କିଶୋରନଗର/ଆଠମଲ୍ଲିକ: ମୁଗ ଫସଲ ଖାଇଲା ବୋଲି ଶୁଆକୁ ମାରି ରିଲ୍‌ସ କଲେ। ଏହି ଘଟଣାରେ ବନ ବିଭାଗ ୩ ଜଣଙ୍କୁ ଗିରଫ କରି ଆଠମଲ୍ଲିକ କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁରଜିଲ୍ଲା ନାକ୍‌ଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଜାମୁଝରୀ ଗ୍ରାମର ଭଗନା ପେନ୍ଥେଇ (୨୫), ଦର୍ଶନୀୟା ଦେହୁରୀ (୬୨) ଓ କୌଶିକ କୁମୁରା (୫୦)।  ସୂଚନା ମୁତାବକ ଭଗନା, ଦର୍ଶନୀୟା ଓ କୌଶିକ କୁମୁରା ମିଶି ଜାମୁଝରୀ ଗ୍ରାମରେ ମୁଗ ଚାଷ କରିଛନ୍ତି। ମୁଗ ଫସଲକୁ ଶୁଆମାନେ ଖାଇ ଦେଉଥିଲେ। ୩ ଜଣ ବାଟୁଳି ସାହାଯ୍ୟରେ ଏକ ଶୁଆକୁ ମାରି ମୁଗପଦାରେ କାଠବାଡ଼ି ସାହାଯ୍ୟରେ ଝୁଲାଇ ମୋବାଇଲ୍‌ରେ ଭିଡିଓ ବନାଇଥିଲେ।

Advertisment

ପରେ ଭିଡିଓକୁ ଭଗନା ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ୨୧ ତାରିଖ ଦିନ ଅପ୍‌ଲୋଡ୍ କରିବା ପରେ ଭାଇରାଲ୍ ହୋଇଥିଲା। କିଛି ପକ୍ଷୀପ୍ରେମୀ ବନ୍ୟପ୍ରାଣୀ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୁକ୍ତ ଭଗନା ବାମୁର ବନାଞ୍ଚଳ ଠେଲକୋନାଳି ଗ୍ରାମରେ ଜଣେ ସମ୍ପର୍କୀୟଙ୍କ ଘରେ ରହିଥିବା ଜଣାପଡ଼ିବା ପରେ ଆଠମଲ୍ଲିକ ବନଖଣ୍ଡ ଅଧିକାରୀ ସନ୍ତୋଷ କାପୁଲାଙ୍କ ନିର୍ଦ୍ଦେଶକ୍ରମେ ବାମୁର ବନାଞ୍ଚଳ ଅଧିକାରୀ ସ୍ୱାଧୀନ ସାମଲ, ଆଠମଲ୍ଲିକ ବନ ସଂରକ୍ଷକ ଦିବ୍ୟସିଂହ ମାଝୀ, ସର୍ଗିପାଲି ବନପାଳ ଲିଙ୍ଗରାଜ ବେହେରା, କିଶୋରନଗର ବନପାଳ ଶାନ୍ତନୁ ଦେହୁରୀ, ବନରକ୍ଷୀ ସୁନିତା ଦଳବେହେରା ପ୍ରମୁଖ ଚଢ଼ଉ କରି ଠେଲକୋନାଳିରୁ ଭଗନାକୁ ଗିରଫ କରିଥିଲେ। ଏଥିସହ ଘଟଣାରେ ସଂପୃକ୍ତ ଦର୍ଶନୀୟା ଓ କୌଶିକକୁ ମଧ୍ୟ ବନ ବିଭାଗ ଗିରଫ କରିଛି।