ବୈପାରିଗୁଡ଼ା/କୋରାପୁଟ: ଅଧୁରା ରହିଗଲା ବାବା ଗୁପ୍ତେଶ୍ବରଙ୍କ ଦର୍ଶନ। ବୈପାରିଗୁଡ଼ା ବ୍ଲକ୍‌ ସୁକନାଳ ଘାଟିରେ ଓଲଟିଲା ପର୍ଯ୍ୟଟକଙ୍କ ବସ୍‌। ଜଗତସିଂହପୁର ବ୍ଲକ୍‌ ବାଲିକୁଦା ଅଞ୍ଚଳର ବସ୍‌ ଡ୍ରାଇଭର ରଞ୍ଜନ ମହାନ୍ତି (୫୯)ଙ୍କ ସହ ଖାଲିପାଟଣାର ଭାଗ୍ୟଶ୍ରୀ ମହାପାତ୍ର (୨୧) ଏବଂ କଟକର ସୋମନାଥ ପୃଷ୍ଟି (୬)ଙ୍କ ମୃତ୍ୟୁ ହୋଇଛି। ସେହିପରି ୫୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ବୈପାରିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପରେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି।

Advertisment

କଟକର ଅଲିଶା ବଜାର, କେଉଟ ସାହି ତଥା ନିଆଳି ଏବଂ ଆଖପାଖ ଅଞ୍ଚଳର ପର୍ଯ୍ୟଟକଙ୍କୁ ନେଇ କୋରାପୁଟ ଜିଲ୍ଲା ଅଭିମୁଖେ ଘରୋଇ ବସ୍‌ (ଓଆର-୦୫ଏଜି-୨୮୯୯) ବାହାରିଥିଲା। ଗତକାଲି ଗୁପ୍ତେଶ୍ବର ପହଞ୍ଚିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ରାସ୍ତାରୋକ ଯୋଗୁ ବହୁ ସମୟ ଧରି ରାସ୍ତାରେ ଅଟକିବାକୁ ପଡ଼ିଥିଲା। ଗତକାଲି ରାତିରେ କୋରାପୁଟ ଜିଲ୍ଲାରେ ପହଞ୍ଚିବା ପରେ ସକାଳ ପ୍ରାୟ ୫ଟାରେ ଗୁପ୍ତେଶ୍ବର ଶୈବପୀଠ ଠାରୁ ମାତ୍ର ୬କିମି ଦୂର ସୁକନାଳ ଘାଟିରେ ବସ୍ ଓଲଟି ଯାଇଥିଲା। ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଦୁର୍ଘଟଣା ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଖବର ପାଇ ବୈପାରିଗୁଡ଼ା ପୁଲିସ, ଅଗ୍ନିଶମ ବାହିନୀ ଏବଂ ବିଏସ୍‌ଏଫ୍‌ ଯବାନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।     ଆହତମାନଙ୍କୁ ରାମଗିରି ଏବଂ ବୈପାରିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତଙ୍କୁ ଜୟପୁର ଡିଏଚ୍‌ଏଚ୍‌ ଏବଂ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟମାନେ ବୈପାରିଗୁଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କୋରାପୁଟ ଏସ୍‌ପି ରୋହିତ ବର୍ମା ଏବଂ ଜୟପୁର ଉପଜିଲ୍ଲାପାଳ ଆଲମଣି ସେଠୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଜୟପୁର ଓଡ୍ରାଫ୍‌ ଟିମ୍, ବୈପାରିଗୁଡ଼ା ଥାନା ଆଇଆଇସି ଦୀପାଞ୍ଜଳି ପ୍ରଧାନ, ବିଡିଓ ଅଭିମନ୍ୟୁ କବି ଶତପଥୀ, ତହସିଲଦାର ସ୍ନିଗ୍ଧାରାଣୀ ଚୌଧୁରୀ ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ଅଗ୍ନିଶମ ବାହିନୀ ଲୁହା କଟର୍ ମେସିନ୍ ଏବଂ କ୍ରେନ୍ ଦ୍ୱାରା ବସ୍‌କୁ କାଟି ତିନି ମୃତଦେହ ଉଦ୍ଧାର କରିଥିଲେ। କୋଟପାଡ଼ ବିଧାୟକ ରୁପୁ ଭତ୍ରା ବୈପାରିଗୁଡ଼ା ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

