ବ୍ରହ୍ମପୁର: ମଦ୍ୟପ ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଆଜି ବଡ଼ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକ୍ଅପ୍ ଭ୍ୟାନ୍ ଏକା ସାଙ୍ଗରେ ୩ଜଣଙ୍କୁ ଧକ୍କା ଦେଇଛି। ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସାଇକେଲ ଚାଳକ ଗୁରୁତର ହୋଇଛନ୍ତି। ଅନ୍ୟ ଜଣେ ସ୍କୁଟି ଚାଳକ ଗାଡ଼ିରୁ ଡେଇଁ ପଡ଼ିଥିବାରୁ ସେ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡିଛି। କିନ୍ତୁ ତାଙ୍କର ଗାଡ଼ିଟି ଭାଙ୍ଗି ନଷ୍ଟ ହୋଇଯାଇଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଶ୍ରମିକ ଜଣଙ୍କ ହରିଡ଼ାଖଣ୍ଡି ଧର୍ମନଗରର ବାବୁଲା ଗୌଡ଼(୪୨) ବୋଲି ଟ୍ରାଫିକ୍ ଥାନା ସୂତ୍ରରୁ ଜଣାପଡ଼ିଛି। ଆହତ ସାଇକେଲ ଚାଳକ ଜଣଙ୍କ ହରିଡ଼ାଖଣ୍ଡିର କାଳୁ ସେଠୀ ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟାଇଥିବା ପିକ୍ଅପ୍ ଭ୍ୟାନ୍ ଚାଳକ ଲୋଚାପଡ଼ାର ଜଗନ୍ନାଥ ପୃଷ୍ଟିଙ୍କୁ ପୁଲିସ ଗିରଫ କରିଛି।
ପୁଲିସ ସୂଚନା ଅନୁସାରେ ମୃତ ବାବୁଲା ବଡ଼ ବଜାରରେ ଶ୍ରମିକ ଭାବେ କାମ କରୁଥିଲେ। ସେ ପ୍ରତିଦିନ ଭଳି ଆଜି ସକାଳେ ଘରୁ ଚାଲିଚାଲି ବଜାରକୁ ଯାଉଥିଲେ। ବାଲୁଙ୍କେଶ୍ୱର ମନ୍ଦିର ପଟୁ ହରିଡ଼ାଖଣ୍ଡି ଛକ ଅଭିମୁଖେ ଆସୁଥିବା ଏକ ପିକ୍ଅପ୍ ଭ୍ୟାନ୍ (ଓଡି୦୭ ଏଜି ୫୪୭୫) ରାସ୍ତାରେ ଚାଲିଚାଲି ଯାଉଥିବା ବାବୁଲାଙ୍କ ଉପରେ ମାଡ଼ି ଯାଇଥିଲା। ଏହାପରେ ପିକ୍ଅପ୍ ଭ୍ୟାନ୍ଟି ରାସ୍ତାରେ ଯାଉଥିବା ଜଣେ ସାଇକେଲ ଚାଳକ ଓ ପରେ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେଇଥିଲା। ଏହା ଦେଖି ସ୍ଥାନୀୟ ଲୋକ ପିକ୍ଅପ୍ ଭ୍ୟାନ୍ଟିକୁ ଅଟକାଇ ଡ୍ରାଇଭର୍କୁ କାବୁ କରି ନେଇଥିଲେ। ଡ୍ରାଇଭର୍ ଜଣକ ପ୍ରଚୁର ମଦ୍ୟପାନ କରିଥିବା ଜଣାପଡ଼ିଥିଲା। ମଦ୍ୟପ ଡ୍ରାଇଭର୍ ଜଣକ ସେଠାରେ ହିଁ ନିଶାରେ ଶୋଇ ପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ଅଭିଯୁକ୍ତ ଡ୍ରାଇଭର୍ଙ୍କୁ ଥାନାକୁ ନେଇଥିଲା। ଡ୍ରାଇଭର୍ ଜଣଙ୍କ ଏଭଳି ଅବସ୍ଥାରେ ଥିଲା ଯେ, ଥାନା ଭିତରକୁ ଯାଇପାରି ନଥିଲେ। ଥାନା ବାହାର ପିଣ୍ଡାରେ କିଛି ସମୟରେ ଶୋଇ ରହିଥିବା ଦେଖିବାକୁ ମିଳିଥିଲା। କେବଳ ଏହି ଗୋଟିଏ ଘଟଣା ନୁହଁ, ଏଭଳି ବହୁ ମଦ୍ୟପ ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଲୋକଙ୍କ ଧନଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି।