ଫୁଲବାଣୀ(ବଟକୃଷ୍ଣ ବିହାରୀ): କନ୍ଧମାଳର ହଳଦୀକୁ ଜିଆଇ ମାନ୍ୟତା ମିଳିବାର ବର୍ଷେ ପୂରିଲା। ଜିଆଇ ମାନ୍ୟତା ମିଳିବା ପୂର୍ବ ଅପେକ୍ଷା ଅଧିକ ଲାଭବାନ ହେବେ ବୋଲି ଆଶା ବାନ୍ଧିଥିଲେ ଚାଷୀ। ଲାଭ ଆଶାରେ ଚଳିତ ବର୍ଷ ଅଧିକ ହଳଦୀ ଚାଷ କଲେ ଚାଷୀ। ଭଲ ଅମଳ ହେଲା। ହେଲେ କରୋନା କଟକଣା ପାଇଁ ହଳଦୀ ବିକ୍ରି ହୋଇ ପାରୁନାହିଁ। କରୋନା ଲକ୍ଡାଉନ୍ ଯୋଗୁଁ ହଳଦୀ ବିକ୍ରି କରିବା ସମ୍ଭବ ହେଉନାହିଁ। ଅପରପକ୍ଷେ ବିକ୍ରି ହୋଇ ପାରୁ ନଥିବାରୁ ଅମଳ ହଳଦୀ ସବୁ କେଉଁଠି ଚାଷ ଜମିରେ ତ ଆଉ କେଉଁଠି ବାଡ଼ି ଖଳାରେ ପଡ଼ିରହିଛି। ଏଥିଯୋଗୁଁ ୪୦ ହଜାର ପାଖାପାଖି ହଳଦୀ ଚାଷୀ ବେଶ ଚିନ୍ତିତ ହୋଇ ପଡ଼ିଛନ୍ତି। ବିକ୍ରିବଟାର ସୁବିଧା ନଥିବା ସାଙ୍ଗକୁ ଅଭାବ ବିକ୍ରି ଦେଖା ଦେଉଥିଲା। ଯାହା ଫଳରେ ଚାଷୀମାନେ ହଳଦୀ ଚାଷ ପ୍ରତି ବିମୁଖ ହୋଇ ପଡ଼ିଥିଲେ। ଗତ ବର୍ଷ ଏପ୍ରିଲ ୧ ତାରିଖ ଉତ୍କଳ ଦିବସରେ ହଳଦୀକୁ ଜିଆଇ ମାନ୍ୟତା ମିଳିବା ପରେ ଚାଷୀଙ୍କ ମଧ୍ୟରେ ଆଶାର ସଂଚାର ସୃଷ୍ଟି ହୋଇଥିଲା। ପୁଣି ଅଧିକରୁ ଅଧିକ ହଳଦୀ ଚାଷ କରିବାକୁ ମନା ବଳାଇଥିଲେ।
ଚଳିତ ବର୍ଷ ଜିଲ୍ଲାରେ ପ୍ରାୟ ୧୩ ହଜାର ୭୧୦ ହେକ୍ଟର ଜମିରେ ହଳଦୀ ଚାଷ କରିଥିଲେ ଚାଷୀ। ଉତ୍ପାଦନ ଲକ୍ଷ୍ୟ ଥିଲା ୧ ଲକ୍ଷ ୩୬ ହଜାର ଟନ୍। ଅମଳ ପରେ ଚାଷୀମାନଙ୍କଠାରୁ କଞ୍ଚା ହେଉ କି ଶୁଖିଲା ହଳଦୀ କ୍ରୟ କରିଥାଏ କସମ ସଂସ୍ଥା। ଏହି ସଂସ୍ଥା ପକ୍ଷରୁ ୨୦ରୁ ୨୨ ଟନ୍ ହଳଦୀ କିଣା ହୁଏ। କଞ୍ଚା ହଳଦୀ କିଲୋ ୨୦ ଓ ଶୁଖିଲା ହଳଦୀ କିଲୋ ୬୦ ଟଙ୍କାରେ ଏଠାରେ କିଣା ହୁଏ। ଏଥି ନିମନ୍ତେ ଜିଲ୍ଲାରେ ୬୧ଟି ସୋସାଇଟି ରହିଛି। ଚାଷୀମାନେ ଏସବୁ ସୋସାଇଟିକୁ ହଳଦୀ ଆଣି ବିକ୍ରି କରିବାର ବ୍ୟବସ୍ଥା ରହିଛି। ବିକ୍ରିର ୨-୩ ଦିନ ମଧ୍ୟରେ ଅନ୍ଲାଇନରେ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବାର ବ୍ୟବସ୍ଥା ରହିଛି। ଏଥି ସହ ଏହି ସଂସ୍ଥା ରାଇକିଆ ସମେତ ବିଭିନ୍ନ ହାଟରୁ ଚାଷୀଙ୍କଠାରୁ ସିଧାସଳଖ କିଣା ଯାଇଥାଏ। ବାକି ହଳଦୀକୁ ଚାଷୀମାନେ ଖୋଲା ବଜାରରେ ବିକ୍ରି କରିଥାନ୍ତି। ହେଲେ ସଂପ୍ରତି କରୋନା ଲକ୍ଡାଉନ୍ ଯୋଗୁ ହଳଦୀ ବିକ୍ରି କରିବାକୁ ଚାଷୀ ନା ସୋସାଇଟିକୁ ଆସି ପାରୁଛି, ନା ବଜାରକୁ ଯାଇ ପାରୁଛି।
କଟକଣା ସତ୍ତ୍ବେ ସୋସାଇଟିରେ ଅଳ୍ପ କିଛି କର୍ମଚାରୀଙ୍କୁ ହଳଦୀ କିଣିବା ପାଇଁ ସଜାଗ ରଖାଯାଇଛି। ହେଲେ କଟକଣା ଲକ୍ଡାଉନ୍ ଯୋଗୁଁ ହଳଦୀ ଧରି ଚାଷୀ ଆସି ପାରୁନାହାନ୍ତି ବୋଲି କସମର ସମ୍ପାଦକ ସଂଜୀତ ପଟ୍ଟନାୟକ କହିଛନ୍ତି। ଏପଟେ ହଳଦୀ ଧରି ସୋସାଇଟକୁ ଆସିବାକୁ ଚାଷୀମାନେ ଭୟ କରୁଛନ୍ତି। କଟକଣା ଯୋଗୁ ପୁଲିସ ତନାଘନା କରୁଥିବା ବେଳେ କାଳେ ମାଡ଼ ହେବ ସେଥି ନିମନ୍ତେ ଭୟରେ ହଳଦୀ ନେଇ ସୋସାଇଟିକୁ ଯାଇପାରୁ ନାହୁଁ ବୋଲି କହିଛନ୍ତି ରାଇକିଆ ଅଞ୍ଚଳର ଚାଷୀ ସୁରଜ ପ୍ରଧାନ, ଅଙ୍ଗଦ କହଁର। ମାସେ ହେଲା ହଳଦୀ ଅମଳ ହେଲାଣି। ବିକ୍ରି ନ ହୋଇ ଚାଷ ଜମିରେ ଓ ବାଡ଼ି ଖଳାରେ ହଳଦୀ ପଡ଼ି ରହିଛି ବୋଲି କହନ୍ତି ତୁମୁଡ଼ିବନ୍ଧ ଅଞ୍ଚଳର ଚାଷୀ ନୀଳାମ୍ବର ପ୍ରଧାନ ଓ ମହିଳା ଚାଷୀ ସେବତୀ କହଁର। ଧାର ଉଦ୍ଧାର କରି ହଳଦୀ ଚାଷ କରିଥିଲେ ଚାଷୀ। ବିକ୍ରି କରି ଧାର କରଜ ଟଙ୍କା ସୁଝି ଥାନ୍ତେ। ବାକି ଟଙ୍କା ପରିବାର ଚଳିଥାନ୍ତା। ହେଲେ କରୋନା ଲକ୍ଡାଉନ୍ ଅବଧି ବୃଦ୍ଧି ପାଇ ଚାଲିଥିବା ବେଳେ ଅମଳ ହଳଦୀ କେବେ ବିକ୍ରି ତାହା ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଅଧିକ ଦିନ ହଳଦୀ ଜମି ଓ ଖଳାରେ ପଡ଼ି ରହିଲେ ନଷ୍ଟର ହେବାର ଆଶଙ୍କା ରହିଛି। କନ୍ଧମାଳ ହଳଦୀ ଚାଷୀଙ୍କ ଦୁଃଖ କିଭଳି ଦୂର ହେବ। ଅମଳ ହଳଦୀ କିଭଳି ବିକ୍ରି ହୋଇ ପାରିବ ସେଥି ନିମନ୍ତେ ଜିଲ୍ଲା ପ୍ରଶାସନ ତୁରନ୍ତ ବ୍ୟବସ୍ଥା କରିବାକୁ ଚାଷୀଙ୍କ ମହଲରୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/sfh98sf7h98sf7h89sfhsfhsfhfhsfhshfh.jpg)