ବ୍ରହ୍ମପୁରରେ ଘୁଷୁରି ମଡ଼କ : ୧୦ ଦିନରେ ୪୦ ମଲେଣି

ପୁଣି ୬ ମଲେ, ଭୟଙ୍କର ସ୍ଥିତି ଆଶଙ୍କା, ଚେତିଲା ପ୍ରଶାସନ, ନମୁନା ସଂଗ୍ରହ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି ଘୁଷୁରି ମଡ଼କ। ପ୍ରାୟ ୧୦ଦିନ ହେଲା ସହରରେ ଘୁଷୁରି ମରୁଛନ୍ତି। ବ୍ରହ୍ମପୁର ସହରର ବିଭିନ୍ନ ଇଲାକାରେ ଏହା ଭିତରେ ପ୍ରାୟ ୪୦ରୁ ଅଧିକ ଘୁଷୁରି ମଲେଣି। ଆଜି ପୁଣି ଆଉ ୬ଟି ଘୁଷୁରି ମରି ପଡ଼ିଥିବା ନେଇ ଖବର ମିଳିବା ପରେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗର ଚେତା ପଶିଥିଲା।  ପ୍ରାଣୀ ଚିକିତ୍ସା ବିଭାଗର ଏକ ୫ଜଣିଆ ଟିମ୍‌ ଶ୍ରୀରାମନଗର ଜଗନ୍ନାଥବିହାର ମଶାଣି ନିକଟରେ ପହଞ୍ଚିଥିଲା। ସେଠାରେ ମରି ପଡ଼ିଥିବା ଗୋଟିଏ ଘୁଷୁରି ଦେହରୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ସେହିପରି ଶରୀରର ଅନ୍ୟ ଏକ ସ୍ଥାନରୁ ମଧ୍ୟ ନମୁନା ସଂଗ୍ରହ ହୋଇଥିଲା। ‌ନମୁନାର ପରୀକ୍ଷା ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡା. ଦେବରାଜ ବେହେରା ସୂଚନା ଦେଇଛନ୍ତି।
ବ୍ରହ୍ମପୁର ସହରର ଗେଟ୍‌ ବଜାର, ଆସିକା ରୋଡ଼ ଓ ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଲୋକେ ଘୁଷୁରି ପାଳନ କରିଥାନ୍ତି। ଏହି ଘୁଷୁରି ବିଭିନ୍ନ ଆବର୍ଜନା କୁଣ୍ଡ, ଡମ୍ପିଂ ପଏଣ୍ଟ ଓ ନାଳ କଡ଼ରେ ଜମା ହୋଇ ରହୁଥିବା ଅଳିଆ ଗଦାରୁ ଖାଦ୍ୟ ଅନ୍ବେଷଣ କରି ଖାଇଥାନ୍ତି। କିଛିଦିନ ହେଲା ପ୍ରଥମେ ଶ୍ରୀରାମନଗର ଜଗନ୍ନାଥବିହାର ଓ ନେଳିଆବନ୍ଧ ହୁଡ଼ା ସାହିରେ ଘୁଷୁରି ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରଥମେ ଘୁଷୁରି ମାଲିକମାନେ ଏଥିପ୍ରତି ଗୁରୁତ୍ବ ଦେଇନଥିବା ବେଳେ ଏଭଳି ଘଟଣା ବାରମ୍ବାର ନଜରକୁ ଆସିଥିଲା। ପୁଣି ଗେଟ୍‌ବଜାର, ପାଣିଗ୍ରାହୀପେଣ୍ଠ, ଗୋଲାପଲ୍ଲୀ ହରିଜନ ସାହି ଭଳି ଅଞ୍ଚଳରେ ଘୁଷୁରି ମରିବା ଘଟଣା ନଜରକୁ ଆସିବା ପରେ ଲୋକେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଏମ୍‌ସିର ଡେପୁଟି କମିସନର୍‌ ଏ ନେଇ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗକୁ ଅବଗତ କରିଥିଲେ। କିନ୍ତୁ ପ୍ରାଣୀ ଚିକିତ୍ସା ବିଭାଗ ‌ତ୍ବରିତ ପଦକ୍ଷେପ ଗ୍ରହଣ ନକରି ହାତବାନ୍ଧି ବସିଥିଲା। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା। ଆଜି ପୁଣିଥରେ ୬ଟି ଘୁଷୁରି ମରି ପଡ଼ିଥିବା ନେଇ ଖବର ମିଳିବା ପରେ ପ୍ରାଣୀ ଚିକିତ୍ସା ବିଭାଗର ଚୈତନ୍ୟ ଉଦୟ ହୋଇଥିଲା। ପ୍ରାଣୀ ଚିକିତ୍ସା ବିଭାଗର ଆସିଷ୍ଟାଣ୍ଟ୍‌ ସର୍ଜନ ଡା. କିରଣ କୁମାର ବିଷୋୟୀ, କ୍ଲିନିକାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଲାବ୍ରୋଟାରିର ରିସର୍ଚ୍ଚ ଅଫିସର୍‌ ଡା. ଦିଗବଳୟ ମହାନ୍ତିଙ୍କ ନେତୃତ୍ବରେ ୫ଜଣିଆ ଟିମ୍‌ ନମୁନା ସଂଗ୍ରହ କରିଥିଲେ। ଯେଉଁ ସ୍ଥାନରେ ଅସୁସ୍ଥ ଘୁଷୁରି ଦେଖିବାକୁ ମିଳୁଛି ତୁରନ୍ତ ପ୍ରାଣୀ ଚିକିତ୍ସା ବିଭାଗକୁ ଖବର କରିବାକୁ କୁହାଯାଇଛି। ସେହିପରି ଅସୁସ୍ଥ କିମ୍ବା ମୃତ ଘୁଷୁରିର ମାଂସ ନଖାଇବା ପାଇଁ ମଧ୍ୟ ସାଧାରଣ ଲୋକଙ୍କୁ ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି। ଆଜିର ମୃତ୍ୟୁ  ସଂଖ୍ୟକୁ ମିଶାଇ ସହରରେ ପ୍ରାୟ ୪୦ ଟି ଘୁଷୁରି ମରି ସାରିଲେଣି। ଘୁଷୁରି ମଡ଼କ ପଛରେ ନିଶ୍ଚିତ ରୂପେ କିଛି ଅଜଣା ରୋଗ ଥିବା ନେଇ ଆଶଙ୍କା କରାଯାଉଛି। ତୁରନ୍ତ ଏହାର ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଘୁଷୁରି ପାଳକମାନେ ଦାବି କରିଛନ୍ତି।
ସମ୍ବନ୍ଧିତ ଖବର