ଆଜି ସ୍ପଷ୍ଟ ହେବ ବାତ୍ୟା ଚିତ୍ର

‘ଗୁଲାବ’ଠୁ ଅଧିକ, ‘ଫନି’ଠୁ କମ୍‌ ପ୍ରଭାବ, ୪ ଓ ୫ ତାରିଖରେ ଓଡ଼ିଶାକୁ ବିପଦ

ଗଜପତି, ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁରକୁ ବିପଦ
ଜାରି ହେଲା ୱାର୍ଣ୍ଣିଂ, ୧୧ ଜିଲ୍ଲା ପାଇଁ ଅରେଞ୍ଜ
୪ ତାରିଖରେ ସାମୁଦ୍ରିକ କାର୍ଯ୍ୟକଳାପ ସ୍ଥଗିତ ରଖିବାକୁ ନିର୍ଦେଶ

ଭୁବନେଶ୍ୱର : ଦକ୍ଷିଣ ଥାଇଲାଣ୍ଡ ଓ ପାର୍ଶ୍ବବର୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସକ୍ରିୟ ରହିଛି। ଏଥିସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ମଧ୍ୟ ଭାଗ ଯାଏ ବ୍ୟାପିଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଗୁରୁବାର ବେଳକୁ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପରବର୍ତୀ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ-ବଙ୍ଗୋପସାଗର ଅଞ୍ଚଳରେ ଏହା ବାତ୍ୟାର ରୂପ ନେଇପାରେ। ଏହାପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ତୀବ୍ର ହୋଇ ୪ ତାରିଖ ସକାଳ ସମୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି। ପ୍ରଭାବରେ ୩ ତାରିଖ ସନ୍ଧ୍ୟାଠାରୁ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମଧାରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ଅନୁମାନ କରାଯାଉଛି। ୪ ଓ ୫ ତାରିଖରେ ଉପକୂଳ ଓ ତତ୍‌ସଂଲଗ୍ନ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ କରିଛି।

ଆଇଏମ୍‌ଡି ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ‌ଯେ ସମ୍ଭାବ୍ୟ ବାତ୍ୟା କେଉଁ ସ୍ଥାନରେ ଉପକୂଳ ଅତିକ୍ରମ କରିବ ଏବଂ ଏହାର ତୀବ୍ରତା କେତେ ରହିବ ତାହା ଗୁରୁବାର ସ୍ପଷ୍ଟ ହେବ। ତେବେ ୪ ତାରିଖ ସକାଳେ ଏହି ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଞ୍ଚିବାର ସମ୍ଭାବନା ଅଧିକ ରହିଛି। ପ୍ରଭାବରେ ଆସନ୍ତା ୩ ତାରିଖଠାରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ। ୪ ତାରିଖରେ ବର୍ଷା ଓ ପବନର ପରିମାଣ ବଢ଼ିବ। ବାତ୍ୟା ୪ ତାରିଖରେ ଉପକୂଳ ପାଖାପାଖି ହେଲେ ବି ସ୍ଥଳଭାଗ ନ ଛୁଇଁ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବାର ମଧ୍ୟ ସମ୍ଭାବନା ରହିଛି। ଏହା ପ୍ରଭାବରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷା ଲାଗି ରହିବ।

Stellar Accounts

ଆସନ୍ତା ୪ ତାରିଖ ସକାଳ ୮ଟାରୁ ୫ ତାରିଖ ସକାଳ ମଧ୍ୟରେ ଗଜପତି, ଗଞ୍ଜାମ, ପୁରୀ ଓ ଜଗତ୍‌ସିଂହପୁର ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଥିବାରୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟ ମଧ୍ୟରେ ଖୋର୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଧିକ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ପରବର୍ତୀ ୨୪ ଘଣ୍ଟା ଅର୍ଥାତ୍‌ ୫ ତାରିଖ ସକାଳଠାରୁ ୬ ତାରିଖ ସକାଳ ପର୍ଯ୍ୟନ୍ତ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ। ତାହାକୁ ନଜରରେ ରଖି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଗୁରୁବାର ଲଘୁଚାପ ଅବପାତ ରୂପ ନେବା ବେଳେ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ଝଡ଼ ପବନ ହେବାର ସମ୍ଭାବନା ରହିଛି। ୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୬୫ରୁ ୭୫ କିମି ରହିପାରେ। ୪ ତାରିଖ ସକାଳଠାରୁ ପରବର୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଓ ତତ୍‌ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବହିବ। ତେବେ ୩ ତାରିଖ ମଧ୍ୟରାତିରୁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ସର୍ବାଧିକ ୬୫ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ବୃଦ୍ଧି ପାଇ ୪ ତାରିଖ ଅପରାହ୍ନରୁ ପବନର ବେଗ ୭୦ରୁ ୮୦ ଏବଂ ସର୍ବାଧିକ ୯୦ କିମି ରହିବ। ସମ୍ଭାବ୍ୟ ବାତ୍ୟାର ତୀବ୍ରତା ‘ଗୁଲାବ’ଠାରୁ ଅଧିକ ଏବଂ ‘ଫନି’ଠାରୁ କମ୍‌ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି।

ସମ୍ଭାବ୍ୟ ବାତ୍ୟା ଯୋଗୁଁ ୨ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଉପକୂଳର ସମସ୍ତ ବନ୍ଦର, ଆଇଟିଆର ଚାନ୍ଦିପୁର, ଆର୍ମି ଡିଫେନ୍ସ କଲେଜ ଗୋପାଳପୁର, ଆଇଏନ୍‌ଏସ୍‌ ଚିଲିକା, ଚିଲିକା ଉନ୍ନୟନ କର୍ତୃପକ୍ଷ, ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ ଜୋନ୍‌ ମ୍ୟାନେଜ୍‌ମେଣ୍ଟ ପ୍ରୋଜେକ୍ଟ-ଓଡ଼ିଶା ସରକାର, ଭିତରକନିକା ବନ୍ୟଜନ୍ତୁ ଅଭୟାରଣ୍ୟ, ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମର କାର୍ଯ୍ୟଗୁଡ଼ିକ ୩ ତାରିଖ ପର୍ଯ୍ୟନ୍ତ ନିୟନ୍ତ୍ରିତ କରିବା ଏବଂ ୪ ତାରିଖରେ ସମସ୍ତ କାର୍ଯ୍ୟକଳାପ ସ୍ଥଗିତ ରଖିବାକୁ ପରାମର୍ଶ ଦିଆଯାଇଛି।

ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ମାଟି ରାସ୍ତା ଧୋଇବା, ମାଟି କାନ୍ଥ ଥିବା ଘର ଭୁଶୁଡ଼ିବା, ଅଣ୍ଡରପାସ୍‌ ରାସ୍ତାରେ ପାଣି ଜମିବା, ଅତ୍ୟନ୍ତ ପ୍ରବଳ ବର୍ଷା ଯୋଗୁଁ କମ୍‌ ଦୃଶ୍ୟମାନ, ଟ୍ରାଫିକ୍‌ ସମସ୍ୟା, ଫସଲ ନଷ୍ଟ, ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ବାସନୁପଯୋଗୀ ଘରେ ନ ରହିବାକୁ ପରାମର୍ଶ ଦିଆଯାଇଛି। ପାଚିଯାଇଥିବା ଧାନ ଫସଲ ଅମଳ କରିବା ସହ ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି। ଆଗକୁ ସାର, କୀଟନାଶକ ପ୍ରୟୋଗ ଓ ଜଳସେଚନ ସ୍ଥଗିତ ରଖିବା, ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରାଇବା, କଦଳୀ, ଅମୃତଭଣ୍ଡା ଓ ଅନ୍ୟାନ୍ୟ ଲତା ଜାତୀୟ ଫଳ ଓ ପନିପରିବାକୁ ଭରା ଦେଇ ରଖିବା, ମୁଗ, ବିରି, ସୋରିଷ, ବାଦାମ, କୋବି, ପିଆଜ, ଧନିଆ, ଆଳୁର ବୁଣାବୁଣି ସାମୟିକ ସ୍ଥଗିତ ରଖିବା, ଗୃହପଳିତ ପଶୁପକ୍ଷୀଙ୍କୁ ବାହାରକୁ ନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ପ୍ରବଳ ବର୍ଷା ପ୍ରଭାବରେ ନାଗାବଳୀ, ଋଷିକୂଲ୍ୟା, ବଂଶଧାରା ନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ସମ୍ବନ୍ଧିତ ଖବର