୯ ଗୁରୁତର କଟକ ସ୍ଥାନାନ୍ତର
ଦୁର୍ଘଟଣାଗ୍ରସ୍ତ ବସ୍‌ରେ ପ୍ରାୟ ୬୦ଜଣ ଯାତ୍ରୀ ଥିଲେ। ପ୍ରାୟ ୩୦ଜଣ ଆହତ ହୋଇଥିଲା ବେଳେ ୧୫ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା। ତେଣୁ ତୁରନ୍ତ କୋରାପୁଟ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ରୁଦ୍ର, ସ୍ଥିତିପ୍ରଜ୍ଞା, ମଞ୍ଜୁଲତା, ଆଲୋକ, କଲମଲି, ରିତାଞ୍ଜଳି, ରଶ୍ମିତା, ମାନସ ଓ ସାଇକ୍ରିଷ୍ଣାଙ୍କୁ ୫ଟି ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଏସ୍‌ସିବି ମେଡିକାଲ କଲେଜକୁ  ପଠାଯାଇଛି। ସସ୍ମିତା, ପ୍ରିୟାଂଶୀ, ସାଇପ୍ରତ୍ୟୁଷ, ମାନସ ରଞ୍ଜନ ଓ ବିଜୟଲକ୍ଷ୍ମୀ ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ପ୍ରଶାସନ ପକ୍ଷରୁ ବସ୍‌ ଯୋଗେ ଘରକୁ ପଠାଯାଇଛି। ବଳକା ଆହତଙ୍କ ଚିକିତ୍ସା ଜାରି ରହିଥିବା ମେଡିକାଲ କଲେଜ ଅଧୀକ୍ଷକ ଡା.ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ୬ବର୍ଷର ସୋମନାଥଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ମା’ ମେଡିକାଲ କଲେଜରେ ଚିକିତ୍ସାଧୀନ ଅଛନ୍ତି। ସୋମନାଥଙ୍କ ମରଶରୀର ନେଇ ମହାପ୍ରୟାଣ ଗାଡ଼ିରେ ତାଙ୍କ ବାପା ଆସିବା ପରେ ଆଉ ଗୋଟିଏ ଆମ୍ବୁଲାନସରେ ମା’ ଓ ପରିବାରର ୩ଜଣ ସଦସ୍ୟଙ୍କୁ କଟକ ପଠାଇବା ବ୍ୟବସ୍ଥା କରାଯାଇଛି ବୋଲି ‌କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର କହିଛନ୍ତି। ଆଉ ଦୁଇଟି ମରଶରୀର ନେବାକୁ କଟକ ଜିଲ୍ଲା ପ୍ରଶାସନ ମହାପ୍ରୟାଣ ଗାଡ଼ି ପଠାଇଥିଲା। ସ୍ଥାନାନ୍ତର ହୋଇଥିବା ସମସ୍ତ ରୋଗୀଙ୍କ ଅବସ୍ଥା ସ୍ଥିର ରହିଛି। ଜଣେ ଛୋଟ ଝିଅର ହାତ ଓ ଗୋଡ କଟିଯାଇଛି। ଅନ୍ୟମାନଙ୍କ ଚିକିତ୍ସା ସହ ପ୍ଲାଷ୍ଟିକ ସର୍ଜରି ପାଇଁ ପଠାଯାଇଛି ବୋଲି ଅଧୀକ୍ଷକ ଡା. ସାହୁ ସୂଚନା ଦେଇଛନ୍ତି।

ମହାଦେବ ପୁର୍ନଜନ୍ମ ଦେଲେ, ଋଣ ସୁଝିବାକୁ ଆସିବୁ ନୂଆବର୍ଷ ପୂର୍ବରୁ ବାବା ଗୁପ୍ତେଶ୍ବରଙ୍କ ଦର୍ଶନ ନିମନ୍ତେ ଶୁକ୍ରବାର ସଂଧ୍ୟାରେ କଟକରୁ ବାହାରିଥିଲୁ। ଗତକାଲି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ପହଞ୍ଚିଲା ବେଳକୁ ବନ୍ଦ ପାଳନ ଚାଲିଥିଲା। ତେଣୁ ଦିନ ତମାମ ଗାଡ଼ିରେ ରହିଥିଲୁ। ସଂଧ୍ୟାରେ କେସିଙ୍ଗା ଛାଡ଼ିବା ପରେ ରାତି ୪ଟାରେ ଜୟପୁରରେ ପହଞ୍ଚି ଚା’ ପିଇଥିଲୁ। ସକାଳ ପ୍ରାୟ ୫ଟା ୧୦ ମିନିଟ୍‌ରେ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଗଲା ବୋଲି ଗୁରୁତର ଆହତ ରୋଗୀଙ୍କ ସଂପର୍କୀୟ ସୁଷମା ସାହୁ, ସଂଚିତା ବେହେରା କହିଛନ୍ତି। ବାବାଙ୍କ ଦର୍ଶନ ଅଧୁରା ରହିଗଲା। କିନ୍ତୁ ମହାଦେବ ଆମକୁ ନୂଆ ଜୀବନ ଦେଇଛନ୍ତି। ଏହି ଋଣ ସୁଝିବା ପାଇଁ ନିଶ୍ଚିତ ରୂପେ ପୁଣି ଗୁପ୍ତେଶ୍ବର ଆସିବୁ ବୋଲି କହିଛନ୍ତି।