ଭୁବନେଶ୍ବର : ଦୁଇ ବର୍ଷ ବିତିଗଲା, ନିଖୋଜ ଝିଅର ଖୋଜ୍‌ ଖବର ମିଳିଲା ନାହିଁ। ଥାନାକୁ ଦୌଡ଼ି ଦୌଡ଼ି କିଛି ସୁଫଳ ମିଳିଲା ନାହିଁ। ପୁଲିସ୍‌ ବି ସହଯୋଗ କଲାନି। ଝିଅକୁ ପାଇବା ପାଇଁ ଯିଏ ଯେମିତି କହିଲା, ତାହା କଲେ। ସବୁଠିକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଶେଷରେ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି ପିହୁଙ୍କ ମା’। ଝିଅକୁ ଖୋଜିବାକୁ ସେ ଆୟୁକ୍ତଙ୍କୁ ଅନୁରୋଧ କରିଛନ୍ତି।

Advertisment

ସୂଚନା ମୁତାବକ, ୨୦୨୦ ଅଗଷ୍ଟ ୯ ତାରିଖରେ ଯାଜପୁର ବିଞ୍ଝାରପୁର ଅଞ୍ଚଳର କୁନି ଝିଅ ପିହୁ ଘର ଆଗରେ ଖେଳୁଥିବା ହଠାତ୍ କୁଆଡ଼େ ନିଖୋଜ ହୋଇଯାଇଥିଲା। ଯେତେ ଖୋଜାଖୋଜି କଲେ ବି ତାଙ୍କର ପତ୍ତା ମିଳି ନଥିଲା। ଏ ସଂପର୍କରେ ପରିବାରଲୋକ ଥାନାରେ ଅଭିଯୋଗ କଲେ ବି ପୁଲିସ ସେଭଳି ତତ୍ପରତା ଦେଖାଇ ନଥିଲା। ଘଟଣାକୁ ନେଇ ଜିଲ୍ଲାପାଳ ଅଫିସ୍‌, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଇଥିଲେ ମଧ୍ୟ କେହି ଶୁଣିନଥିଲେ ବୋଲି ପିହୁଙ୍କ ମା’ କହିଛନ୍ତି। ନ୍ୟାୟ ପାଇଁ ଶେଷରେ ସେ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କୁ ଭେଟି ଗୁହାରି କରିଛନ୍ତି।