ଫୁଲନଖରା : ବାରଙ୍ଗ ବ୍ଲକ୍‌ କୁରାଙ୍ଗ ପ୍ରଧାନ ପଞ୍ଚାୟତ ଅନ୍ତର୍ଗତ କୁରୁଣ୍ଟି ଗ୍ରାମର ୧୧ ନଂ. ଭୋଟ୍‌ ଗ୍ରହଣ କେନ୍ଦ୍ରର ପ୍ରିଜାଇଡିଂ ଅଫିସର ଭୋଟ୍‌ ସରିଲା ପରେ ନିଜ ବାଇକ୍‌ରେ ସୁରକ୍ଷାକର୍ମୀଙ୍କ ସହ ଭୋଟ୍‌ବାକ୍ସ ସାଙ୍ଗରେ ନେଇକି ଯାଉଥିବାବେଳେ ହଟହଟା ହୋଇଛନ୍ତି। ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଅଧବାଟରୁ ପୁଲିସ, ପ୍ରିଜାଇଡିଂ ଅଫିସର୍‌ଙ୍କ ସହ ଭୋଟ୍‌ବାକ୍ସକୁ ପୁନର୍ବାର ବୁଥକୁ ଫେରାଇ ଆଣିଥିଲେ। ତେବେ, ଭୋଟ୍‌ବାକ୍ସ ସିଲ୍‌ ଠିକ ନଥିବା ଅଭିଯୋଗ କରି ଉକ୍ତ ୱାର୍ଡରେ ପୁନର୍ବାର ଭୋଟ୍‌ କରାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Advertisment

ଘଟଣାରୁ ପ୍ରକାଶ, ଏହି ବିଦ୍ୟାଳୟରେ କୁରୁଣ୍ଟି ଗ୍ରାମର ୧୦ ନଂ. ଏବଂ ୧୧ ନଂ. ବୁଥ୍‌ ହୋଇଥିଲା। ୧୧ ନଂ. ବୁଥ୍‌ରେ ସମୁଦାୟ ୨୫୪ ଭୋଟ୍‌ରୁ ୨୧୧ ଖଣ୍ତ ଭୋଟ୍‌ ପୁଲିଂ ହୋଇଥିଲା। ବୁଥ୍‌ର ଏଜେଣ୍ଟ୍‌ ଭଗବାନ ଭୋଇଙ୍କ ଉପସ୍ଥିତିରେ ଭୋଟ୍‌ବାକ୍ସ ସିଲ୍‌ କରି ପ୍ରିଜାଇଡିଂ ଅଫିସର୍‌ ତାଙ୍କଠାରୁ ଦସ୍ତଖତ ନେଇଥିଲେ। ‘ସବୁ କାମ ସରିଗଲା’ କହି ଏଜେଣ୍ଟମାନଙ୍କୁ ସେଠାରୁ ବିଦା କରିଦେଲା ପରେ ନିଜ ବାଇକ୍‌ରେ ଜଣେ ପୁଲିସ କର୍ମଚାରୀଙ୍କ ସହ ଭୋଟ୍‌ବାକ୍ସ ନେଇ ପଳାଇ ଯାଇଥିଲେ। ସରକାରଙ୍କ ପକ୍ଷରୁ ଭୋଟ ବାକ୍ସ ନେବାପାଇଁ ନିୟୋଜିତ ଚାରିଚକିଆ ଗାଡ଼ିରେ ଭୋଟ୍‌ବାକ୍ସକୁ ନନେଇ ପ୍ରିଜାଇଡିଂ ଅଫିସ୍‌ରେ ବାଇକ୍‌ରେ ଭୋଟ୍‌ବାକ୍ସ ନେଇକି ପଳାଇବାରୁ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ଗ୍ରାମବାସୀମାନେ ସେଠାରେ ଉପସ୍ଥିତ ଥିବା ପୁଲିସ ଅଧିକାରୀଙ୍କୁ ଜଣାଇବାରୁ ସେମାନେ ଉପରିସ୍ଥ ଅଧିକାରୀଙ୍କୁ ଏବିଷୟରେ ଫୋନ୍‌ କରି ଜଣାଇଥିଲେ। ୨ ଘଣ୍ଟା ପରେ ଡିସିପି ପ୍ରତୀକ ସିଂ, ଅତିରିକ୍ତ ଡିସିପି ପ୍ରମୋଦ ରଥ, ଅନୀଲ କୁମାର ମିଶ୍ର ଏବଂ ସଦର ଥାନାଧିକାରୀ ସୁଧାଂଶୁ ଭୂଷଣ ଜେନା ଏକ ପୁଲିସ ଭ୍ୟାନ୍‌ରେ ଉକ୍ତ ପ୍ରିଜାଇଡିଂ ଅଫିସରଙ୍କ ସହ ଭୋଟ୍‌ବାକ୍ସ ନେଇ ପୁନର୍ବାର ୧୧ ନଂ ବୁଥ୍‌ରେ ପହଞ୍ଚିଥିଲେ।

ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୁଲିସ ଅଧିକାରୀଙ୍କ ବୁଝାସୁଝା ପରେ ଲୋକମାନେ ଉକ୍ତ ପିଜାଇଡିଂ ଅଫିସର୍‌ ଏବଂ ଭୋଟ୍‌ବାକ୍ସକୁ ପୁଲିସ ସହ ଛାଡ଼ିଥିଲେ। ୧୧ ନଂ ବୁଥ୍‌ରେ ଆଉଥରେ ଭୋଟ କରିବା ପାଇଁ ଗ୍ରାମବାସୀ ଏବଂ ବୁଥ ଏଜେଣ୍ଟ ଦାବି ଜଣାଇଛନ୍ତି।

publive-image

ଯାଜପୁରରେ ପୋଖରୀକୁ ଫିଙ୍ଗିଦେଲେ, ୧୨ଟି ବୁଥ୍‌ରେ ପୁନଃ ମତଦାନ ହେବ

ଯାଜପୁର/ସଦର/ଚଣ୍ଡିଖୋଲ/ଦଶରଥପୁର : ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ସମୟରେ ଯାଜପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ଭୋଟ୍‌ ବାକ୍ସକୁ ପୋଖରୀକୁ ଫିଙ୍ଗିଦେଇଥିଲେ। ପରେ ତାକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ଘଟଣା ଅନୁସାରେ, ଦଶରଥପୁର ବ୍ଲକର ସଦର ମହକୁମା ପଞ୍ଚାୟତ ଦଶରଥପୁରର ଈଶ୍ବରପୁର ସରକାରୀ ଉନ୍ନୀତ ବିଦ୍ୟାଳୟ ୯ନମ୍ବର ବୁଥ୍‌ରେ ମତଦାନ ଶେଷପରେ ଦୁର୍ବୃତ୍ତମାନେ ଭୋଟବାକ୍ସକୁ ଛଡ଼ାଇ ନେଇ ପୋଖରୀ ପାଣିରେ ଫିଙ୍ଗି ଦେଇଛନ୍ତି। ସଂଧ୍ୟାରେ ପୋଖରୀରୁ ଭୋଟବାକ୍ସ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ଜିଲ୍ଲାର ବଡ଼ଚଣା ଓ ଦଶରଥପୁର ବ୍ଲକ୍‌ରେ ହିଂସାକାଣ୍ଡ ଘଟିଛି। ବୁଥ୍ ଜବରଦଖଲ, ଏଜେଣ୍ଟଙ୍କୁ ମାଡ଼ ଏବଂ ଭୋଟବାକ୍ସ ଖୋଲିବା ଭଳି ଘଟଣା ଘଟିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ରାସ୍ତାରୋକ ମଧ୍ୟ ହୋଇଛି। ବିଶୃଙ୍ଖଳା ପାଇଁ ଆଜି ଦ୍ବିତୀୟ ପର୍ଯ୍ୟାୟର ୧୨ଟି ବୁଥ୍‌ରେ ପୁନଃମତଦାନ ପାଇଁ ନିର୍ବାଚନ କମିସନ୍‌ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପାରିସ କରାଯାଇଛି। ତନ୍ମଧ୍ୟରେ ଦଶରଥପୁର ବ୍ଲକ୍‌ର ସର୍ବାଧିକ ୧୦ଟି ବୁଥ୍‌ ରହିଥିବା ବେଳେ ବଡ଼ଚଣା ବ୍ଲକ୍‌ର ୩ଟି ବୁଥ୍‌ ରହିଛି।

ବିଡିଓ ଷ୍ଟ୍ରଙ୍ଗରୁମ୍‌ ପରିଦର୍ଶନ କରିବାରୁ ଉତ୍ତେଜନା

ଗଡ଼ିଶାଗୋଦା : ଗତ ୧୬ ତାରିଖରେ କଣାସ ବ୍ଲକ୍‌ରେ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ପରେ ଭୋଟ ବାକ୍ସ ଗୁଡ଼ିକ କଣାସ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ୩ଟି ଗୃହରେ ପୃଥକ ପୃଥକ ଭାବେ ରଖାଯାଇ ବାହାରୁ ସିଲ୍‌ କରାଯାଇଥିଲା। କଣାସ ବିଡିଓ ତଥା ନିର୍ବାଚନ ଅଧିକାରୀ ଲୋଚନ ଦାସ ଆଜି ଷ୍ଟ୍ରଙ୍ଗ୍‌ରୁମ୍‌ ପରିଦର୍ଶନ କରିବାକୁ ନେଇ ଉତ୍ତେଜନା ସୃଷ୍ଟିହୋଇଛି।
ସୂଚନା ଅନୁସାରେ, ଆଜି ଦିନ ୧୧ଟା ବେଳେ ଶ୍ରୀ ଦାସ, ଗ୍ରାମ ପଞ୍ଚାୟତ ଅଧିକାରୀ କୁମୁଦ ପଣ୍ଡା ଓ ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣୀ ଖଟେଇ ଷ୍ଟ୍ରଙ୍ଗରୁମ୍ ପରିସରକୁ ପରିଦର୍ଶନ ପାଇଁ ଯାଇଥିଲେ। କିଛିି ସମୟ ପରେ ସେମାନେ ସେଠାରୁ ଫେରିଥିଲେ। ତେବେ ଫେରିବା ସମୟରେ ଗ୍ରାମ ପଞ୍ଚାୟତ ଅଧିକାରୀ କୁମୁଦ ପଣ୍ଡା ଗୋଟିଏ କାଗଜ ପେଟିରେ କିଛି କାଗଜପତ୍ର ଓ ଷ୍ଟାମ୍ପ ଧରି ଫେରିବାରୁ ଷ୍ଟ୍ରଙ୍ଗ୍‌ ରୁମ୍‌ ବାହାରେ ଥିବା ବିଭିନ୍ନ ଦଳର କର୍ମୀମାନେ ତାଙ୍କୁ ପ୍ରଶ୍ନ ପଚାରିଥିଲେ। ବିଡିଓ ଓ ଅନ୍ୟ ଦୁଇ ଅଧିକାରୀ ଷ୍ଟ୍ରଙ୍ଗରୁମ୍‌ ଭିତରେ କାହିଁକି ଦୀର୍ଘ ସମୟ ରହିଲେ ତାହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜନା ବଢ଼ିବାରୁ ବିଡିଓ ଓ ଅନ୍ୟ ଅଧିକାରୀମାନେ ନିଜ କାର୍ଯ୍ୟାଳୟକୁ ଚାଲିଯାଇଥିଲେ।
ଅନ୍ୟପକ୍ଷରେ ଏ ସମ୍ପର୍କରେ କଣାସ ସରପଞ୍ଚ ପ୍ରାର୍ଥୀ ଭଗବାନ ସୁବୁଦ୍ଧି ଓ ଗଡ଼ସାହି ସରପଞ୍ଚ ପ୍ରାର୍ଥୀ ବିଭୁତି ଭୂଷଣ ବ୍ୟବର୍ତ୍ତା ପୁରୀ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛନ୍ତି।