ଖଜୁରୀପଡ଼ା: ଅସହ୍ୟ ରୌଦ୍ରତାପ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ ସକାଳ ପାହିଲେ ଲାଗିରହୁଛି ଜଳଚିନ୍ତା। କୂଅ, ପୋଖରୀ ସବୁ ଶୁଖିଲା। ସମସ୍ୟା ପ୍ରତି ପ୍ରଶାସନର ନଜର ପଡ଼ୁନଥିବ‌ାରୁ ଆଜି ଖଜୁରୀପଡ଼ା ବ୍ଲକ ଗୁଦାରୀ ଗ୍ରାମବାସୀ ତାତିବା ସହ ହାଣ୍ଡିମାଠିଆ ଧରି ରାସ୍ତାକୁ ଓହ୍ଲାଇଥିଲେ। ଆଜି ସକାଳୁ ଗୁଦାରୀ ଆର୍‌ଆଇ ଅଫିସ୍ ନିକଟରେ  ଫୁଲବାଣୀ-ଭୁବନେଶ୍ବର ୧୫୭ ନମ୍ବର ଜାତୀୟ ରାଜପଥକୁ ଗ୍ରାମବାସୀ ଅବରୋଧ କରିଥିଲେ। ଶତାଧିକ ପୁରୁଷ ଓ ମହିଳା ରାସ୍ତା ଉପରେ ହାଣ୍ଡି ଓ ବାଲଟି ରଖି ବସି ରହିଥିଲେ। ଫଳରେ ଏହି ରାସ୍ତା ଦେଇ ଭୁବ‌ନେଶ୍ବରକୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଗ୍ରାମବାସୀଙ୍କ କହିବା ଅନୁସାରେ ପଞ୍ଚାୟତରେ ବହୁଦିନ ହେଲା ପାନୀୟଜଳ ସମସ୍ୟା ରହିଛି। ଏନେଇ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ଏନେଇ କୌଣସି ସମାଧାନ ହେଉନି। ଖୁବ୍‌ଶୀଘ୍ର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଗ୍ରାମବାସୀ ଦାବି କରିଥିଲେ। ଖବର ପାଇ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର, ରାଜସ୍ବ ନିରୀକ୍ଷକଙ୍କ ସମେତ ବ୍ଲକ ପ୍ରଶାସନ ଓ ପୁଲିସ ପହଞ୍ଚି ଗ୍ରାମବାସୀକୁ ବୁଝାସୁଝା କରିଥିଲେ। ପ୍ରାୟ ୨ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିବା ବେ‌ଳେ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ଏଥିରୁ କ୍ଷାନ୍ତ ହୋଇଥିଲେ।

Advertisment