ସିଙ୍ଗାରୀ ଘାଟିରେ ୩୦ ଫୁଟ୍‌ ତଳକୁ ଖସିଲା ପିକ୍‌ଅପ୍‌: ଚାଉଳ ଧରି ଫେରୁଥିବା ବେଳେ ଦୁର୍ଘଟଣା, ୪ ମୃତ

୮ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଥୁଆମୂଳ ରାମପୁର/ପଣ୍ଡିଗାଁ/କଲମପୁର: ପିଡିଏସ୍‌ ଚାଉଳ ଧରି ଘରକୁ ଫେରୁଥିବାବେଳେ ଦୁର୍ଘଟଣା ଘଟି ୪ଜଣଙ୍କର ମୃତ୍ୟୁ ହୋଇଛି। ୮ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଧରି ଆସୁଥିବା ପିକ୍‌ଅପ୍‌ କଳହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର-କଲମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟିରୁ ତଳକୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଲାଲୁ ମାଝୀ, ଡଙ୍ଗର ମାଝୀ, ଶୋଭାଦେଇ ମାଝୀ ଓ ସାନୁର୍ଯ୍ୟ ମାଝୀ। ଅନ୍ୟପକ୍ଷରେ, ଗୁରୁତରଙ୍କ ମଧ୍ୟରୁ ୩ ଜଣ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି।

ମୃତାହତଙ୍କ ଘର ହେଉଛି, ଥୁଆମୂଳ ରାମପୁର ବ୍ଳକ୍‌ ସିନ୍ଧିପଦର ଗ୍ରାମପଞ୍ଚାୟତର ବାର୍ଷିକୋଣା ଓ ମୁଣ୍ଡିଚୁଆ। ପ୍ରତ୍ୟେକ ମାସ ଭଳି ଆଜି ସକାଳେ ଏହି ଗ୍ରାମର କିଛି ହିତାଧିକାରୀମାନେ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି୦୮କ୍ୟୁ- ୮୩୬୪)ରେ ଚାଉଳ ଆଣିବାକୁ ଯାଇଥିଲେ। ଚାଉଳ ଧରି ଫେରୁଥିବା ସମୟରେ ସିଙ୍ଗାରୀ ଘାଟିର ଶେଷମୁଣ୍ଡ ମୋଡାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ୩୦ଟି ଫୁଟ୍‌ ତଳକୁ ଖସିପଡ଼ିଥିଲା। ଫଳରେ, ଗାଡ଼ିରେ ଥିବା ଲାଲୁ ମାଝୀ ଓ ଡଙ୍ଗର ମାଝୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ହୋଇଥିଲେ। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଦଶରୁ ମାଝୀ, ତପସ୍ବିନୀ ମାଝୀ, ଶୋଭାଦେଇ ମାଝୀ, ସାନ ମାଝୀ, ସାନୁର୍ଯ୍ୟ ମାଝୀ ଓ ଦୁର୍ବଲ ମାଝୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଶୋଭାଦେଇ ମାଝୀ ଓ ସାନୁର୍ଯ୍ୟ ମାଝୀଙ୍କ ମୃତ୍ୟୁ ହୋଇଛି। ଅନ୍ୟମାନଙ୍କୁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଥୁଆମୂଳ ରାମପୁର ଆଇଆଇସି ଗୋବିନ୍ଦ ମାଝୀ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ଗାଡ଼ି ଡ୍ରାଇଭର ଫେରାର୍ ହୋଇଯାଇଥିବା ଜଣାପଡ଼ିଛି।

ବାର୍ଷିକୋଣା ଗ୍ରାମ ପାଇଁ କୌଣସି ରାସ୍ତା ବ୍ୟବସ୍ଥା ନଥିବାରୁ ହିତାଧିକାରୀମାନେ ୧୫ କିଲୋମିଟର ଦୂର ସିନ୍ଧିପଦର ପଞ୍ଚାୟତ କାର୍ଯ୍ୟାଳୟକୁ ତିନୋଟି ପାହାଡ଼ର ପାଦଚଲା ରାସ୍ତାରେ ଯାଇ ଭତ୍ତା ଓ ଚାଉଳ ଆଣିଥା’ନ୍ତି। ଏକ ଟଙ୍କିଆ ଚାଉଳ ଆଣିବା ପାଇଁ ଗାଡ଼ିଭଡ଼ା କରି ସେମାନଙ୍କୁ କଲମପୁର ସିଙ୍ଗାରୀ ଘାଟି ମଧ୍ୟଦେଇ ଯିବାକୁ ପଡ଼ିଥାଏ। ଦୀର୍ଘ ୫୦ କିଲୋମିଟର ଯାଇ ଚାଉଳ ଆଣୁଥିବାରୁ ଏହିଭଳି ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକ କହିଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖବରପାଇ ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷା ଦ୍ରୌପଦୀ ମାଝୀ, ପୂର୍ବତନ ସମିତି ସଭ୍ୟ ମନୋରଞ୍ଜନ ନାଏକ ଓ କୃଷ୍ଣ ନାଏକ ପ୍ରମୁଖ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଗୁରୁତରଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ।

ସମ୍ବନ୍ଧିତ ଖବର