ଲକ୍ଷ୍ମୀପୁର/କାକିରିଗୁମା: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଉପରମିଟିଙ୍ଗ ଗାଁ ନିକଟ ଘାଟିରେ ଏକ ସାର ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଯୋଗୁଁ ଆଠ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଅଛନ୍ତି ଆଶୁ ଯାମ୍ବେକା, ନୀଳ ଶିରିକା, କୁଶ ସିରିକା। ଏମାନଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିପରି ସାମ୍ବ ଶିରିକା, ଆନନ୍ଦ ଶିରିକା, ଗୁପ୍ତ ଶିରିକା, କୁଶ୍ନ ୱାଡେକା ଓ ଭ୍ୟାନ ଚାଳକଙ୍କୁ କାକିରିଗୁମା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡ଼ାକ୍ତର ନଥିବାରୁ କୋରାପୁଟ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।

Advertisment

ସୂଚନା ଅନୁସାରେ କାକିରିଗୁମା ସାପ୍ତାହିକ ହାଟରୁ ନିତ୍ୟ ବ୍ୟବହାର ଜିନିଷ ପତ୍ର କିଣି ସନ୍ଧ୍ୟାରେ ପିକ୍‌ଅପ୍‌ ଭ୍ୟାନ୍‌ (ଓଡ଼ି୧୦-୩୧୧୩) ଘରକୁ ଫେରୁଥିଲା। ଭ୍ୟାନର ପଛପଟେ ବସିକି ଉପରମିଟିଙ୍ଗ ଗ୍ରାମର ପ୍ରାୟ ୨୦ରୁ ଊର୍ଦ୍ଧ୍ବ ପୁରୁଷ ଓ ମହିଳା ଫେରୁଥିଲେ। ଘାଟି ରାସ୍ତା ଯୋଗୁଁ ଅଧା ବାଟରେ ମହିଳାମାନଙ୍କୁ ଓହ୍ଲାଇ ଦେଇ ସାର ନେଉଥିବା ଲୋକଙ୍କୁ ଧରି ଗାଡ଼ି ନେଇକି ଯାଇଥିଲା। ହେଲେ ଉପରମିଟିଙ୍ଗ ଗ୍ରାମ ଠାରୁ ଦୁଇ କିଲୋମିଟର ଦୂର ଘାଟି ଉପରୁ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଡ଼ିଥିଲା।

ଖବର ପାଇ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ, କାକିରିଗୁମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ। ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଦୁର୍ଘଟଣା ହୋଇଥିଲେ ସୁଧା ଅପହଞ୍ଚ ଅଞ୍ଚଳରେ ଦୁର୍ଘଟଣା ହୋଇଥିବା କାରଣରୁ ବିଳମ୍ବରେ ଖବର ପାଇ ପ୍ରାୟ ୭ଟା ପରେ ଆହତମାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଲକ୍ଷ୍ମୀପୁର ଥାନାରେ ଏକ  ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇଥିବା ଆଇଆଇସି  କହିଛନ୍ତି।