ଅଷ୍ଟମର ୨୫% ପିଲା କ୍ଲାସରେ ଅନ୍ୟ ଭାଷାରେ କଥା ହୁଅନ୍ତି
ଅଧାରୁ ଅଧିକ ପିଲାଙ୍କ ପାଇଁ ଡିଜିଟାଲ ଶିକ୍ଷା ଅପହଞ୍ଚ
ସ୍କୁଲ ଯିବାକୁ ପିଲାଙ୍କ ମଧ୍ୟରେ ବଢ଼ୁଛି ଆଗ୍ରହ
ଭୁବନେଶ୍ବର : ଛୋଟ ପିଲାମାନେ ମାତୃଭାଷାକୁ ନିଜର ଯୋଗାଯୋଗର ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି। କ୍ଲାସରୁମ୍ଠାରୁ ଆରମ୍ଭ କରି ପରିବାରରେ ଅଭିଭାବକ, ଜେଜେବାପା, ଜେଜେ ମା’ଙ୍କ ସହ କଥାବର୍ତା ସମୟରେ ମାତୃଭାଷାରେ କଥା ହେଉଛନ୍ତି। ମାତ୍ର ବୟସ ବଢ଼ିବା ସହ ସେମାନେ ମାତୃଭାଷାଠାରୁ ଦୂରେଇ ଯାଉଛନ୍ତି। ଅର୍ଥାତ୍ ତୃତୀୟ ଶ୍ରେଣୀରେ ଯେଉଁମାନେ କ୍ଲାସରୁମ୍ରେ ନିଜ ମାତୃଭାଷାରେ କଥା ହେଉଛନ୍ତି, ୮ମ ବେଳକୁ ଅନ୍ୟ ଭାଷାରେ କଥାବାର୍ତ୍ତା କରୁଛନ୍ତି। ବିଶେଷକରି ଘରୋଇ ସ୍କୁଲଗୁଡ଼ିକରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ତଫାତ୍ ଦେଖିବାକୁ ମିଳୁଛି। ଅନ୍ୟ ଭାଷାରେ କଥା ହେଉଥିବା ଅଧିକାଂଶ ପିଲାଙ୍କ ଯୋଗାଯୋଗର ମାଧ୍ୟମ ଇଂରାଜୀ ଭାଷା ରହୁଛି। ହିନ୍ଦୀ ଭାଷାରେ ବହୁତ କମ୍ ପିଲା କ୍ଲାସରୁମ୍ରେ ସାଙ୍ଗମାନଙ୍କ ସହ ବାର୍ତାଳାପ କରୁଛନ୍ତି। ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଶିକ୍ଷଣର ମାନ ଯାଞ୍ଚ ଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ନ୍ୟାସନାଲ ଆଚିଭ୍ମେଣ୍ଟ ସର୍ଭେ(ନାସ୍) ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ତୃତୀୟ ଶ୍ରେଣୀରେ ପଢ଼ୁଥିବା ୮୫% ପିଲା ନିଜର ମାାତୃଭାଷାକୁ କ୍ଲାସରୁମ୍ରେ ଯୋଗାଯୋଗର ମାଧ୍ୟମ ଭାବେ ବ୍ୟବହାର କରୁଛନ୍ତି। ୫ମ ଶ୍ରେଣୀର ୮୧%, ୮ମ ଶ୍ରେଣୀର ୭୫% ଓ ଦଶମ ଶ୍ରେଣୀର ୭୬% ଛାତ୍ରଛାତ୍ରୀ କ୍ଲାସରୁମ୍ରେ ସାଙ୍ଗସାଥୀ ଓ ଶିକ୍ଷକମାନଙ୍କ ସହ ନିଜ ମାତୃଭାଷାରେ କଥା ହେଉଛନ୍ତି। ଅର୍ଥାତ୍ ଦଶମ ଶ୍ରେଣୀର ୨୪% ପିଲା ଅନ୍ୟାନ୍ୟ ଭାଷାରେ କଥା ହେଉଛନ୍ତି। ଖୁସିର କଥା ହେଉଛି, ସ୍କୁଲ ଯିବା ପାଇଁ ବହୁ ଛାତ୍ରଛାତ୍ରୀ ଆଗ୍ରହ ଦେଖାଉଛନ୍ତି। ତୃତୀୟ, ୫ମ ଓ ୮ମ ଶ୍ରେଣୀର ୯୮% ପିଲା ସ୍କୁଲ ଯିବାକୁ ଚାହୁଛନ୍ତି। ଦଶମ ଶ୍ରେଣୀର ୯୯% ପିଲା ସ୍କୁଲ ଯିବାକୁ ଚାହୁଛନ୍ତି। ଡିଜିଟାଲ ଶିକ୍ଷା ପିଲାଙ୍କ ପାଇଁ ଅପହଞ୍ଚ ରହିଛି। ତୃତୀୟ ଶ୍ରେଣୀର ୪୫% ପିଲାଙ୍କ ନିକଟରେ କୌଣସି ପ୍ରକାର ଡିଜିଟାଲ ଡିଭାଇସ୍ ନାହିଁ। ୫ମ ଶ୍ରେଣୀର ୪୩%, ୮ମ ଶ୍ରେଣୀର ୭୫% ଏବଂ ଦଶମ ଶ୍ରେଣୀର ୩୭% ପିଲାଙ୍କ ଘରେ କୌଣସି ପ୍ରକାର ଡିଜିଟାଲ ଡିଭାଇସ୍ ନ ଥିବାରୁ ସେମାନେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି।
/sambad/media/post_attachments/wp-content/uploads/2022/03/school-300x187.jpg)
ଗୁଣାତ୍ମକ ଶିକ୍ଷା ନେଇ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ବି ନିଜର ମତ ଦେଇଛନ୍ତି। ତୃତୀୟ ଶ୍ରେଣୀର ୩୯% ଶିକ୍ଷକଙ୍କ ମତ ହେଉଛି ଯେ ସ୍କୁଲ କୋଠାର ମରାମତି କରାଯାଉ। ୨୪% ଶିକ୍ଷକ କାର୍ଯ୍ୟରେ ଭାରାକ୍ରାନ୍ତ ହୋଇପଡ଼ୁଛନ୍ତି। ୨୧% ଶିକ୍ଷକ ପାନୀୟ ଜଳ ସୁବିଧାର ଆବଶ୍ୟକତା କଥା କହିଛନ୍ତି। ୯୫% ଶିକ୍ଷକଙ୍କ ମତ, ସ୍କୁଲ କାର୍ଯ୍ୟକ୍ରମରେ ଅଭିଭାବକମାନେ ଭାଗ ନିଅନ୍ତୁ। କ୍ଲାସରୁମ୍ରେ ପର୍ଯ୍ୟାପ୍ତ ସାମଗ୍ରୀ ରଖିବା, ସ୍କୁଲ ବିଲଡିଂ ମରାମତି, ପାନୀୟ ଜଳ ଓ ଶୌଚାଳୟ ସୁବିଧାର ଉପଲବ୍ଧ କରାଯିବା ଉପରେ ଶିକ୍ଷକମାନେ ମତ ରଖିଛନ୍ତି। କରୋନା ସମୟରେ ୬୩% ପିଲା ନିଜର ଅଭିଭାବକ, ଅଜା, ଆଈ, ଜେଜେ, ଜେଜେ ମା’ ପ୍ରମୁଖଙ୍କ ସହ ଚିତ୍ରାଙ୍କନ, ରୋଷେଇ, ଯୋଗ, ସଙ୍ଗୀତ, ଇନ୍ଡୋର ଗେମ୍ ଖେଳିବାକୁ ପସନ୍ଦ କରିଥିଲେ। ୮୭% ପିଲା କୋଭିଡ୍-୧୯ ସ୍ବଚ୍ଛତା ପାଳନ କରିଥିବା ବେଳେ ୯୪% ପିଲା କୋଭିଡ୍ ସଂକ୍ରମଣର ଲକ୍ଷଣ ବିଷୟରେ ଜାଣିଥିଲେ। ସ୍କୁଲ ଖୋଲିବା ସମୟରେ ଗାଇଡ୍ଲାଇନ୍ ବିଷୟରେ ୯୮% ଅବଗତ ରହିଥିଲେ। ସମସ୍ତ ଶ୍ରେଣୀର ପ୍ରଧାନ ଶିକ୍ଷକମାନେ ସ୍କୁଲ ଲାଇବ୍ରେରିକୁ ସୁଦୃଢ଼ କରିବା, ଶିକ୍ଷକ ଓ ସହାୟକ ପଦ ପୂରଣ, ପିଲାଙ୍କ ଲାଗି ସ୍କୁଲରେ ଆବଶ୍ୟକ ଅଡିଓ ଭିଜୁଆଲ୍ ସୁବିଧା ଉପଲବ୍ଧ କରିବାକୁ ମତ ଦେଇଛନ୍ତି। ସ୍କୁଲରେ କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ କରାଯିବାର ଆବଶ୍ୟକତା ଥିବା ନେଇ ମତପ୍ରକାଶ ପାଇଛି। ୯୮% ଶିକ୍ଷକଙ୍କ କହିବା କଥା, ଖେଳପଡ଼ିଆ ସହ କ୍ରୀଡ଼ା ଶିକ୍ଷକ ନିଯୁକ୍ତି ଦିଆଯାଉ। ୯୯% ପିଲା ସ୍କୁଲରେ କରୋନା କଟକଣା ପାଳନ ସମ୍ପର୍କରେ ଅବଗତ ରହିଥିବା ନେଇ ନାସ୍ ରିପୋର୍ଟରେ କୁହାଯାଇଛି।