ରା.ଉଦୟଗିରି/ପାତ୍ରପୁର: ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅଧୀନ ଗଞ୍ଜାମ-ଗଜପତି ଜିଲ୍ଲା ସୀମାନ୍ତ କାନକଟା ଘାଟିରେ ଆଜି ରାତି ସାଢ଼େ ୮ଟାରେ ଏକ ମ୍ୟାକ୍ସ ପିକ୍‌ଅପ୍ ଭ୍ୟାନ୍ ଓଲଟି ଦୁଇଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ହେଲେ, ଗଞ୍ଜାମ ଜିଲ୍ଲା ଖାରିଆଗୁଡ଼ା ଫାଣ୍ଡି ଅଧୀନ ନୀଳାଦ୍ରିଚନ୍ଦ୍ରପୁର ଗ୍ରାମର ଚାଳକ ସୁଶାନ୍ତ ସାହୁ ଓରଫ୍ ଲିଟୁ ଓ କୁରେଶୁ ବାଡ଼ତ୍ୟା (୪୪)। ଗୁରୁତର ପ୍ରମୋଦ ସାହୁଙ୍କୁ ତୁରୁବୁଡ଼ି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଚନ୍ଦ୍ରଗିରି ଡାକ୍ତରଖାନା ଓ ସେଠାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Advertisment

ସୂଚନା ଅନୁସାରେ ସୁଶାନ୍ତ, କୁରେଶୁ ଓ ପ୍ରମୋଦ ଆମ୍ବ ଓ ପଣସ ବୋଝେଇ କରି ପିକ୍‌ଅପ୍ ଭ୍ୟାନ୍‌ରେ ରାମଗିରିରୁ ଫେରୁଥିଲେ। ଏହି ସମୟରେ କାନକଟା ଘାଟି ନିକଟରେ ଗାଡ଼ିର ‌ବ୍ରେକ୍ ଫେଲ୍ ହୋଇଯିବାରୁ ତାହା ଭାରସାମ୍ୟ ହରାଇ ବାମକଡ଼କୁ ଓଲଟିପଡ଼ିଥିଲା। ଚାଳକ ସୁଶାନ୍ତଙ୍କ ସହ କୁରେଶୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ପ୍ରମୋଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ଲିଟୁଙ୍କ ଶବ ଚାପି ହୋଇ ରହିଥିବାରୁ ଗାଡ଼ିର ସମ୍ମୁଖ ଭାଗକୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି। ରା‌.ଉଦୟଗିରି ଓ ଖାରିଆଗୁଡ଼ା ଫାଣ୍ଡି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।