ବିଂଝାରପୁର: ବିଂଝାରପୁର ଥାନା ମଧୁସୂଦନପୁର ପଞ୍ଚାୟତ ରଥସାହି ଗ୍ରାମର ନିଖୋଜ ଶିଶୁକନ୍ୟା ପିହୁର ମା’ ମୋନାଲିସା ନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପାଇଁ ଚଣ୍ଡିଖୋଲସ୍ଥିତ ସଭାସ୍ଥଳକୁ ବାହାରିଥିଲେ। ମାତ୍ର, ବିଂଝାରପୁର ପୁଲିସ ତାଙ୍କୁ ଉଠାଇ ନେଇଥିଲା ବେଳେ ସଂଧ୍ୟାରେ ଘରେ ଛାଡ଼ିଥିବା ଜଣାପଡ଼ିଛି।
ପିହୁ ନିଖୋଜ ଘଟଣାକୁ ସାଢ଼େ ୩ବର୍ଷ ପୂରିଥିଲେ ମଧ୍ୟ ଏବେ ବି ପୁଲିସ ଶିଶୁକନ୍ୟାଟିକୁ ଉଦ୍ଧାର କରିପାରିନାହିଁ। ଝିଅର ଉଦ୍ଧାର ପାଇଁ ମୋନାଲିସା ଯାଜପୁର ଏସ୍ପିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ଶିଶୁ ସୁରକ୍ଷା ଆୟୋଗ, ମାନବାଧିକାର କମିସନ, କ୍ରାଇମବ୍ରାଞ୍ଚ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଗୁହାରି କରିସାରିଛନ୍ତି। ସେ ମଧ୍ୟ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଛନ୍ତି। ଏବେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଝିଅର ନିଖୋଜ ଘଟଣା ସିବିଆଇକୁ ହସ୍ତାନ୍ତର ପାଇଁ ଦାବି କରିବେ ବୋଲି ଚଣ୍ଡିଖୋଲ ଯିବାକୁ ଏକ ବସ୍ରେ ବସିଥିଲେ। ଚଣ୍ଡିଖୋଲ ସଭାସ୍ଥଳକୁ ଯିବାବାଟରେ ସୟଦପୁର ନିକଟରେ ବିଂଝାରପୁର ଆଇଆଇସିଙ୍କ ସମେତ ପୁଲିସ କର୍ମଚାରୀମାନେ ବସ୍କୁ ଅଟକାଇ ମୋନାଲିସାଙ୍କୁ ଓହ୍ଲାଇ ଦେଇଥିଲେ। ଏହାକୁ ନେଇ ମୋନାଲିସା ଓ ପୁଲିସ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ପୁଲିସ ତାଙ୍କୁ ବଳପୂର୍ବକ ଗାଡ଼ିରେ ପୂରାଇ ଥାନାକୁ ନେଇଥିଲା। ସଂଧ୍ୟାରେ ତାଙ୍କୁ ଘରେ ଛାଡ଼ି ଦେଇଥିବା ଜଣାପଡ଼ିଛି।