ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢୁଛି ଫୁଲବାଣୀ ଇ-ଲାଇବ୍ରେରି

ଫୁଲବାଣୀ : ଫୁଲବାଣୀଠାରେ ଥିବା ରାଜ୍ୟର ପ୍ରଥମ  ଓ ଏକମାତ୍ର ଜିଲ୍ଲାସ୍ତରୀୟ ଇ-ଲାଇବ୍ରେରି ଜିଲ୍ଲାର ଛାତ୍ରଛାତ୍ରୀ ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭାଗ ନେଉଥିବା ପ୍ରତିଯୋଗୀଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ବହୁ ମେଧାବୀ ଓ ଗରିବ ଛାତ୍ରଛାତ୍ରୀଙ୍କ ପାଇଁ  ଇ-ଲାଇବ୍ରେରି ଏକ ନୂଆ ସୁଯୋଗ ସୃଷ୍ଟି କରିଛି। ଏହି ଲାଇବ୍ରେରିରେ ଅଧ୍ୟୟନ କରି ଦୁଇ ବର୍ଷ ମଧ୍ୟରେ ୫୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ବିଭିନ୍ନ ସରକାରୀ ଚାକିରି ପାଇବାରେ ସଫଳତା ହାସଲ କରିପାରିଛନ୍ତି। ଗତ ୨୦୧୯  ଫେବ୍ରୁଆରି ୧୦ରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଏହା ଉଦ୍‌ଘାଟିତ ହୋଇଥିଲା। ତତ୍କାଳୀନ କନ୍ଧମାଳ ଜିଲ୍ଲାପାଳ ବୃନ୍ଦା ଡି.ଙ୍କ ଉଦ୍ୟମରେ ରାଜ୍ୟର ପ୍ରଥମ ଜିଲ୍ଲାସ୍ତରୀୟ ଇ-ଲାଇବ୍ରେରୀ ଫୁଲବାଣୀ ଠାରେ ପ୍ରତିଷ୍ଠା ସମ୍ଭବପର ହୋଇପାରିଥିଲା। ଏବେ  ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଏହି ଲାଇବ୍ରେରିର ପରିଚାଳନା ଦାୟିତ୍ବ ବହନ କରିଛି। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସଙ୍କ ପ୍ରଚେଷ୍ଟା ଯୋଗୁଁ ଏହା  ରାଜ୍ୟର ଶ୍ରେଷ୍ଠ ଜିଲ୍ଲାସ୍ତରୀୟ ଲାଇବ୍ରେରିର ମାନ୍ୟତା ପାଇଛି।

୨ ବର୍ଷରେ ସରକାରୀ ଚାକିରି ପାଇଛନ୍ତି ୫୦ରୁ ଊର୍ଦ୍ଧ୍ବ
 ବ୍ରିଟିସ୍‌, କାନାଡ଼ା ଓ ୱାର୍ଲଡ ଡିଜିଟାଲ୍‌ ଲାଇବ୍ରେରି ସହ ରହିଛି ଓପନ୍‌ ଆକ୍ସେସ
 ସ୍ପିଡ୍‌ ଇଣ୍ଟରନେଟ୍‌ ସେବା ବି  ଉପଲବ୍‌ଧ 

ଏହି ଲାଇବ୍ରେରିରେ ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ବ ସାହିତ୍ୟ, ସଂସ୍କୃତି, ବିଜ୍ଞାନ, କୃଷି ଓ ବୈଷୟିକ, ଜୀବନ ଓ ଆତ୍ମଜୀବନୀ, ଶିଶୁ ଓ କିଶୋର ପତ୍ରିକା, ପୌରାଣିକ ପୁସ୍ତକ, ଶବ୍ଦକୋଷ, ଇତିହାସ, ଭୂଗୋଳ, ଅର୍ଥଶାସ୍ତ୍ର, ଦର୍ଶନଶାସ୍ତ୍ର, ସମାଜବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଗଣିତ, ରସାୟନଶାସ୍ତ୍ର, ଇଞ୍ଜିନିୟରିଂ ପୁସ୍ତକ, ବାଣିଜ୍ୟ ପୁସ୍ତକ, ବିଭିନ୍ନ ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷା ପୁସ୍ତକ ଯଥା- ଓଡ଼ିଶା ପ୍ରାଶାସନିକ ‌ସେବା, ବ୍ୟାଙ୍କିଂ, ରେଲବାଇ, ଏସ୍‌ଏସ୍‌ସି, ଆଇଏଏସ୍‌ ପ୍ରତିଯୋଗିତା ପରୀକ୍ଷା  ପୁସ୍ତକ ଓ ପତ୍ରପତ୍ରିକା ଉପବଲବ୍‌ଧ ରହିଛି। ଏହା ସହିତ ଶୀତତାପ ନିୟନ୍ତ୍ରିତ କୋଠରୀରେ ଦଶଟି ସ୍ପିଡ୍‌ ଇଣ୍ଟରନେଟ୍‌ ସେବା ଯୋଗାଉଥିବା କମ୍ପ୍ୟୁଟର ସିଷ୍ଟମ ରହିଛି। ଏଠାରେ ଏକାବେଳକେ ୮୦ ଜଣ ପାଠକଙ୍କ ପାଇଁ ଉଭୟ ଅଫ୍‌ଲାଇନ ଓ ଅନ୍‌ଲାଇନରେ ପଢ଼ିବାର ସୁଯୋଗ ‌ରହିଛି। ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ଏବଂ ଅପରାହ୍‌ଣ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ଇ-ଲାଇବ୍ରେରି ଖୋଲା ରହିଥାଏ। ଅଧ୍ୟୟନ ପାଇଁ ପ୍ରବେଶ ଶୁଳ୍କ ମାତ୍ର ୫ ଟଙ୍କା ରଖା ଯାଇଥିବାବେଳେ ନିୟମିତ ପଞ୍ଜିକରଣ କାର୍ଡଧାରୀଙ୍କ ପାଇଁ କୋହଳ ଭିତ୍ତିରେ ୩ ମାସ ପାଇଁ ୧୫୦ ଟଙ୍କା, ୬ ମାସ ପାଇଁ ୩୦୦ ଟଙ୍କା ଏବଂ ବାର୍ଷିକ ୫୦୦ ଟଙ୍କାର ଦେୟ ବ୍ୟବସ୍ଥା ରହିଛି। ଲାଇବ୍ରେରିଟି ସମାଜର ସବୁ ବର୍ଗର ପାଠକ, ପାଠିକାମାନଙ୍କ ପାଇଁ ଖୋଲା ରହିଛି।

ଇ-ଲାଇବ୍ରେରୀ ଏବଂ ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ମିଳିତ ଉଦ୍ୟମରେ ବିଭିନ୍ନ ସମୟରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଜୀବିକା ଅନ୍ବେଷଣରେ ଥିବା ଯୁବକ, ଯୁବତୀଙ୍କୁ ନେଇ କ୍ୟାରିୟର କାଉନ୍‌ସେଲିଂ ମଧ୍ୟ କରାଯାଉଛି ବୋଲି ଇ-ଲାଇବ୍ରେରୀର ମୁଖ୍ୟ ପ୍ରଶାସକ  କହିଛନ୍ତି।  ଅନ୍ୟ ପକ୍ଷରେ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ପୂର୍ବରୁ ଥିବା ୩ଟି ଲାଇବ୍ରେରି ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିବା ବେଳେ ବର୍ତ୍ତମାନ ଇ-ଲାଇବ୍ରେରି ପାଠକଙ୍କ ପାଇଁ ବରଦାନ ପାଲଟିଛି। ଆଜିର ଦିନରେ ଏହି ଲାଇବ୍ରେରିରେ ୬୫ ଜଣ ବାର୍ଷିକ ସଦସ୍ୟ ହୋଇଥିବାବେଳେ ୪୪ ଜଣ ଅର୍ଦ୍ଧବାର୍ଷିକ, ୩୪୨ ଜଣ ତ୍ରୈମାସିକ ସଦସ୍ୟ ଅଛନ୍ତି। ସବୁଠୁ ବଡ଼ କଥା ହେଉଛି, ଫୁଲବାଣୀ ଇ-ଲାଇବ୍ରେରି ସହିତ ଦେଶବିଦେଶର ବହୁ ପ୍ରତିଷ୍ଠିତ ଲାଇବ୍ରେରି ସହ ଓପନ୍‌ ଆକ୍‌ସେସ ରହିଛି। ଫୁଲବାଣୀ ଇ-ଲାଇବ୍ରେରି ସହିତ ବ୍ରିଟିସ୍‌ ଲାଇବ୍ରେରି ଡିଜିଟାଲ୍‌ କଲେକ୍ସନ, କାନାଡ଼ା ଡିଜିଟାଲ୍‌ ଲାଇବ୍ରେରି, ୟୁ‌ରୋପୀୟ ୟୁନିୟନ ଡିଜିଟାଲ୍‌ ଲାଇବ୍ରେରି, ଲାଇବ୍ରେରି କଂଗ୍ରେସ ଡିଜିଟାଲ କଲେକ୍ସନ, ନ୍ୟାସନାଲ୍‌ ଡିଜିଟାଲ୍‌ ଲାଇବ୍ରେରି ଅଫ୍‌ ଇଣ୍ଡିଆ, ୱାର୍ଲଡ ଡିଜିଟାଲ୍‌ ଲାଇବ୍ରେରି, ଓଡ଼ିଆ ଇ-ପୁସ୍ତକ (ଓଡ଼ିଆ ବିଭବ) ଆଦିର ଓପନ ଆକ୍‌ସେସ୍‌ ରହିଥିବାରୁ ଛାତ୍ରଛାତ୍ରୀ, ପାଠକ, ପାଠିକା ସହଜରେ ଏ ସବୁକୁ ପଢ଼ି ପାରୁଛନ୍ତି।

ସମ୍ବନ୍ଧିତ ଖବର