ଭୁବନେଶ୍ବର: ଗୋଟିଏ ରାତିରେ ରାସ୍ତାର ରୂପରେଖ ବଦଳି ଯାଉଛି। ସରକାର ରାସ୍ତାରେ ନୂଆ ପିଚୁ ଢାଳୁଛନ୍ତି, ଆଉ ସକାଳୁ ଉଠିବା ବେଳକୁ ଚିକ୍ ଚିକ୍ କରୁଛି ରାସ୍ତା। ସମସ୍ତେ ଖୁସ୍। ଦିନ କେତେଟା ପରେ ସେହି ରାସ୍ତା କିନ୍ତୁ ଆଉ ଯାନବାହନ ଯିବା ଉପଯୋଗୀ ହୋଇ ରହୁନାହିଁ। ଏ ଚିତ୍ର କେବଳ ରାଜଧାନୀର ନୁହେଁ, ସମଗ୍ର ରାଜ୍ୟରୁ ଏଭଳି ଅଭିଯୋଗମାନ ଆସିବାରେ ଲାଗିଛି। କାହିଁକି ଏଭଳି ହେଉଛି, ସେ ନେଇ ଯନ୍ତ୍ରୀମାନଙ୍କର ମତ ମଧ୍ୟ ମେଳ ଖାଉନାହିଁ। ଠିକ୍ ଏମିତି ସମୟରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ପିଚୁ କିଣାରେ ଏକ ବଡ଼ କେଳେଙ୍କାରୀ ହେଉଛି। ସବୁ ପ୍ରକାର ନିୟମକାନୁନ୍କୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି ଠିକାଦାର। ଏଥିରେ ସେମାନଙ୍କୁ ଖୋଲାଖୋଲି ସହଯୋଗର ହାତ ବଢ଼ାଉଛନ୍ତି ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ। କୌତୂହଳର କଥା ହେଲା, ରାଜ୍ୟରେ ନିମ୍ନମାନର ରାସ୍ତା କାମ ନେଇ ସରକାରଙ୍କ ପାଖରେ ଗଦା ଗଦା ଅଭିଯୋଗ ପହଞ୍ଚୁଛି; ଓଡ଼ିଶା ବିପୁଳ ରାଜସ୍ବ କ୍ଷତି ସହୁଛି। ହେଲେ ମାଲାମାଲ ହେଉଛନ୍ତି ଯନ୍ତ୍ରୀ, ଠିକାଦାର, ପ୍ରଶାସନିକ ଅଧିକାରୀ।
ଖବରଟି ହେଉଛି ଏମିତି; ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିବା ପିଚୁ ଆଇଓସିଏଲ୍, ଏଚ୍ପିସିଏଲ୍ ପରି ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଗୁଡ଼ିକଠାରୁ କିଣାଯିବା ପାଇଁ ନିୟମ ରହିଛି। ସରକାର ବିଭିନ୍ନ ସମୟରେ ଏନେଇ ନିର୍ଦ୍ଦେଶ ମଧ୍ୟ ଜାରି କରିଛନ୍ତି। ତୈଳ କମ୍ପାନିଗୁଡ଼ିକର ପିଚୁ ଗୁଣାତ୍ମକ ମାନର ହୋଇଥିବାରୁ ରାସ୍ତା ମଜଭୁତ୍ ହୁଏ। କିନ୍ତୁ ସରକାରଙ୍କ ନିୟମ ଫାଇଲ ଭିତରେ ଅଳନ୍ଧୁ ଧରିଛି, ଯାହା ଯନ୍ତ୍ରୀ-ଠିକାଦାର ଚାହୁଁଛନ୍ତି ତାହା ହିଁ କାର୍ଯ୍ୟକାରୀ ହେଉଛି। ଏକ ହିସାବରୁ ଜଣାପଡ଼ିଛି ଯେ ଓଡ଼ିଶାରେ ପ୍ରତି ବର୍ଷ ପ୍ରାୟ ୫ ଲକ୍ଷ ମେଟ୍ରିକ୍ ଟନ୍ ପିଚୁର ଆବଶ୍ୟକତା ପଡ଼େ। ଏହା ମଧ୍ୟରୁ ତୈଳ ଉଦ୍ୟୋଗଗୁଡ଼ିକ ମାତ୍ର ୧ ଲକ୍ଷ ୧୨ ହଜାର ମେଟ୍ରିକ୍ ଟନ୍ ପିଚୁ ଯୋଗାଉଛନ୍ତି। ଅନ୍ୟ ରାଜ୍ୟର ଠିକାଦାର ଓ ପରିବହନ ସଂସ୍ଥା ବେଆଇନ୍ ଭାବେ ୧ ଲକ୍ଷ ୫୦ ହଜାର ମେଟ୍ରିକ୍ ଟନ୍ ପିଚୁ ଯୋଗାଉଛନ୍ତି। ଏହା ବାଦ୍ ପ୍ରାୟ ୨ ଲକ୍ଷ ମେଟ୍ରିକ୍ ଟନ୍ର ନିମ୍ନ ମାନର ପିଚୁ କିଛି ଘରୋଇ ସଂସ୍ଥା ଯୋଗାଉଛନ୍ତି। ପଡ଼ୋଶୀ ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ତୈଳ କମ୍ପାନିଗୁଡ଼ିକରୁ ପିଚୁ କିଣିବା ବାଧ୍ୟତାମୂଳକ କରାଯାଇଥିଲା ବେଳେ ଓଡ଼ିଶା ଏ କ୍ଷେତ୍ରରେ ନିୟମକୁ କଡ଼ା କଡ଼ି କରିନଥିବାରୁ ଏହି ଗଳାବାଟ ଦେଇ ନିମ୍ନ ମାନର ପିଚୁ କାରବାର ଚାଲିଛି। ଗୋଟିଏ ଧାଡ଼ିରେ କହିଲେ , ବର୍ଷକୁ ପ୍ରାୟ ୭୬%ରୁ ଅଧିକ ଅର୍ଥାତ୍ ୩ଲକ୍ଷ ୮୮ ହଜାର ମେଟ୍ରିକ୍ ଟନ୍ ପିଚୁର ମାନ ନେଇ ପ୍ରଶ୍ନ ଉଠୁଛି।
ଓଡ଼ିଶା ବଜାରରେ ତୈଳ କମ୍ପାନିଗୁଡ଼ିକ ମଧ୍ୟରୁ କେବଳ ଏଚ୍ପିସିଏଲ୍ ଓ ଆଇଓସିଏଲ୍ ପିଚୁ ଯୋଗାଣ କରିଥା’ନ୍ତି। ଏଥିରୁ ସିଂହ ଭାଗ ଏଚ୍ପିସିଏଲ୍ର। ଭାଇଜାଗ୍ ଟର୍ମିନାଲ୍, ହଳଦିଆ ଟର୍ମିନାଲ୍ ଓ ପାରାଦୀପ ଟର୍ମିନାଲ୍ରୁ ପିଚୁ ଆସିଥାଏ। ଏନ୍ଏବିଏସ୍ କ୍ରେଡିଟ୍ ଲାବ୍ରେ ପରୀକ୍ଷା ହେଲା ପରେ ବ୍ୟବହାର ପାଇଁ ବାହାରକୁ ଆସେ। ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ତୈଳ କମ୍ପାନିଠାରୁ ପିଚୁ ଆଣି ସରକାରୀ ସଂସ୍ଥା ଓ ଠିକାଦାରଙ୍କୁ ଯୋଗାଇବାକୁ ଅନୁମତି ପାଇଛି। ତେଣୁ ଠିକାଦାରମାନେ ସିଧାସଳଖ ତୈଳ କମ୍ପାନିଠାରୁ ନଚେତ କ୍ଷୁଦ୍ର ଶିଳ୍ପ ନିଗମ ଠାରୁ କିଣିପାରିବେ। କିନ୍ତୁ ପିଚୁ ଯୋଗାଉଥିବା ଘରୋଇ ସଂସ୍ଥାଗୁଡ଼ିକ ଜାହାଜରେ ବାହାରୁ ପିଚୁ ଆଣନ୍ତି ଓ ବନ୍ଦର ଅଞ୍ଚଳରେ ଘରୋଇ ଟ୍ୟାଙ୍କରେ ତାହାକୁ ମହଜୁଦ୍ ରଖି ପରବର୍ତ୍ତୀ ସମୟରେ ଗ୍ରାହକଙ୍କୁ ଯୋଗାଇ ଦିଅନ୍ତି। କୌଣସି ସ୍ତରରେ ଏହାର ମାନ ପରୀକ୍ଷା ହୁଏ ନାହିଁ। ଓଡ଼ିଶାକୁ ମୁଖ୍ୟତଃ ଭାଇଜାଗ ଓ ହଳଦିଆ ବନ୍ଦର ଅଞ୍ଚଳରୁ ନିମ୍ନ ମାନର ପିଚୁ ଆସୁଛି। ଏଗୁଡ଼ିକର ମାନ ଆଦୌ ଯାଞ୍ଚ୍ ହେଉ ନାହିଁ। ଯେହେତୁ ଘରୋଇ ସଂସ୍ଥାଗୁଡ଼ିକ ନିମ୍ନ ମାନର ପିଚୁ ଦେଉଛନ୍ତି, ତେଣୁ ସେମାନଙ୍କ ଠାରୁ ଠିକାଦାରମାନେ କମ୍ ଦରରେ ଏସବୁ କିଣୁଛନ୍ତି। ସରକାରୀ ଯନ୍ତ୍ରୀମାନେ ସବୁ ଜାଣି ନ ଜାଣିଲା ପରି ରହୁଛନ୍ତି। ଆଖି ବୁଜା ବିଲ୍ ଦସ୍ତଖତ କରୁଛନ୍ତି।
ଏ କ୍ଷେତ୍ରରେ କିଛି ଅଭିଜ୍ଞଙ୍କର କହିବା କଥା, ପୂର୍ତ୍ତ ବିଭାଗ ପକ୍ଷରୁ ପିଚୁ ବ୍ୟବହାର ନେଇ ପୂର୍ବରୁ ବିଜ୍ଞପ୍ତି ଜାରି କରାଯାଇଛି। ତୈଳ କମ୍ପାନିଗୁଡ଼ିକ ଠାରୁ ହିଁ ପିଚୁ ବ୍ୟବହାର କରାଯିବ ବୋଲି ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କିନ୍ତୁ ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଦାୟିତ୍ବ ତଳ ସ୍ତରର ଅଧିକାରୀଙ୍କର ବୋଲି କହି ବିଭାଗ ହାତ ଟେକି ଦେଇଛି। ବାସ୍ତବରେ ଉଭୟ ଉପର ଓ ତଳ ସ୍ତରରେ ହିଁ ଲିଖିତ ନିର୍ଦ୍ଦେଶକୁ ନ ମାନିବା ପାଇଁ ଅଘୋଷିତ ନିଷ୍ପତ୍ତି ନେଇଛନ୍ତି।
ଏହି ମହଲ ଆହୁରି କହୁଛନ୍ତି ଯେ ନିମ୍ନ ମାନର ପିଚୁ ବ୍ୟବହାର ଦ୍ବାରା କେବଳ ଯେ ରାସ୍ତା ଖରାପ ହେଉଛି, ତାହା ନୁହେଁ। ଏହା ଦ୍ବାରା ଜିଏସ୍ଟି ବାବଦରେ ସରକାର ବାର୍ଷିକ ପ୍ରାୟ ୧୦୦ କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଓଡ଼ିଶାରେ ନିମ୍ନ ମାନର ପିଚୁ କାରବାର ଓ ଇନ୍ଭଏସ୍ ଯାଞ୍ଚ କରା ନଯାଇ ପିଚୁ କିଣାଯିବା ଘଟଣାରେ ବଡ଼ ରୢାକେଟ୍ କାମ କରୁଛି। ଏହି ରୢାକେଟ୍ ପଡ଼ୋଶୀ ରାଜ୍ୟ ଯାଏ ଲମ୍ବିଛି। ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ କେବଳ ତୈଳ କମ୍ପାନିରୁ ପିଚୁ କିଣିବାକୁ ବାଧ୍ୟତାମୂଳକ କରାଯାଇଛି। ସେଠାରେ ପିଚୁର ଇନ୍ଭଏସ୍ ଯାଞ୍ଚ୍ କଡ଼ାକଡ଼ି କରାଯାଇଛି। ଏଥି ପାଇଁ ସରକାର, ତୈଳ କମ୍ପାନି ଓ ଠିକାଦାରଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କାର୍ଯ୍ୟ କରୁଛି। ସେଠାରେ ଠିକାଦାରମାନେ ଯେତିକି ପିଚୁ କିଣିବେ, ସେହି ଇନ୍ଭଏସ୍ ସରକାରଙ୍କ ନିକଟରେ ଦାଖଲ କରିବାକୁ ବାଧ୍ୟ। ତେଣୁ ଗୋଟିଏ ରାସ୍ତା ପାଇଁ ଯେତିକି ପରିମାଣରେ ପିଚୁ ଦରକାର, ସେମାନେ ତୈଳ କମ୍ପାନିଗୁଡ଼ିକ ଠାରୁ ସେତିକି କିଣନ୍ତି। ସେହି ଇନ୍-ଭଏସ୍ ଦାଖଲ କରେ ହିଁ ବିଲ୍ ପାସ୍ ହୁଏ। ପିଚୁ ଜିଏସ୍ଟି ଅନ୍ତର୍ଭୁକ୍ତ ହୋଇଥିବାରୁ ସେହିସବୁ ରାଜ୍ୟରେ ଜିଏସ୍ଟି ବାବଦକୁ ରାଜସ୍ବ ରାଜକୋଷକୁ ଯାଏ। କିନ୍ତୁ ସେଠାରେ ବହୁ ଠିକାଦାର ଆବଶ୍ୟକ ମୁତାବକ ପିଚୁ କିଣୁଥିଲେ ବି ସବୁତକ ବ୍ୟବହାର କରନ୍ତି ନାହିଁ। ତାହାକୁ କମ୍ ଦାମରେ କିମ୍ବା ନକଲି ଜିଏସ୍ଟି ବିଲ୍ ଦେଇ ଓଡ଼ିଶାର ଠିକାଦାରଙ୍କୁ ବିକି ଦିଅନ୍ତି। ଏହା ଦ୍ବାରା ଓଡ଼ିଶା ସରକାର ଜିଏସ୍ଟି ବାବଦରେ ଟଙ୍କାଟିଏ ପାଆନ୍ତି ନାହିଁ। ଯେହେତୁ ଏଠାରେ ପିଚୁ କିଣାର ଜିଏସ୍ଟି ବିଲ୍ ଯାଞ୍ଚ୍ର ବ୍ୟବସ୍ଥା ନାହିଁ, ତେଣୁ ତାହାର ଭରପୂର ଫାଇଦା ଉଠାଉଛନ୍ତି ଠିକାଦାର।
ପୂର୍ତ୍ତ ବିଭାଗ ଠାରୁ ଆରମ୍ଭ କରି ଅର୍ଥ ବିଭାଗ ଯାଏ ସମସ୍ତେ ଏହି ଠକେଇ ବାବଦରେ ଜାଣୁଥିଲେ ବି ଚୁପ୍ ରହିଯାଉଛନ୍ତି। ନା ପୂର୍ତ୍ତ ବିଭାଗ ମୁଣ୍ଡ ଖେଳାଉଛି ନା ଜିଏସ୍ଟି କର୍ତ୍ତୃପକ୍ଷ। କେବଳ ବିଭିନ୍ନ ସମୟରେ ଏ ସଂକ୍ରାନ୍ତ ସରକାରୀ ନିର୍ଦ୍ଦେଶନାମା ବାହାର କରିଦେଇ ଅଧିକାରୀମାନେ ହାତ ଟେକିଦେଇଛନ୍ତି। ମନ୍ତ୍ରୀ, ମୁଖ୍ୟସଚିବ କେବେ ଏ ନେଇ ସମୀକ୍ଷା କରିନାହାନ୍ତି, ସିଏଜି ମଧ୍ୟ ଏହା ଉପରେ କେବେ ଅଡିଟ୍ କରିନାହାନ୍ତି।