ଅନ୍‌ଲାଇନ୍‌ କ୍ଲାସ୍‌ର ବିକଳ ଚିତ୍ର: ନେଟୱର୍କ ପାଇଁ ଘର ଛାଡ଼ି ଘାଟି ରାସ୍ତାରେ ଛାତ୍ରଛାତ୍ରୀ 

Advertisment
ଅନ୍‌ଲାଇନ୍‌ କ୍ଲାସ୍‌ର ବିକଳ ଚିତ୍ର: ନେଟୱର୍କ ପାଇଁ ଘର ଛାଡ଼ି ଘାଟି ରାସ୍ତାରେ ଛାତ୍ରଛାତ୍ରୀ 

ଦେବଗଡ଼ : କରୋନା ବଦାଇଦେଇଛି ଜୀବନଧାରା। ଶ୍ରେଣୀଗୃହରେ ବସି ଶିକ୍ଷକଙ୍କ ଉପସ୍ଥିତିରେ ଏବଂ ଏକ ଶୈକ୍ଷକ ବାତାବରଣ ମଧ୍ୟରେ ପାଠ ପଢ଼ୁଥିବା ପିଲାଙ୍କ ଏବେ କ୍ଲାସ୍‌ କରିବାକୁ ହନ୍ତସ୍ତ ହେବାକୁ ପଡୁଛି। ଏପରିକି ଜୀବନକୁ ବାଜି ଲାଗାଉଥିବା ଦେଖାଯାଇଛି। ବିପଜ୍ଜନକ ଅବସ୍ଥାରେ ପାହାଡ଼, ଗଛ ଓ ପାଣି ଟାଙ୍କି ଉପରେ କ୍ଲାସ୍‌ କରୁଥିବାର ଚିତ୍ର ଆସୁଛି। ଅନ୍‌ଲାଇନ୍‌ କ୍ଲାସ୍‌ କରିବାକୁ ହେଲେ ଇଣ୍ଟରନେଟ୍‌ର ଆବଶ୍ୟକ ଥିବାରୁ ପିଲାମାନେ ସ୍ମାର୍ଟ ଫୋନ୍‌ ଧରି ଏପରି ସଂଘର୍ଷ ଜାରି ରଖିଛନ୍ତି। ଗତ ୨୧ ତାରିଖଠାରୁ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଆରମ୍ଭ ହୋଇଛି ୟୁଟ୍ୟୁବ୍‌ରେ ପାଠପଢ଼ା। ଏଥିରେ କ୍ଲାସ୍‌ କରିବାକୁ ଛାତ୍ରଛାତ୍ରୀମାନେ ନେଟ୍‌ୱାର୍କ ସନ୍ଧାନରେ ବାହାରି ପାହାଡ଼ ଓ ଘାଟି ରାସ୍ତାରେ ବସୁଥିବା ଚିତ୍ର ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। ଅନ୍ୟପକ୍ଷରେ ଏହି ଦୃଶ୍ୟ ସରକାରଙ୍କ ଡିଜିଟାଲ୍‌ ଇଣ୍ଡିଆର ନାରାର ବିପର୍ଯ୍ୟସ୍ତ ଚିତ୍ରକୁ ପଦାରେ ପକାଇଛି।

ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକର ଗଇଲୋ ଘାଟିରେ ପୂର୍ବରୁ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଅନ୍‌ଲାଇନ ମାଧ୍ୟମରେ ତାଲିମ ନେଉଥିବାର ଦୃଶ୍ୟ ସାମ୍‌ନାକୁ ଆସିଥିଲା। ଏବେ ପିଲାମାନଙ୍କ ପାଇଁ ୟୁଟ୍ୟୁବ୍‌ରେ ପାଠପଢ଼ା ଆରମ୍ଭ ହେବା ପରେ ସମାନ ଚିତ୍ର ଦେଖିବାକୁ ମିଳିଛି। ଜିଲ୍ଲାରେ ମାତ୍ର ୧୫ ପ୍ରତିଶତ ଛାତ୍ରଛାତ୍ରୀ ୟୁଟ୍ୟୁବ୍‌ କ୍ଲାସ କରୁଥିବା ଜଣାପଡ଼ିଛି। ଏହି ବ୍ଲକ୍‌ ଅନ୍ତର୍ଗତ ଲଇମୁରା, ଗଣ୍ଡମ, ଝରାଗୋଗୁଆ, ଝାରମୁଣ୍ଡା,ପାରପୋଶି, ଡିମିରିକୁଦା ପଞ୍ଚାୟତଗୁଡ଼ିକ ଆଦିବାସୀ ବହୁଳ। କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା ଏହିସବୁ ଗାଁକୁ ଅପହଞ୍ଚ। ‌ଉକ୍ତ ୬ଟି ପଞ୍ଚାୟତରେ ମୋବାଇଲ ଟାୱାର ରହିଛି ସତ କିନ୍ତୁ ତାହା କେତେବେଳେ କାର୍ଯ୍ୟକ୍ଷମ ତ ଆଉ କେତେବେଳେ କାର୍ଯ୍ୟ କରୁନି। ଉକ୍ତ ଅଞ୍ଚଳରେ ନିର୍ଦ୍ଦିଷ୍ଟ କେତେକ ସ୍ଥାନରେ ମୋବାଇଲ ନେଟୱର୍କ ଆସୁଛି। କେତେକ ଗ୍ରାମରେ ମୋବାଇଲ ସେବା ଏବେ ବି ଅପହଞ୍ଚ। ତେବେ ଉକ୍ତ ୬ଟି ପଞ୍ଚାୟତରେ ମୋବାଇଲ ନେଟ୍‌ୱର୍କ ନଥିବାବେଳେ ସେହି ଅଞ୍ଚଳର ଛାତ୍ରଛାତ୍ରୀମାନେ କିପରି କ୍ଲାସ କରୁଥିବେ ଏହା ଏଥିରୁ ସ୍ପଷ୍ଟ ଜଣାପଡୁଛି।

ତେବେ ଗଇଲୋ, ଫୁଲପଥର, ନୈକୁଳ, ତିଲେଇମାଲ, ଝରାଗ‌ୋଗୁଆ ଅଞ୍ଚଳର ଛାତ୍ରଛାତ୍ରୀମାନେ ଜୀବନକୁ ବାଜି ଲଗାଇ ୩ଶହ ଫୁଟ୍‌ ଉଚ୍ଚରେ ଥିବା ଗଇଲୋ ଘାଟି ରାସ୍ତାର ଗାର୍ଡୱାଲ ଉପରେ ବସି କ୍ଲାସ୍‌ କରୁଛନ୍ତି। ଏହା ଜୀବନ ପ୍ରତି ବିପଦ ବୋଲି ଜାଣୁଥିଲେ ମଧ୍ୟ ସେମାନେ ବାଧ୍ୟ ହୋଇ ଏପରି କରୁଛନ୍ତି। ବର୍ତ୍ତମାନ ଚାଷ କାର୍ଯ୍ୟ ଚାଲୁଥିବାରୁ ଏହି ପାଠପଢା ସବୁଦିନେ ନୁହେଁ। କେଉଁ ସପ୍ତାହରେ ୨ ଦିନ ତ କେଉଁ ସପ୍ତାହରେ ୪ ଦିନ ଛାତ୍ରଛାତ୍ରୀଙ୍କ ଅଭିଭାବକ ଯଦି ଘରେ ରହୁଛନ୍ତି ତାହେଲେ ପାଠ ପଢିବା ସମ୍ଭବ ହେଉଛି। ଏହା ସହିତ ଖରା ଓ ବର୍ଷା ପାଇଁ ଛାତ୍ରଛାତ୍ରୀମାନେ ଛତା ଭିତରେ ପାଠ ପଢୁଛନ୍ତି। ଅନ୍ୟପଟେ ୟୁଟ୍ୟୁବ୍‌ କ୍ଲାସ୍ କରିବା ପାଇଁ ଅଭିଭାବକଙ୍କ ମଧ୍ୟରେ ସଚେତନତା କରାଯାଉଛି। ସବୁଠାରୁ ବଡ଼ ପ୍ରଶ୍ନ ବର୍ତ୍ତମାନ ବହୁ ଛାତ୍ରଛାତ୍ରୀଙ୍କ ପାଖରେ ସ୍ମାର୍ଟ ଫୋନ ନାହିଁ। ଫୋନ୍‌ ଥିଲେ ନେଟ୍‌ୱର୍କ ନାହିଁ। ଏପରି କ୍ଷେତ୍ରରେ ସରକାରୀ ନିର୍ଦ୍ଦେଶନାମା କିପରି ପାଳନ ହେବ ତାହା ସ୍ପଷ୍ଟ ଅନୁମେୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe