ଭବାନୀପାଟଣା, (ଦେବେନ୍ଦ୍ର କୁମାର ବିଶି): କଳାହାଣ୍ଡି ଜିଲ୍ଲାରେ ଶିଶୁମାନଙ୍କ ବିକାଶ ପାଇଁ ମାଳ ମାଳ ଯୋଜନା ଥିଲେ ମଧ୍ୟ ଶିଶୁ ଅପପୁଷ୍ଟି ହାର ଉଦ୍ବେଗଜନକ ରହିଛି । ଜିଲ୍ଲାରେ ୪୪୮୬ ଜଣ ଶିଶୁ ଅତ୍ୟନ୍ତ ଅପପୁଷ୍ଟିର ଶିକାର ହୋଇ ଅରେଞ୍ଜ୍ ଜୋନରେ ରହିଛନ୍ତି। ପ୍ରାୟ ୩.୫୧% ଶିଶୁ ଅରେଞ୍ଜ ଜୋନରେ ଥିବାବେଳେ ୟେଲୋ ଜୋନରେ ୧୪.୦୨%, ଗ୍ରିନ୍ ଜୋନରେ ୮୨.୪୭% ଶିଶୁ ଅଛନ୍ତି। ସେମାନଙ୍କ ପାଇଁ ଛତୁଆଠାରୁ ଆରମ୍ଭ କରି ବିଭିନ୍ନ ପୁଷ୍ଟି ସାଧନ ଖାଦ୍ୟ ପ୍ରଦାନ ନିମନ୍ତେ ବିଭିନ୍ନ ଯୋଜନା ହୋଇଛି। ମାତ୍ର ଅପପୁଷ୍ଟି ରୋକିବା ବଦଳରେ ସରକାରୀ ବାବୁ ତଥା ବିଭିନ୍ନ ଦଲାଲ ମାଧ୍ୟମରେ ଯୋଜନା ବାଟମାରଣା ଅଭିଯୋଗ ହେଉଛି।
ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାରେ ୧୧ଟି ଗ୍ରାମାଞ୍ଚଳ ଆଇସିଡିଏସ୍, ଗୋଟିଏ ସହରାଞ୍ଚଳ ଓ ୨ଟି ଆଦିବାସୀ ଆଇସିଡିଏସ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିନିମନ୍ତେ ୧୯୪୩ଟି ଅଙ୍ଗନବାଡ଼ି କେନ୍ଦ୍ର ଓ ୪୧୯ଟି ମିନି ଅଙ୍ଗନବାଡ଼ି କେନ୍ଦ୍ର ସମେତ ୨୩୬୨ଟି କେନ୍ଦ୍ର ରହିଛି। ଏଥିରେ ଶୂନରୁ ୫ ବର୍ଷ ମଧ୍ୟରେ ୧ ଲକ୍ଷ ୩୦ ହଜାର ୫୩୩ ଜଣ ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୫ ହଜାର ୩ଶହ ୯୩ ଜଣ ଶିଶୁ ଗ୍ରିନ୍ ଜୋନରେ ଅଛନ୍ତି। ଏମାନଙ୍କ ହାର ୮୨.୪୭%। ସେହିଭଳି ୟେଲୋ ଜୋନ୍ରେ ୧୭,୯୧୭ ଜଣ ଶିଶୁ ଅଛନ୍ତି। ସବୁଠାରୁ ଉଦ୍ବେଗଜନକ ଅରେଞ୍ଜ ଜୋନରେ ୪୪୮୬ ଜଣ ଶିଶୁ ଥିବାବେଳେ ଏମାନଙ୍କ ହାର ୩.୫୧% ଅଟେ। ୬ ମାସରୁ ୩ବର୍ଷ ପର୍ଯ୍ୟନ୍ତ ୬୭୧୩୮ଜଣ ଶିଶୁ ଓ ୩ ବର୍ଷରୁ ୬ ବର୍ଷ ୮୪୬୦୭ ଜଣ ଶିଶୁ ଏସ୍ଏମ୍ପି ଫିଡିଙ୍ଗ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛନ୍ତି।
ଜିଲ୍ଲାର ୨୪ଟି ମହିଳା ସ୍ବୟଂସହାୟକ ଗୋଷ୍ଠୀ ଛତୁଆ ତିଆରି କରି ବଣ୍ଟନ ଦାୟିତ୍ବରେ ଅଛନ୍ତି। ଏହି ଛତୁଆଗୁଡ଼ିକ ନିମ୍ନମାନର ହୋଇଥିବାବେଳେ ଏସ୍ଏଚଜିମାନଙ୍କୁ ଢାଲ କରି ଦଲାଲମାନେ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି। ରାଜନେତା ଓ ବିଭାଗୀୟ ଅଧିକାରୀଙ୍କୁ ହାତବାରିସୀ କରି ବିଭିନ୍ନ ସ୍ଥାନରେ କେଉଁଠି ନିମ୍ନମାନର ଛତୁଆ କରୁଥିବାବେଳେ ଦୁର୍ଗମ ଅଞ୍ଚଳମାନଙ୍କରେ ଏହା ବାଟମାରଣା ମଧ୍ୟ ହେଉଛି। ବିଭିନ୍ନ ସ୍ଥାନରେ ନିମ୍ନମାନର ଛତୁଆ ଯୋଗୁଁ ଶିଶୁମାନେ ଖାଇବା ପରିବର୍ତ୍ତେ ଗୋ-ଖାଦ୍ୟରେ ପରିଣତ ହେଉଛି।
ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ମଦନପୁର ରାମପୁର, ଗୋଲାମୁଣ୍ଡା, ଜୁନାଗଡ଼ ବ୍ଲକ ସମେତ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଶିଶୁ ଅପପୁଷ୍ଟି ହାର ଅଧିକ ରହିଛି। ଜିଲ୍ଲାରେ ଅତ୍ୟନ୍ତ ଅପପୁଷ୍ଟି ଥିବା ଶିଶୁଙ୍କୁ ଧର୍ମଗଡ଼, ଭବାନୀପାଟଣା ଓ ଜୟପାଟଣାଠାରେ ଥିବା ଏନ୍ଆର୍ସି କେନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ତେବେ ଜିଲ୍ଲାରେ ସମୁଦାୟ ୨୨ ହଜାର ୪୦୩ ଜଣ ଅପପୁଷ୍ଟି ଶିଶୁ ଥିବାବେଳେ ସେମାନଙ୍କ ଯତ୍ନ ଅତ୍ୟନ୍ତ ଅପରିହାର୍ଯ୍ୟ ଅଟେ। ସରକାର କୋଟି କୋଟି ଟଙ୍କାର ଯୋଜନା କରି ଆଦିବାସୀଙ୍କ ପାଖକୁ ବିକାଶ ପହଞ୍ଚାଉଥିବା ନେଇ ଶାସନ, ପ୍ରଶାସନ ଓ ସରକାରଙ୍କ ଜନପ୍ରତିନିଧି ଡିଣ୍ଡିମ ପିଟୁଛନ୍ତି। ହେଲେ ଏବେ ମଧ୍ୟ ବହୁ ସ୍ଥାନରେ ନଗଡ଼ା ଭଳି ଚିତ୍ର ଦେଖିବାକୁ ମିଳୁଛି। ଅନେକ ଶିଶୁ ଅପପୁଷ୍ଟିର ଶିକାର ହେଉଥିବାବେଳେ ସେମାନଙ୍କ ପାଇଁ ଆସୁଥିବା ଯୋଜନା ଠିକ ଭାବରେ କାର୍ଯ୍ୟକାରୀ ହେଉନଥିବା ଯୋଗୁଁ ଅପପୁଷ୍ଟି ଦୂର ହେବାରେ ବାଧକ ସାଜିଛି। ଜୁନାଗଡ଼ ବ୍ଲକ ତଳଦୁଣ୍ଡା ଗ୍ରାମରେ ଅନେକ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଜୁନାଗଡ଼ ବ୍ଲକ ଦୁନ୍ଦେଲମାଲ ପଞ୍ଚାୟତର ଦୁର୍ଗମ ପାହାଡ଼ ଘେରା ତଲଦୁଣ୍ଡା ଗ୍ରାମରେ ଏଭଳି ଅବସ୍ଥା ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଏହିଭଳି ଦୁର୍ଗମ ଅଞ୍ଚଳର ବହୁ ଗାଁରେ ଅପପୁଷ୍ଟି ଶିକାର ଥିବା ଶିଶୁଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । ଏନେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ପଚାରିବାରୁ ଅପପୁଷ୍ଟି ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି। ଏପରିକି ଜିଲ୍ଲାର ୩.୫୧% ଅତ୍ୟନ୍ତ ଅପପୁଷ୍ଟି ଶିଶୁଙ୍କ ସ୍ବତନ୍ତ୍ର ଭାବେ ଯତ୍ନ ନିଆଯାଇ ପୁଷ୍ଟିବର୍ଦ୍ଧକ ଛତୁଆ ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି।