ଫିଜିଓଥେରାପିରେ ନୂତନ ବୋର୍ଡ ଅଫ ଷ୍ଟଡିଜ୍‌ ଗଠନ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ୱୀକୃତିପ୍ରାପ୍ତ ଫିଜିଓଥେରାପି, ଅକ୍ୟୁପେସନାଲ ଥେରାପି, ପ୍ରୋସ୍ଥୋଟିକ୍‌, ଅର୍ଥୋଟିକ୍ସ କଲେଜଗୁଡ଼ିକରେ ଶିକ୍ଷା ଓ ପରୀକ୍ଷା ସମ୍ପର୍କିତ ବିଷୟବସ୍ତୁକୁ ନେଇ ବୋର୍ଡ ଅଫ୍‌ ଷ୍ଟଡିଜ୍‌ ଗଠନ କରାଯାଇଛି। ୩୦ବର୍ଷ ପରେ ଉତ୍କଳ ବିଶ୍ୱବିଦ୍ୟାଳୟର ନିୟମ ତଥା ଷ୍ଟାଚ୍ୟୁଇଟି ଅନୁଯାୟୀ, ପ୍ରଥମଥର ପାଇଁ ଉକ୍ତ ପାଠ୍ୟକ୍ରମଗୁଡ଼ିକୁ ନେଇ ନୂତନ ବୋର୍ଡ ଅଫ୍‌ ଷ୍ଟଡିଜ୍‌ ଗଠନ ହୋଇଛି। ଏଭଳି ନିଷ୍ପତ୍ତି ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ବୋର୍ଡ ଅଫ୍‌ ଷ୍ଟଡିଜ୍‌ର ସଭାପତି ତଥା ନିରତାର ଫିଜିଓଥେରାପି ବିଭାଗ ମୁଖ୍ୟ ପତିତପାବନ ମହାନ୍ତି ସାଧୁବାଦ ଜଣାଇଛନ୍ତି।

ଏକ ପ୍ରେସ୍‌ ବିଜ୍ଞପ୍ତିରେ ଶ୍ରୀ ମହାନ୍ତି କହିଛନ୍ତି ଯେ ଉତ୍କଳ ବିଶ୍ୱବିଦ୍ୟାଳୟର ଷ୍ଟାଚ୍ୟୁଇଟ୍‌ ନମ୍ବର ୯ର ପଏଣ୍ଟ-୧ ଅନୁଯାୟୀ, ଯେକୌଣସି ବିଷୟର ବୋର୍ଡ ଅଫ୍‌ ଷ୍ଟଡିଜ୍‌ରେ ଉକ୍ତ ବିଷୟର ବିଶେଷଜ୍ଞ ତଥା ସ୍ୱତନ୍ତ୍ର ଜ୍ଞାନ ଥିବା ବ୍ୟକ୍ତିବିଶେଷ ଏହାର ସଦସ୍ୟ ରହିପାରିବେ। ବିଶ୍ୱବିଦ୍ୟାଳୟ ଅଧୀନ ସମସ୍ତ କଲେଜକୁ ଉପଯୁକ୍ତ ପ୍ରତିନିଧିତ୍ବ ମିଳିବା ଉଚିତ। ପୁରୁଣା ବୋର୍ଡ ଅଫ୍‌ ଷ୍ଟଡିଜ୍‌ରେ ଥିବା ନିରତାର ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ବୈଷୟିକ, ପିଏମ୍‌ଆର ବିଭାଗୀୟ ମୁଖ୍ୟ ଫିଜିଓଥେରାପି, ଅକ୍ୟୁପେସନାଲ ଥେରାପି, ପ୍ରୋସ୍ଥୋଟିକ୍‌, ଅର୍ଥୋଟିକ୍ସ ବିଷୟରେ ବିଶେଷଜ୍ଞ ନୁହନ୍ତି। ନିରତାର ବ୍ୟତୀତ ଅନ୍ୟ କଲେଜକୁ ପ୍ରତିନିଧିତ୍ବ ମିଳି ନ ଥିଲା। ନିରତାରରେ ଟ୍ରେନିଂ ସଂଯୋଜକ ପଦ ନ ଥିବା ବେଳେ ଟ୍ରେନିଂ ସଂଯୋଜକ ବୋର୍ଡରେ ସ୍ଥାନ ପାଇବା ଆଶ୍ଚର୍ଯ୍ୟଜନକ। ବିଶ୍ୱବିଦ୍ୟାଳୟ ନିୟମ ନ ଜାଣି ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରାଯାଉଛି।

ସେ ଆହୁରି କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଷ୍ଟାଚ୍ୟୁଇଟି ଅନୁଯାୟୀ, ସ୍ନାତକୋତ୍ତର ବିଭାଗୀୟ ମୁଖ୍ୟ ଉକ୍ତ ବିଭାଗରେ ଥିବା ରିଡର୍‌ କିମ୍ବା ତା’ଠାରୁ ଅଧିକ ପଦରେ ଥିବା ଅଧ୍ୟାପକଙ୍କୁ ଏକ୍ସ-ଅଫିସିଆଲ ସଦସ୍ୟ ଭାବେ ଗ୍ରହଣ କରାଯାଏ। ବୋର୍ଡ ଅଫ୍‌ ଷ୍ଟଡିଜ୍‌ରେ ଉକ୍ତ ବିଭାଗ ବ୍ୟତୀତ ଅନ୍ୟମାନଙ୍କର ସ୍ଥାନ ନାହିଁ। ସ୍ନାତକୋତ୍ତର ଫିଜିଓଥେରାପି ଓ ଆକ୍ୟୁପେସନାଲ ଥେରାପିରେ ସ୍ପେସିଆଲାଇଜେସନ୍‌ ହଟାଇବା ପାଇଁ ନିରତାର ନିର୍ଦ୍ଦେଶକ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖିବା ଔଷଧ ବିକଳରେ ତାଟିଆ କାମୁଡ଼ିବା ସଦୃଶ। ୨୦୦୨ରେ ମାତ୍ର ଜଣେ ସ୍ନାତକୋତ୍ତର ଡିଗ୍ରିଧାରୀ ଶିକ୍ଷକଙ୍କ ସହାୟତାରେ ଫିଜିଓଥେରାପି ପାଠ୍ୟକ୍ରମ ଆରମ୍ଭ ହୋଇଥିଲା। ବର୍ତମାନ ସମସ୍ତ ଶିକ୍ଷକ ଡିଗ୍ରିଧାରୀ। ଜଣେ ପିଏଚ୍‌ଡି ଡିଗ୍ରିଧାରୀ ଓ ଅନ୍ୟମାନେ ପିଏଚ୍‌ଡି କରୁଛନ୍ତି। ଅନେକ ଗବେଷଣାଗତ ସନ୍ଦର୍ଭ ଅନ୍ତର୍ଜାତୀୟସ୍ତରୀୟ ଜର୍ଣ୍ଣାଲରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଉଭୟ ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ବିଶ୍ୱବିଦ୍ୟାଳୟ ନିୟମ ଅନୁଯାୟୀ ଚାଲିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର