ରାଜନୈତିକ କାର୍ଯ୍ୟକ୍ରମରେ ୧୦୦ଜଣ ଯୋଗଦେବେ
ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ବନ୍ଦ
ଡିସେମ୍ବର ୩୧ରୁ ଜାନୁଆରି ୨ ପର୍ଯ୍ୟନ୍ତ ଚେକିଂ ଜୋରଦାର୍
ଭୁବନେଶ୍ୱର : ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ, କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ଜାନୁଆରି ମାସରେ ସମସ୍ତ ପ୍ରକାରର ସାମାଜିକ ଓ ଧାର୍ମିକ ସମାବେଶ ଉପରେ ରୋକ୍ ଲାଗିଥିବା ବେଳେ ରାଜନୈତିକ ସମାବେଶ ସର୍ବାଧିକ ୧୦୦ଜଣ ଲୋକଙ୍କୁ ନେଇ କରିବାକୁ କୁହାଯାଇଛି। ସରକାରଙ୍କ ବଡ଼ ନିଷ୍ପତ୍ତି କ୍ରମେ ଜାନୁଆରିରେ କୌଣସି ବଣଭୋଜି ହୋଇପାରିବନି। କୌଣସି ପାର୍କ, ନେଚର୍ କ୍ଲବ୍, ବେଳାଭୂମି ଏବଂ ଅନ୍ୟାନ୍ୟ ସ୍ଥାନରେ ବଣଭୋଜି ହେବନି।
ଗୁରୁବାର ଦିନ ଏସ୍ଆର୍ସିଙ୍କ ପକ୍ଷରୁ ଜାରି ଗାଇଡଲାଇନ୍ ଅନୁଯାୟୀ, ଜାନୁଆରି ୧ରୁ ଫେବ୍ରୁଆରି ୧ ପର୍ଯ୍ୟନ୍ତ କୌଣସି ହୋଟେଲ, ପାର୍କ, ମଲ୍, କନଭେନସନ୍ ସେଣ୍ଟର, କଲ୍ୟାଣ ମଣ୍ଡପରେ ସାଂସ୍କୃତିକ ଓ ନୃତ୍ୟ କାର୍ଯ୍ୟକ୍ରମ ହେବନି। କୌଣସି ଶିକ୍ଷାନୁଷ୍ଠାନ ବଣଭୋଜି ଆୟୋଜନ କରିପାରିବେନି। ବାର୍ଷିକ ଉତ୍ସବ ବି ପାଳନ ହେବନି। କୌଣସି ମେଳା, ପ୍ରଦର୍ଶନୀ, ଟ୍ରେଡ୍ ଫେୟାର, ଏକ୍ସପୋ ଆୟୋଜନ ହୋଇପାରିବନି। ସରକାରୀ କାର୍ଯ୍ୟକ୍ରମ ହେଉଥିଲେ ଏନେଇ ଆଗୁଆ ଅନୁମତି ନେବାକୁ ପଡ଼ିବ। ସେହିପରି ସବୁ ସହରାଞ୍ଚଳେର ପୂର୍ବଭଳି ନାଇଟ୍ କର୍ଫ୍ୟୁ ଜାରି ରହିବ। ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର କୋଭିଡ ଗାଇଡଲାଇନ୍ ଅନୁଯାୟୀ ଖୋଲା ରହିବ।
ରାଜ୍ୟ ସରକାର ସାଂସ୍କୃତିକ ଓ ନୃତ୍ୟ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଇଥିଲେ ହେଁ ସାଂସ୍କୃତିକ ସମାବେଶ, ମେଲୋଡି, ଯାତ୍ରା, ଅପେରା, ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ, ସାଂସ୍କୃତିକ ପ୍ରତିଯୋଗିତା, ଡ୍ରାମା, ଖୋଲା ମଞ୍ଚ ନାଟକ, ପଥପ୍ରାନ୍ତ ନାଟକ ଆଦି ପାଇଁ ଅନୁମତି ଦେଇଛନ୍ତି। ଅଡିଟୋରିୟମ, ସଭା ଗୃହ ଏବଂ ସମାନ ସୁବିଧା ଥିବା ଗୃହରେ କ୍ଷମତାର ୫୦% ଲୋକ ଏକାଠି ହୋଇପାରିବେ। ଅପେରା, ଯାତ୍ରା, ମୁକ୍ତାକାଶ ନାଟକକୁ ଅନୁମତି ଦିଆଯାଇଥିଲେ ହେଁ ଏନେଇ ଚୂଡ଼ାନ୍ତ ଅନୁମତି ଜିଲ୍ଲାପାଳ, ଏସ୍ପି ଓ ମ୍ୟୁନିସପାଲ କମିସନରମାନଙ୍କ ଠାରୁ ଆଣିବାକୁ ହେବ। ଯାତ୍ରା ପାଇଁ ପୂର୍ବରୁ ସର୍ବାଧିକ ୨ହଜାର ଲୋକ ବସିବାକୁ ଅନୁମତି ଦିଆଯାଇଥିବା ବେଳେ ଏବେ ଏହାକୁ ହଜାରେକୁ କମାଇ ଦିଆଯାଇଛି। ପୂର୍ବରୁ ଯାତ୍ରା ପାଇଁ ଯାହା କଟକଣା ଥିଲା ତାହା ଲାଗୁହେବ। ଇନଡୋର୍ ହଲ୍, ସିନେମା ହଲ୍, ଥିଏଟର୍, ଆବଦ୍ଧ ଅଞ୍ଚଳରେ ସର୍ବାଧିକ ୫୦% ଦର୍ଶକ ବସିପାରିବେ। ସପିଂ ମଲ୍ ଖୋଲା ରହିବ। ହେଲେ ସେଠାରେ ଯେପରି କୋଭିଡ କଟକଣା କଡ଼ାକଡ଼ି ପାଳନ ହେବ, ଅଧିକ ଗହଳି ହେବନି ସେନେଇ ମଲ୍ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ କୁହାଯାଇଛି।
/sambad/media/post_attachments/wp-content/uploads/2020/12/bbsr1.jpg)
ଅଡିଟୋରିୟମ, ମୁକ୍ତକାଶ ରଙ୍ଗମଞ୍ଚରେ ହେବାକୁ ଥିବା କାର୍ଯ୍ୟକ୍ରମ ଓ ବିବାହ ଆଦିରେ ଯୋଗଦେବା ପାଇଁ କାର୍ଯ୍ୟକ୍ରମର ୭୨ଘଣ୍ଟା ପୂର୍ବରୁ କୋଭିଡ ନେଗେଟିଭ୍ ରିପୋର୍ଟ ଆଣିଥିବା ଦରକାର ନଚେତ୍ ଦୁଇ ଡୋଜ୍ ଟିକା ନେଇଥିବା ଦରକାର ବୋଲି କୁହାଯାଇଛି। ବିବାହ, ବ୍ରତ, ଅନ୍ତ୍ୟେଷ୍ଟି କ୍ରିୟା ଆଦି କାର୍ଯ୍ୟରେ ସର୍ବାଧିକ ୨୫୦ଜଣ ଲୋକ ଏକାଠି ହୋଇପାରିବେ ବୋଲି କୁହାଯାଇଛି। ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ କେଉଁ ପ୍ରକାରର କୋଭିଡ କଟକଣା ଲାଗିବ ତାହା ଜିଲ୍ଲା ପ୍ରଶାସନ/ମ୍ୟୁନିସପାଲ କମିସନର/ ପୁଲିସ କମିସନର ନିଷ୍ପତ୍ତି ନେବେ। ଯେଉଁଠି ଲୋକମାନେ କୋଭିଡ କଟକଣା ମାନିବେନି ସେଠାରେ ପ୍ରଶାସନ ଜରିମାନା ଆଦାୟ କରିବ।
ଏସବୁ ବାଦ୍ ଆଜି ଏସ୍ଆର୍ସି ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳ, ଏସ୍ପି, ମ୍ୟୁନିସପାଲ କମିସନର, ପୁଲିସ କମିସନରଙ୍କୁ ଚିଠି ଲେଖି କହିଛନ୍ତି ଯେ, ଡିସେମ୍ବର ୩୧ରୁ ଜାନୁଆରି ୨ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ କଟକଣା ଲାଗିଥିବାରୁ ଏହାକୁ ଯାଞ୍ଚ କରିବା ପାଇଁ ଚେକିଂ ଜୋରଦାର୍ କରାଯିବ। ବିଭିନ୍ନ ଜନଗହଳି ସ୍ଥାନ, ସପିଂ କମ୍ପ୍ଲେକ୍ସ, ହୋଟେଲ, କ୍ଲବ, ରେସ୍ତୋରାଁ, ପାର୍କ, କନଭେନସନ୍ ହଲ୍, କଲ୍ୟାଣ ମଣ୍ଡପ ଆଦିରେ ଚେକିଂ କରିବାକୁ କୁହାଯାଇଛି। ବିଭିନ୍ନ ସ୍ଥାନରେ ଚେକିଂ ସମୟରେ ଲୋକ ମାସ୍କ ପିନ୍ଧିଛନ୍ତି କି ନାହିଁ, ସାମାଜିକ ଦୂରତା ନିୟମ ମାନୁଛନ୍ତି କି ନାହିଁ ଯାଞ୍ଚ କରିବାକୁ କୁହାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ଅଧିକ ଜରିମାନା ଆଦାୟ କରିବାକୁ କୁହାଯାଇଛି।