ସଫେଇ କର୍ମଚାରୀକୁ ଶାରୀରିକ ନିର୍ଯାତନା! ଭିଡିଓ ଭାଇରାଲ୍‌ ପରେ ଚାକିରିରୁ ତଡ଼ିଲେ

ଅମ୍ବାଭୋନା : ଅମ୍ବାଭୋନା ବ୍ଳକ ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡା. ହିତାଂକ୍ଷୀ ପ୍ରଧାନ ନିଜ ଘରୋଇ କାମରେ ନିୟୋଜିତ କରିଥିବା ସଫେଇ କର୍ମଚାରୀଙ୍କୁ ଶାରୀରିକ ନିର୍ଯାତନା ସହ ଜାତିଆଣ ଆକ୍ଷେପ କରିଥିବା କର୍ମଚାରୀ ଲଳିତ କଂସା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ଅମ୍ବାଭୋନା ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି। ଭିଡିଓ ଭାଇରାଲ ପରେ ଡାକ୍ତର ପ୍ରଧାନ ସଫେଇ କର୍ମଚାରୀକୁ କାମ ରୁ ବାହାର କରିଦେଇଛନ୍ତି।

ଅଭିଯୋଗ ହେଲା, ଭୁକ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଗତ ୨୦୧୯ ଜୁଲାଇ ୨୨ତାରିଖରୁ ଲଳିତ ଠିକା ସଂସ୍ଥା ଦ୍ବାରା ସଫେଇ କର୍ମଚାରୀ ଭାବେ ନିଯୁକ୍ତି ପାଇ କାମ କରୁଥିଲେ । କିନ୍ତୁ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ହିତାଂକ୍ଷୀ ପ୍ରଧାନ ଘରୋଇ କାମରେ ଲଳିତଙ୍କୁ ନିୟୋଜିତ କରି ଏକ ବର୍ଷ ଧରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ତାଙ୍କୁ ପାଇଖାନା ଠାରୁ ଆରମ୍ଭ କରି ଅଇଁଠା ବାସନ ସଫା କରାଉଥିଲେ। ଏହାକୁ ବାରଣ କଲେ ଜାତିଆଣ ଆକ୍ଷେପ କରି ଅଶ୍ଳିଳ ଭାଷାରେ ଗାଳିଗୁଳଜ କରି କାମରୁ ବାହାର କରିବାକୁ ଧମକ ଦେଉଥିଲେ। ଏହାର ଭିଡିଓ ଭାଇରାଲ୍‌ ହୋଇଥିଲା। ଫଳରେ ଲଳିତ ଥାନାରେ ଏତଲା ଦେଇଥିଲେ। ଅମ୍ବାଭୋନା ଥାନା ଅଧିକାରୀ ଆଳୋକ ବେହେରା  ଘଟଣାର  ତଦନ୍ତ ଜାରି ରଖିଛନ୍ତି । ପୁଲିସ୍‌ କେସ ନମ୍ବର ୧୧/ ଆଇପିସି ୩୪୧,୨୯୪,୫୦୬,ଏସି ଏସ ଟି ଧାରା ୩(୧) ଆର ୩(୧)ଏସ ୩(୨)ଭିଏରେ ମାମଲା ରୁଜୁ କରିଛି। ତେବେ ଅଭିଯୋଗ ଭିତ୍ତିହୀନ ବୋଲି ଡା. ପ୍ରଧାନ କହିଛନ୍ତି। ଲଳିତ ନିଜ କାମରେ ଅବହେଳା କରୁଥିବା ଯୋଗୁଁ ଠିକା ସଂସ୍ଥା ହିଁ ତାଙ୍କୁ ଚାକିରିରୁ ବାହାର କରିଥିଲା। ଯେଉଁ ଭିଡିଓ କଥା କୁହାଯାଉଛି, ତାହା ଲଳିତ ଡାକ୍ତରଖାନାରେ କାମ କରୁଥିବା ବେଳର ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର