ବୈପାରିଗୁଡା: ନିର୍ବାଚନ ସଭା ଶେଷରେ ଶୋକସଭାରେ ପରିଣତ ହୋଇଗଲା। ସଭାରେ ଉପସ୍ଥିତ ଥିବା ଶତାଧିକ ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଡୋକ୍ରିପଡ଼ା ଘାଟି ଉପରେ ସଭାସ୍ଥଳୀ ଅଭିମୁଖେ ବାହାରିଥିବା ପିକ୍‌-ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘାଟୀ ଉପରୁ ପିକ୍‌-ଅପ୍‌ ‌ଖସିପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣ ୬ ଆହତ ହୋଇଥିବା ବେଳେ ଏଥିରୁ ୨ଜଣ ଗୁରୁତର ଅଛନ୍ତି। ମୃତକ ହେଲେ ସମରା ପାଙ୍ଗି (୫୦)। ଗୁରୁତର ୨ ଜଣଙ୍କ ନାଁ ସୁକୁ ପାଙ୍ଗି (୪୮) ଓ ପୀତବାସ ମାଳି (୩୮)।

Advertisment

ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଜୋନ୍-୨ ଅନ୍ତର୍ଗତ ବୋଦାପୁଟ ପଞ୍ଚାୟତର କାଳିଆଗୁଡା ଠାରେ ଆଜି ବିଜେଡ଼ି ତରଫରୁ ଏକ ନିର୍ବାଚନୀ ସଭାର ଆୟୋଜନ କରାଯାଇଥିଲା। ବୋଦାପୁଟ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଲୋକେ କାଳିଆଗୁଡା ଠାରେ ରୁଣ୍ଡ ହେଉଥିଲେ। ଏହି ନିର୍ବାଚନୀ ସଭାରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ ଯୋଗ ଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା।

publive-image

ତେବେ ଏହି ପଞ୍ଚାୟତ ଅନ୍ତର୍ଗତ କାତପଡା ଗ୍ରାମରୁ ପ୍ରାୟ ୨୫ ଜଣ ଲୋକ ଏକ ପିକ୍ଅପ୍ ଭ୍ୟାନରେ ବସି ସଭାରେ ଯୋଗ ଦେବା ପାଇଁ ବାହାରିଥିଲେ। ଗାଡ଼ିଟି ଡୋକ୍ରିପଡା ଘାଟି ଉପରେ ନିୟନ୍ତ୍ରଣ ହରାଇ ତଳକୁ ଖସିପଡ଼ି ଥିଲା। ଫଳରେ ଗାଡ଼ିରେ ବସିଥିବା ଲୋକ ମାନଙ୍କ ମଧ୍ୟରୁ ଜଣକର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଦୁର୍ଘଟଣା ଖବର ପାଇ ଆଖପାଖ ଗ୍ରାମର ଲୋକେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବା ସହ ଗାଡ଼ି ଯୋଗାଡ଼ କରି ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ  ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଜୋନ୍-୨ ଜିଲ୍ଲା ପରିଷଦ ପ୍ରାର୍ଥିନୀ କମଳା ନାୟକଙ୍କ ସମେତ ବୋଦାପୁଟ ପଞ୍ଚାୟତର ନିର୍ବାଚନରେ ଲଢ଼ୁଥିବା ସମିତି ସଭ୍ୟ, ସରପଞ୍ଚ ଏବଂ ଓ୍ବାର୍ଡ ମେମ୍ବର ଡାକ୍ତରଖାନାରେ ପହଞ୍ଚି ଆହାତ ମାନଙ୍କ ଖବର ବୁଝିଥିଲେ। ଗୁରୁତର ଛଅ ଜଣକ ମଧ୍ୟରୁ ଦୁଇ ଜଣକ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଜୟପୁର ଜିଲ୍ଲା ହସପିଟାଲକୁ ପଠାଯାଇଛି। ଖବର ପାଇ ବିଧାୟକ ରଘୁରାମ ପାଡାଲ ତଥା ବ୍ଲକ ଆବାହକ ହେମନ୍ତ କୁମାର ମହାପାତ୍ର, ପୂର୍ବତନ ବ୍ଲକ ସଭାପତି ବିଜୟ ସାମନ୍ତରାୟ, ବ୍ଲକ ଯୁବ ସଭାପତି ରମେଶ ସ୍ୱାଇଁ, ସୁରେନ୍ଦ୍ର ପ୍ରଧାନୀ,ପିଙ୍କୁ ଶତପଥି ପ୍ରମୁଖ ପହଞ୍ଚିଥିଲେ। ବିଧାୟକ ଶ୍ରୀ ପାଡାଲ ଶ୍ମଶାନରେ ପହଞ୍ଚି ସମରା ପାଙ୍ଗିଙ୍କ ଶେଷ ଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।