ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିକୁ ପିକନିକ୍‌ କରିବାକୁ ଆସି ଡଡୁବାଡ଼ା ନଦୀରେ ବୁଡ଼ି ଜଣେ ଯୁବକଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ଯୁବକ ଜଣକ ହେଲେ ଭଦ୍ରକ ଟାଉନ ଥାନା ପରସିଙ୍ଗା ଗ୍ରାମର ସମୀର କୁମାର ଜେନାଙ୍କ ପୁଅ ସାଇ ଶୁଭଙ୍କର ଜେନା (୨୪)।

Advertisment

ସୂଚନା ଅନୁଯାୟୀ, ଭଦ୍ରକ ଅଞ୍ଚଳରୁ ୧୪ ଜଣ ଯୁବକ ପିକ୍‌ନିକ୍‌ ପାଇଁ ଆଜି ସକାଳେ ଦାରିଙ୍ଗବାଡ଼ି ଅଞ୍ଚଳର ଡଡୁବାଡ଼ା ଲଭର୍ସ ପଏଣ୍ଟ୍‌ ଠାରେ ପହଞ୍ଚି ଥିଲେ। ସେଠାରେ ଭୋଜି କରୁଥିବା ସମୟରେ କିଛି ଯୁବକଙ୍କ ସହ ଶୁଭଙ୍କର ଡଡୁବାଡ଼ା ନଦୀରେ ଗାଧୋଉଥିଲେ। ଏ ସମୟରେ ହଠାତ୍‌ ଶିଉଳିରେ ଗୋଡ଼ ଖସି ଯାଇ ନଦୀର ପ୍ରଖୋର ସ୍ରୋତରେ ଭାସି ଯାଇଥିଲେ। ସାଙ୍ଗସାଥିଙ୍କ ପାଟି ଶୁଣି ଆଖପାଖରେ ଥିବା ଲୋକ ନଦୀରୁ ଶୁଭଙ୍କରଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣି ଚିକିତ୍ସା କରା ଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଦାରିଙ୍ଗବାଡ଼ି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଓ ମୃତକଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାଯାଇଛି। ଏ ନେଇ ଦାରିଙ୍ଗବାଡ଼ି ଥାନାରେ କେସ ନଂ ୧/୨୧ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।