ପାଖେଇ ଆସିଲାଣି ନୂଆ ବର୍ଷ: ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ଭିଡ଼

ପ୍ରାକୃତିକ ସୌନ୍ଦଯ୍ୟ ଭରା ମରାଳ ମାଳିନୀ ନିଳାମ୍ବୁ ଚିଲିକା। ଏବେ ପିକନିକ୍‌ ଋତୁରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼। ଚିଲିକାରେ ଜଳଯାତ୍ରା କରି କାଳିଜାଇଙ୍କ ଦର୍ଶନ କରିବା ସହ ଶୀତ ଦିନରେ ଚିଲିକାକୁ ନିଜର ବାସସ୍ଥାନ ଭାବେ ବାଛିଥିବା ବିଦେଶାଗତ ପକ୍ଷୀଙ୍କ ସମାଗମ ଦେଖି ବିମୋହିତ ପର୍ଯ୍ୟଟକ। ଡଙ୍ଗା ଓ ବୋଟରେ ଯାଇ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ବେଳେ ଜମୁଛି ଭୋଜିଭାତର ଆସର।

ପ୍ରକୃତିର ଅନନ୍ୟ ଉପହାର ଦେବଗଡରେ ଥିବା ପ୍ରଧାନପାଟ ଜଳପ୍ରପାତ। ବିଶାଳ ଶାଳବଣର ମନୋରମ ପରିବେଶ ଓ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ମୌଜ ମସ୍ତିରେ ମାତିଛନ୍ତି ସଭିଏଁ। ୧୭୦ ଫୁଟ ଉଚ୍ଚ ପର୍ବତ ଶିଖରରୁ ଝରଝର ହୋଇ ଅବିରତ ଭାବେ ଝରିଚାଲିଥିବା ଝରଣାର ଶୀତଳ ଜଳରାଶି ପର୍ଯ୍ୟଟକଙ୍କୁ ବିମୋହିତ କରୁଛି। ପ୍ରଧାନପାଟ ଜଳପ୍ରପାତ ସାଙ୍ଗକୁ ଦେବଗଡର ଆରାଧ୍ୟ ଦେବୀ ମାଁ ପଧାନ ପାଟେଶ୍ୱରୀଙ୍କ ମନ୍ଦିର, ରାଜାରାଜୁଡ଼ା ସମୟର ବସନ୍ତ ନିବାସ ଓ ଶିଶୁ ଉଦ୍ୟାନ ଏହାର ଶୋଭାକୁ ଦ୍ୱିଗୁଣିତ କରେ।

କଳାହାଣ୍ଡି ଲାଂଜିଗଡ଼ର ରାବଣ ଦରରେ ମଧ୍ୟ ଜମୁଛି ପର୍ଯ୍ୟଟକଙ୍କ ଭିଡ଼। ସାଜିଛି ପର୍ଯ୍ୟଟନର ସ୍ଥଳୀ ଏବଂ ବଣ ଭୋଜିର ସ୍ଥାନ। ଯେଉଁଠି କି ସାରା ରାଜ୍ୟର ଲୋକଙ୍କର ସୁଅ ଛୁଟୁଛି। ସବୁଜ ବନାନି ମଧ୍ୟରେ ଏହି ସୁନ୍ଦର ଜଳପ୍ରପାତ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ବଣ ଜଙ୍ଗଲ ଭରା ପରିବେଶରେ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ।

ସମ୍ବନ୍ଧିତ ଖବର