ନୀଳଗିରି: ଗ୍ୟାରେଜ୍ରେ ପିକ୍-ଅପ୍ ଭ୍ୟାନ୍ର ଟାୟାର ବିସ୍ଫୋରଣ ହୋଇଛି। ଏଥିରେ ଜଣେ ନାବାଳକର ୨ଟି ହାତ ଛିଣ୍ଡି ପଡ଼ିଥିବା ବେଳେ ମୁହଁ ଗଭୀର ଭାବେ କ୍ଷତବିକ୍ଷତ ହୋଇଛି। ବାଲେଶ୍ବର ଜିଲ୍ଲା ନୀଳଗିରିରେ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ଗୁରତର ଆହତ ନାବାଳକ ଅନୁନ୍ (୧୩)ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ନାବାଳକ ଅନୁନ୍ ନୀଳଗିରି ଥାନା ଅନ୍ତର୍ଗତ ପଞ୍ଚଲିଙ୍ଗେଶ୍ବର ନିକଟ ମାନଗଡ଼ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଟାୟାର ଦୋକାନକୁ ଆସିଥିଲା। ଯେଉଁ ଦେକାନରେ ଟାୟାର ଫାଟିଥିଲା ଏହାକୁ ନୁନୁ ବିଶ୍ବାଳ ନାମରେ ଜଣେ ବ୍ୟକ୍ତି ଚଳାଉ ଥିଲେ। ସନ୍ଧ୍ୟା ପ୍ରାୟ ୫ଟାରେ ଏକ ପିକ୍-ଅପ୍ ଭ୍ୟାନ୍ର ଟାୟାର ପାଖରେ ଅନୁନ୍ ଛିଡା ହୋଇଥିବା ବେଳେ ଏହା ବିସ୍ଫୋରଣ ହେଇଥିଲା। ଏଥିରେ ଟାୟାରର ରିମ୍ ଭାଙ୍ଗିଯାଇ ୨ ହାତ ଓ ମୁହଁରେ ଲାଗିଥିଲା। ଅନୁନ୍ର ୨ଟି ଯାକ ହାତ ଭାଙ୍ଗି ଯାଇଥିବା ବେଳେ ମୁହଁ ଗଭୀର କ୍ଷତ ହୋଇଛି। ସ୍ଥାନୀୟ ଲୋକେ ଅନୁନକୁ ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।