ଦାୟିତ୍ୱ ନେଲେ ରଞ୍ଜନା ଦେବଶର୍ମା

ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଓଡିଶା ପ୍ରଭାରୀ

ଭୁବନେଶ୍ୱର : ଭାରତୀୟ ସୂଚନା ସେବାର ୧୯୯୧ ବ୍ୟାଚ୍‌ର ବରିଷ୍ଠ ଅଧିକାରୀ ରଞ୍ଜନା ଦେବ ଶର୍ମା ଅତିରିକ୍ତ ମହାନିର୍ଦ୍ଦେଶକ ଓଡିଶା ପ୍ରଭାରୀ ରୂପେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି । ପୂର୍ବାହ୍ନରେ ସେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱରରେ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀମତୀ ଦେବଶର୍ମା ପ୍ରଥମେ ଦୂରଦର୍ଶନ ସମାଚାର ବିଭାଗ ନୂଆଦିଲ୍ଲୀରୁ ନିଜର କାର୍ଯ୍ୟକାଳ ଆରମ୍ଭ କରିଥିଲେ । ତାଙ୍କର ଦୀର୍ଘ ୨୬ ବର୍ଷର ଅନୁଭୂତି ଓ କାର୍ଯ୍ୟକାଳ ମଧ୍ୟରେ ସେ ପ୍ରକାଶନ ନିର୍ଦ୍ଦେଶାଳୟ ଅନ୍ତର୍ଗତ ଏମ୍ଲୟେମେଂଟ ନ୍ୟୁଜରେ ସମ୍ପାଦକ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅଧିକାରୀ ସମେତ ଅନେକ ଦାୟିତ୍ୱ ସଫଳତାର ସହ କାର୍ଯ୍ୟ କରି ଆସିଛନ୍ତି । ଶ୍ରୀମତୀ ଦେବଶର୍ମା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବ୍ରିଟେନ ସରକାରଙ୍କ ମର୍ଯ୍ୟାଦାପୂର୍ଣ୍ଣ ଆନ୍ତର୍ଜାତିକ ସେଭେନିଂ ସ୍କଲାରସିପ୍‌ ଫର ବ୍ରୋଡକାଷ୍ଟିଂ ଜର୍ଣ୍ଣାଲିଜମ, ଆମେରିକାର ଡ୍ୟୁକ୍‌ ବିଶ୍ୱବିଦ୍ୟାଳୟ, ହାୱାର୍ଡ ବିଶ୍ୱବିଦ୍ୟାଳୟ ଏବଂ ବର୍କଲେର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟୟନ କରିଛନ୍ତି ।

ଶ୍ରୀମତୀ ଦେବଶର୍ମା ଅତିରିକ୍ତ ମହାନିର୍ଦ୍ଦେଶକ (ଓଡିଶା କ୍ଷେତ୍ର ପ୍ରଭାରୀ) ଦାୟିତ୍ୱ ସମେତ ଆରଏନଆଇର ଅତିରିକ୍ତ ପ୍ରେସ ରେଜିଷ୍ଟ୍ରାର (ଓଡିଶା) ଭାବେ ମଧ୍ୟ କାର୍ଯ୍ୟ ତୁଲାଇବେ । କେନ୍ଦ୍ର ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ମୁତାବକ ସେ ସମଗ୍ର ଓଡିଶାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି, ଯୋଜନା ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାରର ସାମଗ୍ରିକ ଦାୟିତ୍ୱରେ ରହିବେ । ତାଙ୍କ ଅଧୀନରେ ଏବଂ ପ୍ରଶାସନିକ ନିୟନ୍ତ୍ରଣରେ କ୍ଷେତ୍ର ପ୍ରଚାର ନିର୍ଦ୍ଦେଶାଳୟ, ଓଡିଶା କ୍ଷେତ୍ର, ଡିଏଭିପି, ଗୀତ ଓ ନାଟକ ପ୍ରଭାଗ ଓ ଆରଏନଆଇ କାର୍ଯ୍ୟ କରିବ । ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ କ୍ଷେତ୍ର ପ୍ରଚାର ନିର୍ଦ୍ଦେଶାଳୟ, ଡିଏଭିପି ଓ ଗୀତ-ନାଟକ ପ୍ରଭାଗର ଏକୀକରଣ କାର୍ଯ୍ୟ ସମ୍ଭାଳିବେ ।

ସମ୍ବନ୍ଧିତ ଖବର