ଖଜୁରୀପଡ଼ା: କନ୍ଧମାଳ ଜିଲାର ୨ ବିଧାନସଭା ନିର୍ବାଚନ ମଣ୍ଡଳୀ (ଫୁଲବାଣୀ ଓ ଜିଉଦୟଗିରି) ଏବଂ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ପ୍ରମୁଖ ୩ ଦଳ (ବିଜେଡି, ବିଜେପି ଓ କଂଗ୍ରେସ) ନିଜନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। କିନ୍ତୁ ବାଲିଗୁଡ଼ା ବିଧାନସଭା ଆସନରେ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ବିଜେଡିର ପ୍ରାର୍ଥୀ ଘୋଷଣା ଏପର୍ଯ୍ୟନ୍ତ ହୋଇ ନାହିଁ। ତେବେ ଜିଲ୍ଲାର ସବୁଠି ପ୍ରାର୍ଥୀ ଘୋଷଣାକୁ ନେଇ ଅସନ୍ତୋଷର ସ୍ବର ଉଠିଛି। କନ୍ଧମାଳ ରାଜନୀତି ଦିନକୁ ଦିନ ରୋଚକ ହେଉଛି। ପ୍ରତ୍ୟେକ ଦଳରେ ପ୍ରାର୍ଥୀତ୍ୱକୁ ନେଇ ଏବେ ଦଳୀୟ କର୍ମୀମାନଙ୍କ ମଧ୍ୟରେ ବିଦ୍ରୋହ ଆରମ୍ଭ ହୋଇଛି।
ଫୁଲବାଣୀରେ ବିଜେଡିରୁ ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁରଙ୍କୁ ଦଳୀୟ ଟିକେଟ ମିଳିବା ପଛରେ ଟଙ୍କା କାରବାର ହୋଇଛି ବୋଲି ବିଦ୍ରୋହୀମାନେ ଅଭିଯୋଗ ଆଣିଛନ୍ତି। ଆଉ ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏବଂ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ସଂପୃକ୍ତ ଥିବା ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ଅଭିଯୋଗ ଆଣିଛନ୍ତି। ସେହିପରି ପ୍ରତ୍ୟେକ ଥର କେବଳ ଫିରିଙ୍ଗିଆ ବ୍ଲକରୁ ବିଜେଡି ପ୍ରାର୍ଥୀ ଦେଉଥିବାରୁ ଏହାକୁ ନେଇ ଖଜୁରୀପଡ଼ା ବିଜେଡି ଦଳୀୟ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ଏବଂ ଏହାକୁ ଜୋର୍ ଜାର ବିରୋଧ କରୁଛନ୍ତି।
ଫୁଲବାଣୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଏବେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଖଜୁରୀପଡ଼ା ବ୍ଲକରୁ ବିଜେଡି ବିଧାୟକ ପ୍ରାର୍ଥୀ ପାଇଁ ଟିକେଟ ଦୌଡ଼ରେ ଅନେକ ନେତା ଥିଲେ। କିନ୍ତୁ ଫିରିଙ୍ଗିଆର ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମର୍ଥକ ଜୟଶ୍ରୀ କହଁରଙ୍କୁ ଦଳ ପ୍ରାର୍ଥୀ କଲା। ଏହି ପରିପ୍ରେକ୍ଷୀରେ ଦେବେନ୍ଦ୍ର କହଁର, ବୀରେନ୍ଦ୍ର କହଁର ଗୁଦାରି ପଞ୍ଚାୟତ ସୁଜିତ କୁମାର ମଳିକ ସୁଡ୍ରେଜୁ ପଞ୍ଚାୟତ ସରପଞ୍ଚ ଲଷ୍ମୀ ପ୍ରଧାନ ଦୁତିପଡା ସରପଞ୍ଚ ଅହଲ୍ୟା ଜାନୀ ଦୁତିପଡ଼ା ସମିତି ସଭ୍ୟ ସୁକଦେବ ସେଠିଙ୍କ ସହ ଅନ୍ୟ ସମର୍ଥକଙ୍କ ସହ ସରପଞ୍ଚ, ସମିତି ସଭ୍ୟମାନେ ମିଶି ଖଜୁରୀପଡ଼ା ବଜାରରେ ରବିବାର ଦିନ ପଦ୍ମନାଭ ବେହେରା ଏବଂ ବିଧାୟକ ପ୍ରାର୍ଥୀ ଜୟଶ୍ରୀ କହଁର ଓ ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ପଦ୍ମନାଭ ହଟାଅ, କନ୍ଧମାଳ ବଞ୍ଚାଅ, ବିଜୟ ନାୟକ ଗୋ ବେକ୍। ଜୟଶ୍ରୀଙ୍କୁ ହଟାଇ ଉଚିତ ପ୍ରାର୍ଥୀ ଚୟନ କରିବାକୁ ନାରାବାଜି କରିଛନ୍ତି।