ଫୁଲବାଣୀ: ଫୁଲବାଣୀ ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଅନାସ୍ଥା ଭୋଟରେ ହାରିଯାଇଛନ୍ତି। ଆଜି ପୌରାଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ହୋଇଥିଲା। ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତ ନିର୍ବାଚନ ପରିଚାଳନା କରିଥିଲେ। ମୋଟ ୧୩ କାଉନସିଲର୍‌ଙ୍କ ମଧ୍ୟରୁ ୧୧ଜଣ ଉପସ୍ଥିତ ରହି ଭୋଟ୍‌ ଦେଇଥିଲେ। ୧୦ଟି ଭୋଟ ଅନାସ୍ଥା ସପକ୍ଷରେ ପଡ଼ିଥିବା ବେଳେ ଗୋଟିଏ ଭୋଟ୍‌ ନାକଚ ହୋଇଯାଇଛି। ଫଳରେ ଅଢ଼େଇ ବର୍ଷ ପୂର୍ବରୁ ପୌରାଧ୍ୟକ୍ଷାଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି। ଓଡ଼ିଶାରେ ନୂଆ କରି ବିଜେପି ସରକାର ଗଠନ ହୋଇଥିବା ବେଳେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ନିର୍ବାଚନରେ ବିଜୟୀ ହୋଇଥିବା ଫୁଲବାଣୀ ପୌରପାଳିକାର ବିଜେପି ଅଧ୍ୟକ୍ଷା ପଦଟି ଶାସକ ଦଳ ହାତରୁ ଖସିଯାଇଛି। ଫୁଲବାଣୀ ପୌରପାଳିକାରେ ବିଜେଡି କାଉନ୍‌ସିଲରଙ୍କ ବିଜୟ ଘଟିଛି। ଆଜିର ମତଦାନ ପ୍ରକ୍ରିୟାରେ ନିଜେ ପୌରାଧ୍ୟକ୍ଷା ଶ୍ରୀମତୀ ମହାନ୍ତିଙ୍କ ସମେତ ୨ ଜଣ ବିଜେପି କାଉନ୍‌ସିଲର ଅନୁପସ୍ଥିତ ଥିଲେ। ଫଳାଫଳ ଘୋଷଣା ପରେ ବିଜେଡି କାଉନ୍‌ସିଲରମାନେ ବାଣ ଫୁଟାଇ ବାଜା ବଜାଇ ଉତ୍ସବ ମନାଇଥିଲେ। ସେମାନେ ପୌରାଧ୍ୟକ୍ଷାଙ୍କ ପ୍ରକୋଷ୍ଠରେ ଗଙ୍ଗାଜଳ ସିଞ୍ଚି ଶୋଧନ କରିଥିଲେ। ଧର୍ମର ଜୟ ହେଲା ବୋଲି ବିଜେଡି କାଉନ୍‌ସିଲର ରାଜେନ୍ଦ୍ର ପାଢ଼ୀ ଆଜି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ଫୁଲବାଣୀ ପୌରପାଳିକାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିଲା ଓ ଆଗାମୀ ଦିନରେ ଏହାର ତଦନ୍ତ କରାଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

Advertisment

ଅନ୍ୟପ‌ଟେ, ଅନାସ୍ଥା ଭୋଟ୍‌‌ରେ ପରାଜିତ ହେବା ପରେ ପୌରାଧ୍ୟକ୍ଷା ଶ୍ରୀମତୀ ମହାନ୍ତି କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। କିନ୍ତୁ ଆଜିର ଅନାସ୍ଥା ଭୋଟ୍‌କୁ ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ନାଟକୀୟ ସ୍ଥିତି ଜାରି ରହିଥିଲା। କାଉନସିଲରମାନେ ସଂଶୟ ଓ ଦ୍ବନ୍ଦ୍ବରେ ରହିଥିଲେ। ନିର୍ବାଚନ ଅଧିକାରୀ ଦାୟିତ୍ବରେ ଥିବା ଫୁଲବାଣୀ ଉପଜିଲ୍ଲାପାଳ ଶ୍ରୀ ମହାନ୍ତ ଝାଡ଼ା, ବାନ୍ତି ହେଉଛି ଏବଂ ତାଙ୍କ ମୁଣ୍ଡ ବୁଲାଉଛି କହି ଦୀର୍ଘ ସମୟ ଧରି ନିର୍ବାଚନ ପ୍ରକ୍ରିୟାକୁ ବିଳମ୍ବିତ କରାଇ ଆସି ନଥିଲେ। ଯଦିଓ ୧୨ଟା ସୁଦ୍ଧା ଭୋଟ୍‌ ପଡ଼ିଥିଲା, କିନ୍ତୁ ଫଳାଫଳ ଘୋଷଣା କରିବାକୁ ଦିନ ଦୁଇଟା କରିଦେଇଥିଲେ। ଏହାକୁ ନେଇ କାଉନସିଲର୍‌ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହା ପୂର୍ବରୁ ଅର୍ଥାତ୍‌ ଗତ ୧୯ ତାରିଖରେ ହେବାକୁ ଥିବା ଅନାସ୍ଥା ଭୋଟ୍‌କୁ ମଧ୍ୟ ବାତିଲ କରାଯାଇଥିଲା। ସେଦିନ ନିର୍ବାଚନ ଅଧିକାରୀ ଥିବା ଅତିରିକ୍ତ ଜିଲ୍ଲାପାଳ ରମେଶ ଜେନା ଛୁଟିରେ ଥିବା ଦର୍ଶାଇ ପ୍ରଶାସନ ଅନାସ୍ଥା ଭୋଟ୍‌କୁ ବାତିଲ କରି ଦେଇଥିଲେ। ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ୍‌ ଆଜିକୁ ଭୋଟ୍‌ ତାରିଖ ଧାର୍ଯ୍ୟ କରିଥିଲେ। ଫୁଲବାଣୀ ପୌର ପରିଷଦର ମୋଟ ୧୩ଟି ୱାର୍ଡ ମଧ୍ୟରୁ ୭ଟି‌ରେ ବିଜେଡି କାଉନସିଲର୍‌ ବିଜୟୀ ହୋଇଥିବା ବେଳେ ୪ଟିରେ ବିଜେପି ଏବଂ ୨ଟିରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ବିଜେଡିର ସମସ୍ତ ୭ କାଉନ୍‌ସିଲରଙ୍କ ସମେତ ୨ ସ୍ବାଧୀନ ଏବଂ ୨ ଜଣ ବିଜେପି କାଉନ୍‌ସିଲରଙ୍କୁ ନେଇ ମୋଟ ୧୧ ଜଣ ଅନାସ୍ଥା ପ୍ରସ୍ତାବରେ ସ୍ବାକ୍ଷର କରିଥିଲେ।