ପିଛୁଳାର ଜଳକ୍ରୀଡ଼ା ସ୍ଥାନ: ଚିକ୍କଣ ପଥରର ଉପର ମୁଣ୍ଡରେ ବସିଲେ ଆପେ ଆପେ ୫୦ ମିଟର ତଳକୁ ଖସିଯିବେ

ହରିଚନ୍ଦନପୁର: ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ପିଛୁଳାର ଜଳକ୍ରୀଡ଼ା ସ୍ଥାନ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ଏହାର ବିକାଶ ହେଉ ନଥିବାରୁ ଆଗନ୍ତୁକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଦିଗରେ ପଦକ୍ଷେପ ନେବାକୁ ଦାବି ହେଉଥିଲେ ହେଁ ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି।

କେନ୍ଦୁଝରର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ଦର୍ଶନୀୟ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ବଣଭୋଜି ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଉଛନ୍ତି ପର୍ଯ୍ୟଟକ। ଜିଲ୍ଲାର ପ୍ରମୁଖ ଦର୍ଶନୀୟ ସ୍ଥାନ ଗୁଡିକରେ କରୋନା ପାଇଁ ଭୋଜି ଭାତ ଆୟୋଜନ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ଛୋଟ ଛୋଟ ଦର୍ଶନୀୟ ସ୍ଥାନ ଗୁଡିକର ଗୁରୁତ୍ଵ ବଢ଼ିଯାଇଛି। ଏଭଳି ଏକ ସ୍ଥାନ ହେଉଛି ପିଛୁଳା। ହରିଚନ୍ଦନପୁର ବ୍ଲକ ରେବଣାପଳାଶପାଳ ପଞ୍ଚାୟତ ହେଡ଼କ୍ଵାର୍ଟରରୁ ୭ କିଲୋମିଟର ଦୂର ବାଙ୍ଗୁରୁଶୁଣି ଏବଂ ବରେଇଗୋଡା ପଞ୍ଚାୟତ ହେଡ଼କ୍ଵାର୍ଟରରୁ ୫ କିଲୋମିଟର ଦୂର ସାନ ସିଆଡିମାଳ ସୀମାନ୍ତରେ ବହିଯାଉଛି କୁଶେଇ ନଦୀ। ପିଛୁଳା ଠାରେ ଏକ ବଡ଼ ଚଟାଣ ପଥର ଉପରେ କୁଶେଇ ପ୍ରବାହିତ ହୋଇଛି। ଚଟାଣ ପଥର ଉପରେ ନଦୀ ପାଣି ପ୍ରବାହିତ ହେଉଥିବାରୁ ପଥରଟି ଚିକକଣ ହୋଇଯାଇଛି। ଆଖପାଖ ଗ୍ରାମର ଛୋଟ ଛୋଟ ପିଲାଙ୍କ ସମେତ ଯୁବକମାନେ ଚିକକଣ ପଥରର ଉପର ମୁଣ୍ଡରେ ବସିଲେ ଆପେ ଆପେ ପ୍ରାୟ ୫୦ ମିଟର ତଳକୁ ଖସିଯାନ୍ତି। ସେଠାକୁ ବଣଭୋଜି କରିବାକୁ ଯାଉଥିବା ପର୍ଯ୍ୟଟକଙ୍କୁ ପିଲାଙ୍କ ଏହି ଜଳକ୍ରୀଡ଼ା ବେଶ ଆନନ୍ଦ ଦେଇଥାଏ।

ଚିକ୍କଣ ପଥରରେ ଖସିବା ବିପଦପୂର୍ଣ୍ଣ ହୋଇଥିଲେ ହେଁ ଖସିବାକୁ ମଜା ଲାଗୁଥିବାରୁ ଅନେକ ଏଥିରେ ଖେଳାଖେଳି କରିଥାନ୍ତି। କୁଶେଇ ନଦୀର ପାଣି ୧୦୦ ମିଟର ଚଟାଣ ପଥର ଦେଇ ପ୍ରବାହିତ ହେଉଛି। ପିଛୁଳାର ପଶ୍ଚିମ ଦିଗରେ ରହିଛି ଏକ ଅର୍ଦ୍ଧ ନିର୍ମିତ ଶିବ ମନ୍ଦିର। ପ୍ରତିବର୍ଷ ଏହି ପିଛୁଳାରେ ମକର ସଂକ୍ରାନ୍ତିରେ ମକର ଯାତ୍ରା ଅନୁଷ୍ଠିତ ହେବା ସହିତ ମହାନ୍ତ ସମ୍ପ୍ରଦାୟର ଟୁସୁ ପର୍ବ ପାଳିତ ହୋଇଥାଏ। ସେହିପରି ପିଛୁଳାର ପୂର୍ବ ଦିଗରେ ରହିଛି ସହର ସମ୍ପ୍ରଦାୟର ଇଷ୍ଟଦେବ ନୀଳ ମାଧବ ମନ୍ଦିର। ତାହା ମଧ୍ୟ ଏକ ପଥର ଗୁମ୍ଫାରେ ରହିଛି। ବିରାଟ ପଥର ଚଟାଣ ସହ ପିଛୁଳାର ଦୁଇପର୍ଶ୍ୱରେ ଦୁଇଟି ମନ୍ଦିର ଏବଂ ଘଞ୍ଚ ଜଙ୍ଗଲ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପିଛୁଳା ଠାରେ କୁଶେଇ ନଦୀ ଉପରେ ଏକ ଝୁଲା ପୋଲ ନିର୍ମାଣ ସହ ଉଭୟ ମନ୍ଦିର ସମ୍ପୂର୍ଣ୍ଣ କରାଗଲେ ପିଛୁଳା ଜିଲ୍ଲାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହୋଇପାରନ୍ତା

ସମ୍ବନ୍ଧିତ ଖବର