ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ : ସବୁ ରୋଗୀଙ୍କ କୋଭିଡ୍‌ ପରୀକ୍ଷା କରାଯାଉ

କଟକ : ହସ୍ପିଟାଲରେ ଭର୍ତ୍ତି ହେବା ସମୟରେ ପ୍ରତ୍ୟେକ ରୋଗୀଙ୍କ କୋଭିଡ-୧୯ ପରୀକ୍ଷା କରାଯିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।

ହାଇକୋର୍ଟ ବାର୍ ଆସୋସିଏସନର ପୂର୍ବତନ ଯୁଗ୍ମସଂପାଦକ ଦିଲ୍ଲୀପ କୁମାର ରାୟଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ, କରୋନା ଭୂତାଣୁ ସଂକ୍ରମଣ ନେଇ ସାରାଦେଶରେ ଭୟର ବାତାବରଣ ରହିଥିବାବେଳେ ଡାକ୍ତର ଓ ସ୍ବାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥାର ଯତ୍ନକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ। କରୋନା ଭୂତାଣୁ ଲକ୍ଷଣକୁ ବାଦ୍‌ ନେଇ ଅନ୍ୟ ରୋଗ ସଂକ୍ରାନ୍ତ ସମସ୍ୟା ନେଇ ହସ୍ପିଟାଲକୁ ଆସୁଥିବା ରୋଗୀ ଭର୍ତ୍ତି ହେବାପରେ ସେ କରୋନା ସଂକ୍ରମିତ ବୋଲି ପରବର୍ତ୍ତୀ ସମୟରେ ଜଣାପଡୁଛି। ଏଭଳି ଏକ ଘଟଣା ଏସସିବି ମେଡିକାଲରେ ଘଟିଥିଲା। ସ୍ତ୍ରୀ-ରୋଗ ଓ ପ୍ରସୂତି ବିଭା‌ଗରେ ମେ ୧୮ରେ ଭର୍ତ୍ତି ହୋଇଥିବା ଜଣେ ପ୍ରସୂତିଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ସେ ୧୯ ତାରିଖ ଦିନ ଏକ ପିଲାକୁ ଜନ୍ମ ଦେଇଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ଆସିଥିଲା ଓ ତାଙ୍କ ଚିକିତ୍ସା କରିଥିବା ୧୬ଜଣ ଡାକ୍ତର ଓ କର୍ମଚାରୀଙ୍କୁ ସଂଗରୋଧରେ ରଖାଯାଇଥିଲା। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରତି ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ପ୍ରଥମେ ଆଇସୋଲେସନ୍ ୱାର୍ଡରେ ରଖି ସ୍ବାବ୍ ପରୀକ୍ଷା ପାଇଁ ପଠାଯାଉ। ରୋଗୀଙ୍କ ସ୍ବାବ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ନିୟମିତ ୱାର୍ଡରେ ରଖି ଚିକିତ୍ସା କରାଯାଉ। ନଚେତ ଡାକ୍ତର, ନର୍ସ, ଅନ୍ୟ ସ୍ବାସ୍ଥ୍ୟକର୍ମୀ ଓ ରୋଗୀଙ୍କ ଜୀବନ ବିପନ୍ନ ହେବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଥିସହିତ ସବୁ ହସ୍ପିଟାଲ ପରିସର, ୱାର୍ଡ, ଆଉଟଡୋର୍, ଡାକ୍ତରଙ୍କ ଚାମ୍ବରକୁ ପ୍ରତିଦିନ ସାନିଟାଇଜ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ମାମଲାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଏସସିବି ମେଡିକାଲ କଲେଜ ଅଧୀକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁବ୍ରତ ଶତପଥୀ, ପ୍ରସନ୍ନ କୁମାର ପଣ୍ଡା, ପ୍ରଶାନ୍ତ କୁମାର ମାହାଳି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର