେ। ହେ‌ଲେ ହଠାତ୍ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଥିଲା। ଆଉ ଅପ୍ରତ୍ୟାଶିତ ଭାବେ ପୁନମ୍ କହଁରଙ୍କୁ ଏହି ପଦରେ ଲଢ଼ିବାକୁ ଦଳ ଟିକେଟ୍ ଦେଲା। ଯାହାକୁ ‌ଏବେ ଫୁଲବାଣୀ ବିଜେଡି ଭିତରେ ତୀବ୍ର ବିରୋଧ ଆରମ୍ଭ ହୋଇଯାଇଛି।

କେହି ଖୋଲାଖୋଲି ବ‌ିଦ୍ରୋହ କରୁ ନଥିଲେ ବି ଭୋଟ୍‌ବ୍ୟାଙ୍କ୍‌ କାଟିବା ଓ ଦଳୀୟ ପ୍ରାର୍ଥୀଙ୍କୁ ହରାଇବା ଲାଗି ଭିତିରିଆ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରି ସାରିଥିବା ଜୋର୍‌‌ସୋର୍‌ ଚର୍ଚ୍ଚା ଚାଲିଛି। ଏଥିରେ ଅଧିକାଂଶ ଛାମୁ୍ଆ ନେତା ରହିଛନ୍ତି। କେଉଁ ଆଧାରରେ ପୁନମଙ୍କୁ ଦଳୀୟ ପ୍ରାର୍ଥୀ କରାଗଲା ବୋଲି ଅସନ୍ତୁଷ୍ଟ ବିଜେଡି ନେତାମାନେ ପ୍ରଶ୍ନ କରୁଛନ୍ତି। ତେବେ ଅସନ୍ତୁଷ୍ଟ ନେତାଙ୍କ ଏହି ବିଦ୍ରୋହ ଓ ବିରୋଧ କେଉଁ ପରିସ୍ଥିତିରେ ବି ବିସ୍ଫୋରକ ରୂପ ନେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ କିଛି ନେତା କଂଗ୍ରେସରେ ଯୋଗ ଦେବାକୁ ଚିନ୍ତା କରୁଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

କଂଗ୍ରେସରେ କେତେକ ଛାମୁଆ ବିଜେଡି ନେତାଙ୍କ ମିଶ୍ରଣ ପର୍ବ ନେଇ କନ୍ଧମାଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଇଥିଲା। ମାତ୍ର କୌଣସି କାରଣରୁ ଶେଷ ମୁହୂର୍ତ୍ତରେ ଏହା ବାତିଲ୍ ହୋଇଗଲା। ଆସନ୍ତାକାଲି କିଛି ଅସନ୍ତୁଷ୍ଟ ବିଜେଡି ନେତା କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଛି। ଯାହାକୁ ନେଇ ଏବେ ବିଜେଡିର ମୁଣ୍ଡବିନ୍ଧା ବଢ଼ିଯାଇଛି।

ସମ୍ବନ୍ଧିତ ଖବର