ପିହୁ ନିଖୋଜ ଘଟଣା: ଆଉ ଏକ ପୋଖରୀ ଶୁଖାଇଲା ପୁଲିସ

ବିଂଝାରପୁର : ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସୁନ୍ଦରପୁର ଗ୍ରାମର ଲକ୍ଷ୍ମଣ କୁମାର ନାୟକ ଓ ମୋନାଲିସା ନାୟକଙ୍କ ଅଢେଇ ବର୍ଷର ଶିଶୁକନ୍ୟା ଶୁଭଲକ୍ଷ୍ମୀ ନାୟକ ଓରଫ ପିହୁ ନିଖୋଜ ଘଟଣାକୁ ୬ମାସ ବିତିଯାଇଛି। ଯାଜପୁର ଏସ୍‌ପି ରାହୁଲ ପିଆର ପିହୁକୁ ଖୋଜିବା ପାଇଁ ୫ଟି ଟିମ୍‌ ଗଠନ କରିଥିଲେ ମଧ୍ୟ ସଫଳତା ମିଳିନି। ତେଣୁ ପୁଲିସ ନିରୁଦ୍ଦିଷ୍ଟ ପୋଷ୍ଟର ଲଗାଇବା ସହ ପିହୁର ଘର ପାଖରେ ଥିବା ଗୋଟିଏ ପରେ ଗୋଟିଏ ପୋଖରୀକୁ ଶୁଖାଇବାରେ ଲାଗିଛି। ବହୁଚର୍ଚ୍ଚିତ ପିହୁ ନିଖୋଜ ଘଟଣାରେ ପୁଲିସ ଗତ ୧୪ ତାରିଖରେ ପୋଷ୍ଟର ଲଗାଇବା ସହ ଘର ପାଖରେ ଥିବା ପୋଖରୀକୁ ଶୁଖାଇଥିଲା। ହେଲେ କୌଣସି ସୁରାକ୍‌ ପାଇ ନଥିଲା।

ଆଜି ପୁଣି ଅଗ୍ନିଶମ ବାହିନୀ ଦ୍ବାରା ଆଉ ଏକ ପୋଖରୀ ଶୁଖାଇ ପଙ୍କ ଘାଣ୍ଟି ନିରାଶ ହୋଇଛି ପୁଲିସ। ତେବେ, ପୁଲିସ ଗ୍ରାମର ଗୋଟିଏ ପରେ ଗୋଟିଏ ପୋଖରୀ ଶୁଖାଇ ଚାଲିଥିବାରୁ ପିହୁ ପରିବାର ସମେତ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପିହୁର ମା’ ମୋନାଲିସା କହିଛନ୍ତି ପିହୁ ନିଖୋଜ ହେବାକୁ ଦୀର୍ଘ ୬ମାସ ବିତିଲାଣି । ପୁଲିସ ଯେଉଁ କାମକୁ ଆରମ୍ଭରେ କରିବା କଥା ତାହା ନକରି ଏବେ ଲୋକ ଦେଖାଣିଆ ପୋଖରୀ ଶୁଖାଇ ପଙ୍କ ଘାଣ୍ଟୁଛି। ପୁଲିସ ନିଜର ଅପାରଗତା ଲୁଚାଇବାକୁ ଯାଇ ଅନ୍ୟ ଉପରେ ଦୋଷ ଲଦିବାକୁ ଚେଷ୍ଟା କରୁଛି ବୋଲି ମୋନାଲିସା କହିଛନ୍ତି।

ସମ୍ବନ୍ଧିତ ଖବର