ଭଦ୍ରକ/କୋଠାର: ୧୮ ବର୍ଷର ଝିଅଟିଏ। ପରିବାରରେ ଅଭାବ ଅନଟନ ପାଇଁ ଅଧାରୁ ପାଠପଢ଼ା ଛାଡ଼ିଛି। ବିଡ଼ମ୍ବନା ହେଉଛି, ଅସୁସ୍ଥ ବାପାର ଚିକିତ୍ସା ପାଇଁ ଝିଅଟି ଦୀର୍ଘ ୨୫ କିମି ପର୍ଯ୍ୟନ୍ତ ଏକୁଟିଆ ଟ୍ରଲି ଚଳାଇ ଡାକ୍ତରଖାନା ନେବା ଓ ସେଠାରୁ ପୁଣି ବାପାକୁ ଧରି ଗାଁକୁ ଫେରିବା ସ୍ବାସ୍ଥ୍ୟସେବାର ବିକଳଚିତ୍ରକୁ ପଦାରେ ପକାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ନଦୀଗାଁ ଗ୍ରାମର ଶମ୍ଭୁନାଥ ସେଠୀ (୪୮)। ମୂଲମଜୁରି ଲାଗି ପରିବାର ପ୍ରତିପୋଷଣ କରୁଥିବା ଶମ୍ଭୁନାଥ ନିକଟରେ ଜମିବାଡ଼ି ବିବାଦକୁ ନେଇ ନିଜ ପରିବାରରୁ ଆକ୍ରୋଶର ଶିକାର ହୋଇଥିଲେ। ମାଡ଼ଗୋଳ ହେବାରୁ ତାଙ୍କ ବାମହାତ
ଭାଙ୍ଗି ଯାଇଥିଲା। ଚିକିତ୍ସାଳୟ ଯିବା ନିମନ୍ତେ ଅର୍ଥାଭାବ ଓ ପରିବହନଜନିତ ଅସୁବିଧା ଯୋଗୁଁ ତାଙ୍କ ୧୮ ବର୍ଷର ଝିଅ ସୁଜାତା ଟ୍ରଲି ଯୋଗେ ବାପା ଶମ୍ଭୁନାଥଙ୍କୁ ପ୍ରଥମେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପ୍ରାୟ ୨୫ କିଲୋମିଟର ପର୍ଯ୍ୟନ୍ତ ଟ୍ରଲି ଯୋଗେ ନେଇଥିଲେ। ଚିକିତ୍ସା ପରେ ଆଜି ଡାକ୍ତର ଶମ୍ଭୁନାଥଙ୍କୁ ଡିସ୍ଚାର୍ଜ କରିଥିଲେ। ତେବେ ବେଶୀ ପାଠଶାଠ ପଢିନଥିବାରୁ ସୁଜାତା ୧୦୮ ଆମ୍ବୁଲାନ୍ସ ସମ୍ପର୍କରେ ଅଜ୍ଞ ଥିଲେ। ଏ ବାବଦରେ ନିଜ ଗାଁର କେହି ଲୋକ କିମ୍ବା ଡାକ୍ତରଖାନା ପକ୍ଷରୁ ମଧ୍ୟ ସୁଜାତାଙ୍କୁ ସେମିତି କିଛି ସହାୟତା କି ସହଯୋଗ ମିଳିନଥିଲା। ଫଳରେ ବାପା ଶମ୍ଭୁନାଥଙ୍କୁ ପୁନର୍ବାର ଟ୍ରଲିରେ ବସାଇ ଗାଁ ମୁହାଁ ହୋଇଥିଲେ ସୁଜାତା। ତେବେ ଫେରିବା ବାଟରେ ଭଦ୍ରକ ସହର ମହତାବ ଛକ ନିକଟରେ କିଛି ଲୋକ ଉଭୟଙ୍କୁ ଏମିତି ଅବସ୍ଥାରେ ଦେଖି ପଚରାଉଚରା କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଓ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସେଠାରେ ପହଞ୍ଚିଥିଲେ। ବିଧାୟକ ଶ୍ରୀ ମଲ୍ଲିକ ସିଡିଏମ୍ଓଙ୍କ ସହ ଆଲୋଚନା କରି ଶମ୍ଭୁନାଥଙ୍କ ଚିକିତ୍ସା ବାବଦରେ ବୁଝାସୁଝା କରିବା ସହ ଉଭୟ ବାପଝିଅଙ୍କୁ ଏକ ଗାଡ଼ି ଯୋଗେ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ।
ତେବେ ଏହି ଅଭାବନୀୟ ପରିସ୍ଥିତିକୁ ଦେଖିଲେ ମନରେ ସ୍ବତଃ ପ୍ରଶ୍ନ ଆସେ ସରକାରଙ୍କ ବିଭିନ୍ନ ମଙ୍ଗଳକାରୀ ଯୋଜନାଗୁଡିକ କାହା ପାଇଁ? ୧୮ ବର୍ଷର ଝିଅଟିଏ ଯିଏ ବର୍ତ୍ତମାନ ପଢ଼ିବା କଥା, ସେହି ସମୟରେ ଦାରିଦ୍ର୍ୟ କଷାଘାତରେ ସଂଗ୍ରାମ କରୁଛି। ସେପଟେ ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ସରକାର ମାଗଣା ଆମ୍ବୁଲାନ୍ସଠୁ ନେଇ କେତେ କଣ ଯୋଜନା ଖଞ୍ଜି ଦେଇଛନ୍ତି। ଗର୍ଭବତୀ ମହିଳା, ବରିଷ୍ଠ ନାଗରିକ, ଗୁରୁତର ରୋଗୀ, ନବଜାତ ଶିଶୁଙ୍କୁ ନିଃଶୁକ୍ଳରେ ସେବା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ମାତ୍ର ଶମ୍ଭୁନାଥଙ୍କ କ୍ଷେତ୍ରରେ ଏହା କିପରି ବ୍ୟତିକ୍ରମ ହେଲା, ତାହା ନାଗରିକ ସମାଜକୁ ଭାବିବା ପାଇଁ ବାଧ୍ୟ କରିଛି।