ସୁସ୍ଥ ହେବେ ମହାପ୍ରଭୁ: ଶ୍ରୀଜିଉମାନଙ୍କ ପାଇଁ ବଡ଼ ଓଡ଼ିଆ ମଠ ଯୋଗାଇଦେଲା ଫୁଲୁରୀ ତେଲ

ପୁରୀ: ପବିତ୍ର ସ୍ନାନଯାତ୍ରାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଶ୍ରୀଜିଉମାନେ ଜ୍ୱରରେ ପଡ଼ିଛନ୍ତି। ଏବେ ଅଣସର ପିଣ୍ଡିରେ ବିଜେ କରିଥିବା ଜ୍ୱର ପୀଡ଼ିତ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଗୁପ୍ତନୀତି ଚାଲିଛି। ଦଇତାପତି ସେବକମାନଙ୍କ ଦ୍ଵାରା ଶାସ୍ତ୍ରାନୁମୋଦିତ ଚିକିତ୍ସା ଚିକିତ୍ସା ଚାଲିଛି। ନୀଳାଦ୍ରି ମହୋଦୟ ଶାସ୍ତ୍ରାନୁସାରେ ବିଶ୍ୱାବସୁ ତଥା ବିଦ୍ୟାପତିଙ୍କ ବଂଶଧରମାନେ ଶ୍ରୀଅଙ୍ଗରୁ ଲେପ ଛଡ଼ାଇବା ପୂର୍ବରୁ ମହାପ୍ରଭୁଙ୍କୁ ଔଷଧଯୁକ୍ତ ତୈଳ ମର୍ଦ୍ଦନ କରିଥାନ୍ତି। ଏହି ପରମ୍ପରା ତଥା ଶାସ୍ତ୍ର ଆଧାରରେ ଆଜି ଅଣସର ବାସରେ ଥିବା ଶଯ୍ୟାଶାୟୀ ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରୀ ତେଲ ଲାଗି କରାଯାଇଛି। ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶକ୍ରମେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶରୀରରେ ଏହି ଔଷଧୀୟ ତୈଳ ମର୍ଦ୍ଦନ ହୋଇଛି। ଏହି ତେଲ ଶ୍ରୀଅଙ୍ଗରେ ମର୍ଦ୍ଦନ ପରେ ମହାପ୍ରଭୁ ସୁସ୍ଥ ହେବେ। ଶ୍ରୀଜିଉମାନେ ସୁସ୍ଥ ହେବା ପରେ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।

ମହାପ୍ରଭୁଙ୍କ ପାଇଁ ଆଜି ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ପ୍ରକ୍ରିୟାରେ ଫୁଲୁରୀ ତେଲ ପ୍ରସ୍ତୁତ ହୋଇଥିଲା। ଏହି ନୀତି ପାଇଁ ପୂର୍ବରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଥିଲା। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ପରମ୍ପରା ମୁତାବକ ବଡ ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରୀ ତେଲ ବିଜେ ପାଇଁ ଖବର ଯାଇଥିଲା। ଏହି ବାର୍ତ୍ତା ପାଇବା ପରେ ବଡ ଓଡ଼ିଆ ମଠ ମହନ୍ତଙ୍କ ସହ ଅନ୍ୟମାନେ ମହୌଷଧୀଯୁକ୍ତ ଫୁଲୁରୀ ତେଲକୁ ବଡ ଓଡ଼ିଆ ମଠରୁ ଶୋଭାଯାତ୍ରାରେ ଶ୍ରୀମନ୍ଦିର ନେଇଥିଲେ।

ସୂଚନାଯୋଗ୍ୟ, ଫୁଲୁରୀ ତେଲ ସ୍ୱତନ୍ତ୍ର ପ୍ରଣାଳୀରେ ପ୍ରସ୍ତୁତ ହୋଇଥାଏ। ଏହି ତେଳ ପାଇଁ ତିନୋଟି ତିନି ସେରିଆ ମାଟି ଘଡ଼ିର ଆବଶ୍ୟକତା ରହିଥାଏ। ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣରେ ଫୁଲୁରୀ ତେଲ ପ୍ରସ୍ତୁତ କରାଯାଇଥାଏ।

ସମ୍ବନ୍ଧିତ ଖବର